ଆନନ୍ଦ ଆଲୋକ ପ୍ରେମ


ସେ ଆନନ୍ଦ

ଏ ଆନନ୍ଦ ନୁହେଁ,

ସେ ଆନନ୍ଦ ମିଳେନାହିଁ

କରି କା’ରେ ସାମାନ୍ୟ ବଞ୍ଚିତ

ଅବା କା’ରେ କରି ପ୍ରବଞ୍ଚିତ।

ସେ ନୁହେଁ ବିଷାଦେ ଅବା ଅବସାଦେ କେବେ ବିଖଣ୍ଡିତ।

ଅଖଣ୍ଡ ଅମୃତଧାରା ଶାନ୍ତିରେ ସେ ନିତ୍ୟ ବିମଣ୍ଡିତ।

 

ସେ ଆଲୋକ

ଏ ଆଲୋକ ନୁହେଁ

ସେ ଆଲୋକେ ଅନ୍ଧକାର ହୁଏନାହିଁ କେବଳ ଅନ୍ତର,

ଲଭେ ରୂପାନ୍ତର।

ହୃଦୟର ଅନ୍ତଃସ୍ଥଳ ଉଦ୍ଭାସିତ କରି

ସେ କରଇ ବିକୀରଣ ଦିବ୍ୟଜ୍ୟୋତି କାଳ କାଳାନ୍ତର।

 

ସେ ପ୍ରେମ

ଏ ପ୍ରେମ ନୁହେଁ

ନାହିଁ ତହିଁ କାମନା ଜ୍ବଳନ,

ଆବେଗର ଆଡ଼ମ୍ବର, ବିରହ ପୀଡ଼ନ

ଅହଙ୍କାର ଅଭିମାନ ବିରହିତ ରାହା

ପରିପୂର୍ଣ୍ଣ ଆତ୍ମନିବେଦନ ।

ଆତ୍ମ-ଉନ୍ମୀଳନ।

ଦାନ ପ୍ରତିଦାନ ହୀନ ସେ ଚିର ମଧୁର

ଶାଶ୍ବତ ମିଳନ।

 

ସେ ଆନନ୍ଦ ପାଇଁ ମୋର ନିରତ କାମନା,

ସେ ଆଲୋକ ପାଇଁ ମୋର ନିବିଡ଼ ପ୍ରାର୍ଥନା,

ସେଇ ପ୍ରେମ ପାଇଁ ମୋର ନୀରବ ସାଧନା।




+ -