ମୁଁ ତୁମର ଦେବାଳୟ,ମୋ ଅନ୍ତରେ ତୁମର ଅର୍ଚ୍ଚନା
ହେଉଅଛି ଅବିରତ ନାନାଭାବେ ଷୋଡ଼ଶ ସମ୍ଭାରେ
ହୃଦୟର ଯେତେ ପ୍ରୀତି,ଅନୁରାଗ ,ଆଶା ଓ କାମନା,
ସକଳ ନୈବେଦ୍ୟ ହୋଇ ଅରପିତ ତୁମଠାରେ।
ବିନ୍ଦୁଏ କରୁଣା ତବ, କଣିକାଏ ତୁମର କଲ୍ୟାଣ
ନିବିଡ଼ ପୀରତି ରୂପେ ମୋ ହୃଦୟେ ଆସିବାକୁ ଝରି,
ଏକାନ୍ତ ପ୍ରାର୍ଥନା ମମ, ଆଗୋ ଦେବୀ, ମୁଁ ପ୍ରତୀକ୍ଷମାଣ
ତାହାପାଇଁ ମୁଗ୍ଧ ମନେ ପୂର୍ଣ୍ଣ ଆତ୍ମ-ନିବେଦନ କରି।
ତୁମେ ମୋ ସମାଧି-ପୀଠ, ତୁମେ ମୋର ଜୀବନ୍ତ କବର
ଗାତ୍ରେ ଯା ଖୋଦିତ ଅଛି ପ୍ରଣୟରେ ହୋଇ ପ୍ରବଞ୍ଚିତ
ବିଳପି ବିଳପି ହେଲା ଅପମୃତ୍ୟୁ;ଅଶାନ୍ତ ଅନ୍ତର
ପ୍ରଣୟେ ନିର୍ବାଣ ଖୋଜି ଏବେ ମଧ୍ୟ ହେଉଛି ପୀଡ଼ିତ।
ସମାଧି ଓ ଦେବାଳୟ ଭାଙ୍ଗି ଦିନେ ହୋଇଯିବ ଧୂଳି,
ଆମ ପ୍ରେମ ପ୍ରବଞ୍ଚନା ସେତେବେଳେ ଯିବା କି’ଗୋ ଭୁଲି!