ଆଉ ତିନିଦିନପରେ ପ୍ରବାସୀ ସାହିତ୍ୟ ଓ ସଂସ୍କୃତି ପରିଷଦର ଜନ୍ମଦିନ ବା ବାର୍ଷିକୋତ୍ସବ।ପ୍ରତିବର୍ଷ ଏଇ ଉତ୍ସବ ହୁଏ। କିନ୍ତୁ ଏ ବର୍ଷର ଉତ୍ସବ ସୁଧାଦେବୀଙ୍କ ମନ ଭିତରେ ବହୁତ ଉତ୍ତେଜନା ସୃଷ୍ଟି କରିଥିଲା।ସେ ନିଜେ ପରିଷଦର ସହକାରୀ ସଂପାଦିକା ବୋଲି ନୁହେଁ।ତାଙ୍କ ଉତ୍ତେଜନା ଓ ଉଲ୍ଲାସର କାରଣ ଥିଲେ ଏ ବର୍ଷ ଉତ୍ସବର ପ୍ରଧାନ ଅତିଥି ସୁଧାଂଶୁ ରାୟ। ସୁଧାଂଶୁରାୟ ସେଇ ବର୍ଷର ଜ୍ଞାନପୀଠ ପୁରସ୍କାର ପାଇଥିଲେ।ତାଙ୍କୁ ପ୍ରଧାନ ଅତିଥି ଭାବରେ ନିମନ୍ତ୍ରଣ କରିବାକୁ ପ୍ରସ୍ତାବ ଆଣିଥିଲେ ସୁଧାଦେବୀ ନିଜେ।ପରିଷଦର ଅନେକେ ସେଥିରେ ଆପତ୍ତି କରିଥିଲେ।କାରଣ ସୁଦୃଢ଼ ବନାରସର ପ୍ରବାସୀ ଓଡ଼ିଆମାନଙ୍କର ଏଇ ଛୋଟ ଅନୁଷ୍ଠାନର ନିମନ୍ତ୍ରଣ ରକ୍ଷା କରିବାକୁ ସୁଧାଂଶୁ ରାୟ ସମ୍ମତ ହେବେ ବୋଲି କେହି ଆଶା କରୁନଥିଲେ।ପରିଷଦର ବାର୍ଷିକୋତ୍ସବରେ ଆଗରୁ ବାହାରୁ କୌଣସି ଅତିଥି ଡାକିବାର ପରମ୍ପରା ନଥିଲା।ପୁଣି ଡାକିବା ଅର୍ଥ ଅନେକ ଖର୍ଚ୍ଚ।କେହି କେହି ଭୟ କରୁଥିଲେ ଯେ ଏଇ ଛୋଟ ଅନୁଷ୍ଠାନ ସୁଧାଂଶୁ ରାୟଙ୍କ ପରି ଖ୍ୟାତନାମା କବିଙ୍କୁ ଯଥାଯୋଗ୍ୟ ସମ୍ମାନ ଦେବାକୁ ସମର୍ଥ ହେବ ନାହିଁ।କିନ୍ତୁ ସୁଧାଦେବୀ ସବୁ ବିରୋଧକୁ ଖଣ୍ଡନ କରିଥିଲେ ପ୍ରବଳ ଭାବରେ। ସୁଧାଂଶୁ ରାୟଙ୍କୁ ଆଣିବା ଦାୟିତ୍ବ ସେ ନିଜେ ନେଲେ।କାରଣ ସୁଧାଂଶୁରାୟ ତାଙ୍କର ସଂପର୍କୀୟ ଭାଇ।ଜ୍ଞାନପୀଠ ପୁରସ୍କାର ବିଜେତା ଭାବରେ ତାଙ୍କର ଉପସ୍ଥିତି ଓଡ଼ିଶା ବାହାରେ ସମଗ୍ର ଓଡ଼ିଆ ଜାତିର ଓ ଓଡ଼ିଆ ସାହିତ୍ୟର ଗୌରବ ପ୍ରକାଶ କରିବ।ସେଠାରେ ଥିବା ହିନ୍ଦୀ ସାହିତ୍ୟ ପରିଷଦ ଓ ବିଶ୍ବ ସାହିତ୍ୟ ପରିଷଦର ବହୁମୁଖୀ କାର୍ଯ୍ୟକ୍ରମ କଥା ସୂଚାଇ ଦେଇ ଓଡ଼ିଆମାନଙ୍କର ନିରୁତ୍ସାହ ମନୋଭାବର ସେ ନିନ୍ଦା କରିଥିଲେ ମଧ୍ୟ।ତାପରେ ଖର୍ଚ୍ଚ କଥା-ସେଥିପାଇଁ ସ୍ବତନ୍ତ୍ର ଚାନ୍ଦା ସଂଗ୍ରହର ପ୍ରସ୍ତାବ ଦେବା ସଙ୍ଗେ ସଙ୍ଗେ ସେ ନିଜେ ଦୁଇଶହ ଟଙ୍କା ଦେବେ ବୋଲି ଘୋଷଣା କରି ପକେଇଲେ। ସେଥିପାଇଁ କରତାଳି ଦ୍ବାରା ତାଙ୍କର ପ୍ରଶଂସା କରାଯାଇଥିଲା।ତା ବ୍ୟତୀତ ସୁଧାଂଶୁ ଭାଇ ତାଙ୍କ ଘରେ ରହିବେ। ତେଣୁ ତାଙ୍କ ପାଇଁ କିଛି ଖର୍ଚ୍ଚ ନାହିଁ କହିଲେ ଚଳେ ବୋଲି ସେ ସୂଚାଇ ଦେଇଥିଲେ।ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ଗୃହୀତ ହେଲା।କେବଳ ଶେଷ ପ୍ରସ୍ତାବଟିକୁ ବିରୋଧ କରିଥିଲେ ମିସେସ୍ ଲଜ୍ଜ୍ବା ମହାନ୍ତି।ସେ କହିଲେ“ପ୍ରଧାନ ଅତିଥିଙ୍କୁ କାହାଘରେ ରଖିବା ଉଚିତ ହେବ ନାହିଁ।ଡାକବଙ୍ଗଳାରେ ତାଙ୍କ ପାଇଁ ବ୍ୟବସ୍ଥା କରିବାକୁ ହେବ।ତାହାହେଲେ ତାଙ୍କର ମଧ୍ୟ କୌଣସି ଅସୁବିଧା ହେବନାହିଁ।ତା ଛଡ଼ା ତାଙ୍କ ସହିତ ଅନ୍ୟମାନେ ଚାହିଁଲେ ସେଠାରେ ସହଜରେ ଦେଖାକରି ପାରିବେ।”ସୁଧାଦେବୀ ମନେ ମନେ ଭାବିଲେ,ଲଜ୍ଜା ମହାନ୍ତି ଈର୍ଷାରେ ଜଳିଯାଇ ଏପରି ଛୋଟଲୋକୀ କଥା କହୁଛନ୍ତି। କିନ୍ତୁ ଲଜ୍ଜା ମହାନ୍ତିଙ୍କ କଥାକୁ ଅନ୍ୟମାନେ ସମର୍ଥନ କରିବାରୁ ସୁଧାଦେବୀ ବାଧ୍ୟ ହୋଇ କାହାକୁ ଗ୍ରହଣ କରିନେଲେ। ଅବଶ୍ୟ ପ୍ରଧାନ ଅତିଥି ତାଙ୍କର ଆତ୍ମୀୟ ହୋଇଥିବାରୁ ତାଙ୍କୁ ଗୋଟିଏ ବେଳା ଖାଇବାକୁ ନିମନ୍ତ୍ରଣ କରିବାପାଇଁ ସୁଧାଦେବୀଙ୍କୁ ସୁଯୋଗ ଦିଆଗଲା।ସୁଧାଦେବୀ ମନେ ମନେ ଭାବିଲେ,“ହଉ,ତୁମେ ସବୁ ପ୍ରସ୍ତାବ କରୁଥାଅ।ସୁଧାଂଶୁ ଭାଇ ଆସି ଯାଆନ୍ତୁ।ସେ ଯଦି ଷ୍ଟେସନରୁ ସିଧା ସିଧା ମୋ ଘରକୁ ନ ଯାଇଛନ୍ତି ତାହାହେଲେ ମତେ କହିବ। ସେତେବେଳେ ଲଜ୍ଜ୍ବା ମହାନ୍ତିଙ୍କ ମୁହଁ ପୋଡ଼ିଯିବ ଯେ-”
ସେଇ ଦିନଠାରୁ ସୁଧାଦେବୀଙ୍କ ମନରେ ଉଲ୍ଲାସ ଓ ଉତ୍ତେଜନା ଭରି ରହିଚି ।ଦିନ ଯେତିକି ନିକଟ ହୋଇ ଆସୁଛି ତାଙ୍କ ଛାତି ଭିତରେ ସେଇ ଉଲ୍ଲାସର ଶୀହରଣ ବଢ଼ିଯାଇଛି।ସେ ତାଙ୍କ ଘରକୁ ସଜାଇବାରେ ଲାଗିଛନ୍ତି।ସୁଧାଂଶୁ ଭାଇ ଯେଉଁ ରୁମରେ ରହିବେ ତାକୁ ବିଶେଷ ଭାବରେ ବାରମ୍ବାର ସଜେଇ ରଖୁଛନ୍ତି।ସେ ନିଜେ କି କି ଶାଢ଼ୀ ପିନ୍ଧିବେ କି କି ବ୍ଲାଉଜ୍ ପିନ୍ଧିବେ,କି ପ୍ରକାର ପ୍ରସାଧନ କରିବେ ତା ବି ଠିକ୍ କରିଛନ୍ତି-ଅବଶ୍ୟ ମନେ ମନେ ବହୁବାର ପରିବର୍ତ୍ତନ ଓ ସଂଶୋଧନ କରିବାପରେ ସୁଧାଂଶୁଭାଇଙ୍କ ପାଇଁ କଣ କଣ ରାନ୍ଧିବେ ଏବଂ ସେଥିପାଇଁ ଯାହାଯାହା ଜିନିଷ ଦରକାର ତାହାର ତାଲିକା କରି ରଖିଛନ୍ତି-ନାଁ ସବୁ ଜିନିଷ କିଣି ସାରିଛନ୍ତି ମଧ୍ୟ।ସୁଧାଂଶୁଭାଇ ଛତୁ ଖାଇବାକୁ ଭଲ ପାଆନ୍ତି। ତେଣୁ ବନାରସରେ ଛତୁ ସଂଗ୍ରହ କରିବାକୁ ସେ ତାଙ୍କର ଉଦ୍ୟମ ଅବ୍ୟାହତ ରଖିଛନ୍ତି।ଛତୁ ଶବ୍ଦର ହିନ୍ଦୀ ପ୍ରତିଭାଷା ଜାଣିବାକୁ ତାଙ୍କୁ କମ୍ ପରିଶ୍ରମ କରିବାକୁ ପଡ଼ିନାହିଁ।ଅବଶ୍ୟ ଏ ସବୁଥିରେ ତାଙ୍କୁ ଆକୁଣ୍ଠିତ ସାହାଯ୍ୟ କରିଛନ୍ତି ତାଙ୍କ ସ୍ବାମୀ ଯେ କି ସେଠା ବିଶ୍ବବିଦ୍ୟାଳୟରେ ଜଣେ ସହକାରୀ ଲାଇବ୍ରେରୀଆନ୍ ଭାବରେ କାମ କରନ୍ତି।ସେ ମଧ୍ୟ ତାଙ୍କ ବନ୍ଧୁ ମହଲରେ ବାରମ୍ବାର କହିବାକୁ ଭୁଲି ନାହାନ୍ତି ଯେ ପ୍ରସିଦ୍ଧ ଜ୍ଞାନପୀଠ ପୁରସ୍କାର ବିଜେତା ଲେଖକ ସୁଧାଂଶୁରାୟ ତାଙ୍କ ସ୍ତ୍ରୀଙ୍କର କଜିନ୍ ବ୍ରଦର୍ ଅର୍ଥାତ୍ ତାଙ୍କର ବ୍ରଦର୍ ଇନ୍ ଲ’।
ପ୍ରଧାନ ଅତିଥିଙ୍କୁ ନିମନ୍ତ୍ରଣ କରି ଯେଉଁ ଚିଠି ଯାଇଥିଲା ତା ସହିତ ସୁଧାଦେବୀ ଗୋଟିଏ ଛୋଟ ହାତଲେଖା ଚିଠି ପଠାଇଥିଲେ।ସେ ଏତିକି ମାତ୍ର ଲେଖିଥିଲେ,‘ସୁଧାଂଶୁ ଭାଇ,ତମେ ନିଶ୍ଚୟ ଆସିବ।ମୋର ବିଶେଷ ଅନୁରୋଧ।ଇତି ସୁଧା-ଚିହ୍ନି ପାରୁଛ ନା?’ସେ ମନେ ମନେ ଭାବୁଥିଲେ,ସୁଧାଂଶୁଭାଇ ତାଙ୍କ ଚିଠିପାଇ ଆଶ୍ଚର୍ଯ୍ୟ ହୋଇଯିବେ।ପ୍ରଥମେ ହୁଏତ ତାଙ୍କୁ ଜାଣି ପାରିବେ ନାହିଁ।ତା ପରେ ନିଶ୍ଚୟ ମନେ ପକେଇବେ ଏବଂ ତାଙ୍କ ପାଖକୁ ଲେଖିବେ,“ସୁଧା ତୋତେ ଚିହ୍ନି ପାରିବି ନାହିଁ ବୋଲି କିପରି ଭାବିଲୁ।ମୁଁ କଣ ତତେ ଭୁଲି ପାରିବି କି? ମୁଁ ନିଶ୍ଚୟ ଯିବି।ତୋର ନିମନ୍ତ୍ରଣକୁ ଉପେକ୍ଷା କରିବାକୁ ସ୍ପର୍ଦ୍ଧା ମୋର ନାହିଁ।ଇତି ତୋର ସୁଧାଂଶୁଭାଇ।”
ସୁଧାଂଶୁ ରାୟଙ୍କ ଉତ୍ତରକୁ ଉଦ୍ଗ୍ରୀବ ହୋଇ ସୁଧାଦେବୀ ଅନାଇ କହିଥିଲେ।ଯଥା ସମୟରେ ତାଙ୍କର ଚିଠି ଆସିଲା। ଛୋଟ ଚିଠି।ସମ୍ପାଦକଙ୍କୁ ଲେଖିଛନ୍ତି ଯେ ସେ ନିମନ୍ତ୍ରଣ ରକ୍ଷା କରିଛନ୍ତି।ସେ ନିର୍ଦ୍ଦିଷ୍ଟ ତାରିଖ ଦିନ ସକାଳ ଏକ୍ସପ୍ରେସ୍ରେ ପହଁଚିଲେ ଏବଂ ପରଦିନ ସକାଳ ମେଲ୍ରେ ନିଶ୍ଚୟ ଫେରିଯିବେ ସେ ଚିଠିକୁ ସୁଧାଦେବୀ ନିଜେ ଖୋଲିଥିଲେ।ନ ହେଲେ ସେ ଭାବିଥାନ୍ତେ ତା ସହିତ ତାଙ୍କ ପାଇଁ ମଧ୍ୟ ଚିଠି ଥିଲା,କେହି ନେଇ ଯାଇଛି।ତାଙ୍କ ଉପରେ ତ ସମସ୍ତଙ୍କର ଈର୍ଷା,ହିଂସା।ସୁଧାଂଶୁଭାଇ ତାଙ୍କର ଭାଇ ବୋଲି ସେ ଈର୍ଷା ଆହୁରି ବଢ଼ି ଯାଇଛି।ଲଜ୍ଜାମହାନ୍ତି,ସରଳା ମିଶ୍ର,ବିଭା ଦାସ ସମେସ୍ତେ ଛୋଟ ଲୋକ।ତାଙ୍କ ସ୍ବାମୀଟି ମାନେ ମଧ୍ୟ ଗୋଟିଏ ଗୋଟିଏ ବୁଦୁ।ତାଙ୍କ ଚିଠିର କିଛି ଉତ୍ତର ନପାଇବାରୁ ସୁଧାଦେବୀ ପ୍ରଥମେ ଟିକିଏ ନିରାଶ ହୋଇ ପଡ଼ିଥିଲେ।ସେ କିନ୍ତୁ ମନକୁ ମନ ସାନ୍ତ୍ବନା ଦେଲେ,ବୋଧହୁଏ ତାଙ୍କ ଚିଠିକୁ ବାଟରୁ କିଏ ମାରି ନେଇଛି।କିମ୍ବା ସୁଧାଂଶୁଭାଇ ନିଜେ ପହଁଚିଯାଇ ତାଙ୍କ କଥାର ଉତ୍ତର ଦେବେ ବୋଲି ଭାବିଛନ୍ତି।ସେ ତାଙ୍କୁ ଚିହ୍ନି ପାରିଲେ ନାହିଁ କି,ଏମିତି ଏକ ଧାରଣା ତାଙ୍କ ମନକୁ ଆସୁ ଆସୁ ସେ ତାକୁ ମନଭିତରୁ ଜୋର୍କରି କାଢ଼ି ବାହାର କରିଦେଲେ।ସୁଧାଂଶୁ ଭାଇ ଚିହ୍ନିପାରିଲେ ନାହିଁ ଏହା କଦାପି ସମ୍ଭବ ହୋଇ ନପାରେ।
ସୁଧା ଦେବୀ ସେ ଦିନ ପୁଣି ଥରେ ତାଙ୍କ ଘରକୁ ସଜାଡ଼ିବାରେ ଲାଗିଲେ।ତିନି ବଖୁରିଆ କ୍ବାଟରସ୍କୁ ମନୋମତ ଭାବରେ ସଜାଡ଼ିବା ବଡ଼ କଷ୍ଟକର କଥା।ଯାହା ଅସୁବିଧା ହେଉପଛେ ସେ ଠିକ୍ କଲେ ତାଙ୍କର ଶୋଇବା ଘରଟାକୁ ସେ ସୁଧାଂଶୁଭାଇଙ୍କ ପାଇଁ ଛାଡ଼ି ଦେବେ।ଅନ୍ୟ ଘରେ ସେ,ତାଙ୍କ ସ୍ବାମୀ ଓ ପିଲାମାନଙ୍କ କଷ୍ଟକରି ରହିଯିବେ।ଶୋଇବା ଘରେ ଭର୍ତ୍ତି ହୋଇଥିବା ଜିନିଷ ପତ୍ରକୁ ନିଜେ କାଢ଼ିନେଇ ସେ ବାରଣ୍ଡାରେ ରଖିଲେ ଏବଂ ତା ଉପରେ ଗୋଟିଏ ପର୍ଦ୍ଦା ଘୋଡ଼ାଇ ଦେଲେ।ସୁଧାଂଶୁଭାଇଙ୍କ ପାଇଁ ଉଦ୍ଦିଷ୍ଟ ଘରେ କେବଳ ଗୋଟିଏ ଖଟ,ଗୋଟିଏ ଛୋଟ ଟେବୁଲ୍ ଓ ଦୁଇଟି ଚଉକି ରହିଲା।ଟେବୁଲ୍ ଉପରେ ରହିଲା ସୁନ୍ଦର ଫୁଲଦାନୀ,ଟେବୁଲ୍ ଲ୍ୟାମ୍ପ,ରାଇଟିଂ ପ୍ୟାଡ୍ ଓ କଲମ।କାନ୍ଥରେଅତି ସୁନ୍ଦର ଦେଖାଯାଉଥିବା ତାଙ୍କର ସିଙ୍ଗଲ୍ ଫଟୋଟି ବ୍ୟତୀତ ଆଉ କିଛି ରଖିଲେ ନାହିଁ।ଅଦୂରବର୍ତ୍ତୀ ଥାକରେ କିଛି ବହିଥିଲା, ତାହା ଭିତରେ ସୁଧାଂଶୁ ରାୟଙ୍କର ୪।୫ ଖଣ୍ଡ ବହି ଥିଲା।ତଳ ଥାକରେ ଦୁଇଟି ସୁନ୍ଦର ବନ୍ଧେଇ ଖାତା ଥିଲା।ସେ ଗୁଡ଼ିକ ସୁଧା ଦେବୀଙ୍କର କବିତା ଖାତା,ନିଜ ଲେଖା କବିତାର କବିତାର ଖାତା।ସୁଧାଂଶୁଭାଇ ଜାଣନ୍ତୁ,ସେ ଏକା କବି ନୁହନ୍ତି। ସୁଧା ଦେବୀ ମଧ୍ୟ କବିତା ଲେଖନ୍ତି,ଏବଂ ତାଙ୍କ କବିତା ମହିଳା ମାନଙ୍କ ପତ୍ରିକାରେ ବାହାରେ।ସୁଧାଦେବୀ ସବୁ ଜିନିଷ ନିଜେ ତନ୍ନ ତନ୍ନ କରି ସୁନ୍ଦର ଭାବେ ସଜାଡ଼ି ରଖିଲେ।ସୁଧାଂଶୁଭାଇ କେଉଁଠି ବସିବେ,କେଉଁଠି ଶୋଇବେ,ସେ ସକାଳେ କେତେବେଳେ ଉଠିବେ-କବିମାନେ ତ ଅଳସୁଆ ନିଶ୍ଚୟ ଡେରିରେ ଉଠୁଥିବେ।ତାଙ୍କୁ ଆସି ଉଠାଇବାକୁ ପଡ଼ିବ। ଉଠାଇଲା ବେଳେ କଣ କରିବେ କେଜାଣି!ସେ କହିବେ,ଉଠ,ଉଠ।ଉଷା ସୁନ୍ଦରୀ ଦର୍ଶନ ପାଇଁ ଅପେକ୍ଷା କରି କରି ନିରାଶ ହୋଇଗଲେ।ସକାଳ ସୁନ୍ଦରୀଙ୍କୁ ଆଉ ହତାଶ କରିନାହିଁ।ତା ପରେ ତାଙ୍କୁ ସେ ନିଜ ହାତରେ ଗରମ ଗରମ ଚା’ କରି ଆଣିଦେବେ।ସୁଧାଂଶୁଭାଇ ହୁଏତ ଥରେ ଚା’ଖାଇଦେଇ କହିବେ।ବଢ଼ିଆ ଚା’,ସେ ପଚାରିବେ ‘ସତ ନା ମିଛ?’ମିଛ ନୁହେଁ,ଖାଣ୍ଟି ସତ।ବଢ଼ିଆ ଚା’ଠିକ୍ ତୋ ପରି।ନିଜ ଭାବନାରେ ମଧ୍ୟ ସୁଧାଦେବୀ ଲାଜେଇ ଗଲେ ଏବଂ ଉଲ୍ଲସିତ ହେଲେ ମଧ୍ୟ।
ଦିନ ଦିନ ଧରି ସୁଧାଦେବୀ ସୁଧାଂଶୁ ରାୟଙ୍କ ଆସିବା କଥା ଭାବୁଥିଲେ।କିନ୍ତୁ ସେଦିନ ଅପରାହ୍ନରେ ତାଙ୍କ ମନ ଆହୁରି ମୁକ୍ତ, ଆହୁରି ଖୋଲା, ଆହୁରି ହାଲୁକା ହୋଇଯାଇଥିଲା।ତେଣୁ ରିସିଭ୍ କରିବା କଥା ଭାବୁ ଭାବୁ ତାଙ୍କ ମନକୁ ପ୍ରଶ୍ନ ଆସିଲା,କେମିତିକା ଦେଖିବାକୁ ହେଲେଣି ସୁଧାଂଶୁଭାଇ କେଜାଣି?ତାଙ୍କୁ ସେ ଚିହ୍ନି ପାରିବେଟି?ଏହା ଭିତରେ ସେ କେତେ ବର୍ଷ ଗଲାଣି।ପାଖାପାଖି ୩୨ ବର୍ଷ।ସୁଧାଂଶୁ ଭାଇ କଣ ତାଙ୍କୁ ଚିହ୍ନିପାରିବେ?୩୨ବର୍ଷ ତଳେ ସେମାନେ ଯାହାଥିଲେ ଆଜି ତ ଆଉ ସେପରି ନାହାନ୍ତି।ସେଦିନ ସେଥିଲେ ୧୦/୧୧ ବର୍ଷର କିଶୋରୀ ଏବଂ ସୁଧାଂଶୁଭାଇ ୨୦/୨୨ ବର୍ଷର ଯୁବକ। ସେ ପଢ଼ୁଥିଲେ ସପ୍ତମ ଶ୍ରେଣୀରେ ଆଉ ସୁଧାଂଶୁଭାଇ ପଢ଼ୁଥିଲେ ଏମ୍.ଏ।ସୁଧାଂଶୁଭାଇ ଆସିଥିଲେ ଗ୍ରୀଷ୍ମ ଛୁଟିରେ ରଜତପୁରକୁ,ତାଙ୍କ ଭଉଣୀ ଘରକୁ।ସେ ନିଜେ ବି ଆସିଥିଲେ ବୁଲି ରଜତପୁର।ତାଙ୍କ ଭଉଣୀଙ୍କର ପିଇସୀ ଶାଶୁଙ୍କର ଝିଅ ଅର୍ଥାତ୍ ଭଉଣୀର ନଣନ୍ଦ ଲେଖାରେ ତାଙ୍କର ପରିଚୟ ହୋଇଥିଲା ସୁଧାଂଶୁଭାଇଙ୍କ ସହିତ।ପିଲାଦିନୁ ସୁଧାଦେବୀ ଜାଣନ୍ତି ସେ ସୁନ୍ଦରୀ,ଖୁବ୍ ସୁନ୍ଦରୀ।ତାଙ୍କୁ ଯିଏ ଦେଖେ ସେ ସୁନ୍ଦରୀ ବୋଲି କହେ।ତାଙ୍କ ରୂପର ପ୍ରଶଂସା କରେ।ତେଣୁ ସୁଧାଂଶୁଭାଇଙ୍କୁ ତାଙ୍କ ରୂପ,ତାଙ୍କ ସୌନ୍ଦର୍ଯ୍ୟ ନିଶ୍ଚୟ ଭଲ ଲାଗିଥିବ ସେଇ ପ୍ରଥମ ଦେଖାରେ।ଭାଉଜଙ୍କ ଭାଇ ବୋଲି ସେ ତାଙ୍କୁ ବହୁତ ଥଟ୍ଟା କରିଥିଲେ।ପାନ ଭିତରେ ଲଙ୍କା ମରିଚ ଗୁଣ୍ଡ ମିଶାଇ ଖାଇବାକୁ ଦେଇଥିଲେ ଏବଂ ତାହା ଖାଇ ସୁଧାଂଶୁଭାଇଙ୍କର ଆଖିରୁ ପାଣି ବାହାରି ପଡ଼ିଥିଲା।ସମସ୍ତେ ସେଥିପାଇଁ ତାଙ୍କୁ ଗାଳି ଦେଲେ,କିନ୍ତୁ ସୁଧାଂଶୁଭାଇଙ୍କୁ ହଇରାଣ କରିବାରୁ ତାଙ୍କୁ ଭାରୀ ମଜା ଲାଗିଥିଲା।ସୁଧାଂଶୁଭାଇ ବି ତାଙ୍କୁ ପରିହାସ କରୁଥିଲେ।ପାନଖିଆ ଘଟଣା ପରେ ସେ କହିଲେ,‘ରହ,ତୋତେ ଗୋଟେ ଜିନିଷ ଖାଇବାକୁ ଦେବି ଯେ ଜୀବନଯାକ ଭୁଲିପାରିବୁ ନାହିଁ।’
ସୁଧାଦେବୀ ଆଶ୍ଚର୍ଯ୍ୟ ହୋଇଗଲେ,କେମିତି ଏତେବର୍ଷ ତଳର ପୁରୁଣା କଥା ସବୁ ସ୍ପଷ୍ଟ ମନେ ପଡୁଛି।
ଦିନେ ସୁଧାଂଶୁଭାଇ କହିଲେ,“ତୋ ପାଇଁ ଗୋଟେ ବରଗଛ ଠିକ୍ କରିଛି।”
ସୁଧାଦେବୀଙ୍କୁ କଥାରେ କେହି ପାରନ୍ତି ନାହିଁ।ତାଙ୍କ ଜିଭ ଆଗରେ ଯେପରି ସବୁ କଥାର ଉତ୍ତର ଥୁଆ।ସେ କହିଲେ ତୁମପାଇଁ ମୁଁ ଗୋଟେ କନିଅର ଫୁଲ ଠିକ୍ କରିଚି।
ସୁଧାଂଶୁଭାଇ ତାଙ୍କ କଥାର ଉତ୍ତର ପାଇଥିଲେ।ବରଗଛ ଅର୍ଥ ବର,କନିଅର ଅର୍ଥ କନିଆ।
ସେ ପଚାରିଲେ,‘ତୋ ପରି ତ।’
ସୁଧାଦେବୀ ଚଟାପଟ୍ କହିଲେ,‘ତୁମ ପରି ତ!’
ଆଉଦିନେ ସୁଧାଂଶୁଭାଇଙ୍କ ସହିତ ଭେଟ ହୋଇଗଲା ଘରଭିତରେ ଏକା ଏକା।ଆଖ ପାଖରେ ବି କେହି ନଥିଲେ। ସୁଧାଂଶୁଭାଇ କହିଲେ,‘ଏ ସୁଧା ଶୁଣ।’
“କଣ କହୁନା”
“ପାଖକୁ ଆସ କହିବି।”
“ମୁଁ ଜାଣିଚି,ଗଲେ ମାରିବ।ପାନରେ ହେଉ ଲଙ୍କା ଖାଇଥିଲ ତା ରାଗ ମରିନାହିଁ।”
ସୁଧାଂଶୁଭାଇ ପ୍ରତିଶ୍ରୁତି ଦେଲେ ସେ ମାରିବେ ନାହିଁ।କେବଳ ଗୋଟିଏ କଥା ପଚାରିବେ।
ସୁଧାଦେବୀ ତାଙ୍କ ପାଖକୁ ଯାଇଥିଲେ।ହଠାତ୍ ତାଙ୍କ ହାତକୁ ଧରି ପକାଇଲେ ସୁଧାଂଶୁଭାଇ।ମୁହୂର୍ତ୍ତକ ଭିତରେ ତାଙ୍କ ପାଖକୁ ଟାଣିନେଇ ଯାଇଥିଲେ ଏବଂ କଣ ହେଉଚି ସେ ଜାଣିବା ଆଗରୁ ତାଙ୍କ ଗାଲରେ ଗୋଟାଏ ଚୁମା ଦେଇ ପକାଇଥିଲେ।
ସୁଧାଦେବୀଙ୍କର କଣ ହୋଇଗଲା ସେହି ମୁହୂର୍ତ୍ତରେ ସେ ଜାଣନ୍ତି ନାହିଁ,ତାଙ୍କ ଦେହ ଭିତର ଦେଇ ଗୋଟାଏ ଅନନୁଭୂତ,ଅପୂର୍ବ ଉଲ୍ଲାସର ଜଡ଼ିତ ପ୍ରବାହ ସଞ୍ଚରିଗଲା।କେତୋଟି ସେକେଣ୍ଡ ପାଇଁ ସେ ସୁଧାଂଶୁଭାଇଙ୍କ ଦେହକୁ ଆଉଜି ନିଶ୍ଚଳ ନିଶ୍ଚେତ ହୋଇ ରହି ଯାଇଥିଲେ।ତା ପରେ ସେ ତାଙ୍କ ପାଖରୁ ଦଉଡ଼ି ପଳାଇ ଆସିଥିଲେ ଏବଂ ଫ୍ରକ୍ରେ ଗାଲକୁ ପୋଛୁ ପୋଛୁ କହିଲେ‘ବଜାରୀ’।
ସୁଧାଂଶୁଭାଇଙ୍କର ମୁହଁ ଭୟରେ କଳାକାଠ ପଡ଼ି ଯାଇଥିଲା।ସେ ଥରିଲା କଣ୍ଠରେ ଚୁପ୍ଚାପ୍ କରି କହିଲେ,ମୋର ଭୁଲ ହୋଇଗଲା କାହାକୁ କହିବୁ ନାହିଁ।
‘କହିବି ନିଶ୍ଚୟ କହିବି।’କହି ସେ ଦଉଡ଼ି ପଳାଇଥିଲେ।ପୁଣି କିଛି ସମୟପରେ ସେ ସୁଧାଂଶୁଭାଇଙ୍କ ପାଖକୁ ଯାଇଥିଲେ।ସେତେବେଳେ ମଧ୍ୟ ଆଖ ପାଖରେ କେହି ନଥିଲେ।ସେ ଏକା ବସିଥିଲେ ଅବସନ୍ନ ହୋଇ।ସେ ନିଶ୍ଚୟ ବହୁତ ଡରି ଯାଇଥିଲେ।ତଥାପି ସେ କହିଲେ,‘ଏ ସୁଧା ଶୁଣିଯା।’ସେ ଚାହୁଁଥିଲେ ତାଙ୍କୁ ଫୁସୁଲେଇବେ ସେ ଯେପରି କାହାକୁ ସେ କଥା ନ କହନ୍ତି।
‘ମୁଁ ଯିବି ନି’କହି ମଧ୍ୟ ସେ ଧୀରେ ଧୀରେ ତାଙ୍କ ପାଖ ପର୍ଯ୍ୟନ୍ତ ଯାଇଥିଲେ।ଇଚ୍ଛା କରିଥିଲେ ସୁଧାଂଶୁଭାଇ ପୁଣି ତାଙ୍କୁ ଧରନ୍ତୁ ଏବଂ ପୁଣି ପୁଣି ଏବଂ ବହୁବାର ସେହି ଅନନ୍ୟସ୍ବାଦ,ନିବିଡ଼ ଅଧର ସ୍ପର୍ଶ ତାଙ୍କୁ ଦିଅନ୍ତୁ।ତାଙ୍କୁ ଛାତି ଉପରେ ଭିଡ଼ି ଧରନ୍ତୁ-ଯେମିତି ସେ ଦେଖିଥିଲେ ନୂଆ ବୋଉଙ୍କୁ ଭାଇ ଭିଡ଼ି ଧରିଥିଲେ।ସେ ତାଙ୍କୁ ଧରିବାକୁ ଟିକିଏ ବି ଚେଷ୍ଟା କରି ନଥିଲେ।ବରଂ କହିଥିଲେ ଚୁପ୍କରି,‘କାହାକୁ କହିବୁ ନାହିଁ।’
ତାଙ୍କୁ ମିଛରେ ଡରାଇବାକୁ ସେ କହିଲେ,‘କହିବି,ନିଶ୍ଚୟ କହିବି।’
ସେତିକିବେଳେ ସେ ଆଡ଼କୁ ଆଉ କେହି ଆସୁଥିବାର ଦେଖାଗଲା।ସେ ତେଣୁ ଚାଲି ଆସିଲେ।
ତା ପରଦିନ ସୁଧାଂଶୁଭାଇ ତାଙ୍କ ଗାଁକୁ ଫେରିଗଲେ।ହଠାତ୍ ଯିବାକଥା ଠିକ୍ କଲେ-ବୋଧହୁଏ ଭୟରେ।ତା ପରେ ତାଙ୍କ ସହିତ ଆଉ କେବେ ଦେଖା ହୋଇ ନାହିଁ।
ସବୁ କଥା ଗୋଟି ଗୋଟି କରି କେମିତି ମନେପଡ଼ିଲା ଭାବି ଆଶ୍ଚର୍ଯ୍ୟ ହେଲେ ସୁଧା ଦେବୀ।ସେ ଉଠିଯାଇ ଡ୍ରେସିଂ ଟେବୁଲ୍ ସମ୍ମୁଖରେ ଠିଆ ହେଲେ ଏବଂ ତାଙ୍କ ଗାଲରେ ହାତ ମାରିଲେ।ଦର୍ପଣରେ ଦେଖିଲେ ଗାଲରେ କିଛି ଚିହ୍ନ ନାହିଁ। ୪୦ ବର୍ଷ ପାର ହେବା ପରେ ବି ତାଙ୍କ ଦେହରେ ୩୦ ବର୍ଷର ଲାବଣ୍ୟ ଅଛି ବୋଲି ତାଙ୍କର ସ୍ବାମୀ ଓ ସ୍ବାମୀଙ୍କର ବନ୍ଧୁମାନେ କହନ୍ତି।ସେ ଦର୍ପଣରେ ନିଜର ସେଇ ସୌନ୍ଦର୍ଯ୍ୟଙ୍କୁ ନିରୀକ୍ଷଣ କରି ଖୁସୀ ହେଲେ ଏବଂ ବ୍ରାକୁ ଟିକିଏ ସଜାଡ଼ି ଦେଲେ।
ଦର୍ପଣ ପାଖରୁ ଆସିବା ବେଳେ ସେ ମନକୁ ମନ କହିଲେ,ସୁଧାଂଶୁ ଭାଇଟା ବଡ଼ ନିର୍ବୋଧ ଥିଲେ,ବଡ଼ ଡରକୁଳା ଥିଲେ।ଏବେ କେମିତି ଅଛନ୍ତି କେଜାଣି!ସେ ବୋଧହୁଏ ଅତି ନୀରବରେ ନିଜକୁ ନିଜେ କହିଲେ,‘ମୁଁ ତାଙ୍କ ଭୟ ଛଡ଼େଇ ଦେବି ନି।ପୁରୁଷ ପଣରେ ଭୟ କଣ?’
ସେ ଭାବିଲେ ଦେଖାହେଲା ମାତ୍ରେ ସେ ତାଙ୍କୁ କହିବେ“କେମିତି ଅଛନ୍ତି ବରଗଛ ବାବୁ।”
ସୁଧାଂଶୁଭାଇ ସେତିକି କଥାରେ ନିଶ୍ଚୟ ତାଙ୍କୁ ଚିହ୍ନି ପକାଇବେ।ଏବଂ କହିବେ,‘କିରେ କନିଅର ଫୁଲ,କେମିତି ଅଛୁ?