କବି ମରିଗଲେ,
ତାଙ୍କର ମୃତ୍ୟୁର ଦିନ,ତାରିଖ ବା ସମୟ
ମୁଁ ଜାଣେନା।
କେହି ବି ଜାଣନ୍ତି ନାହିଁ ସସେ କଥା।
ଅତି ଅନ୍ତରଙ୍ଗ ହୋଇ ମଧ୍ୟ
ମୁଁ ବି ଜାଣେନା ତାଙ୍କ ଜନ୍ମତିଥି।
କବି ମରିଗଲେ,
କିପରି ମଲେ କିଏ କହିବ ସେ କଥା।
ମୁଁ ଖୋଜିବା ବେଳକୁ ଆଉ ସେ ନାହାନ୍ତି।
ମନେ ପଡ଼ୁଚି।
ତାଙ୍କୁ ଦେଖିଥିଲି ଅନେକଦିନ ଆଗେ,
ଆଖିର ଦୀପ୍ତି ତାଙ୍କର ହୋଇ ଯାଇଥିଲା ମ୍ଳାନ,
ଭଟ୍ଟା ପଡ଼ିଥିଲା ତାଙ୍କର କଥାରେ
ଏବଂ ସେ ଦେଖାଯାଉଥିଲେ ବହୁତ ଶୀର୍ଣ୍ଣ ଓ ଉଦାସ।
କିନ୍ତୁ ତାଙ୍କର ଭଲମନ୍ଦ ପଚାରି ବୁଝିବା ପାଇଁ
ସମୟ ନଥିଲା ମୋ ହାତରେ।
ଆପଣମାନେ ତ ଜାଣନ୍ତି
ମୋର କେତେ କାମ,କେତେ ଦାୟିତ୍ବ!
ଅଫିସ୍ରେ ଘଣ୍ଟାଏ ନ ରହିଲେ
ଆମ ହାକିମଙ୍କ ହାତ ଅଚଳ;
ଫାଇଲ ଉପରେ ଫାଇଲ;
ଟେଲିଫୋନ୍ ଉପରେ ଟେଲିଫୋନ୍
ସକାଳ ସାତରୁ ରାତି ନଅ।
ଘରେ ପୁଣି ଅନେକ ଜଂଜାଳ
ପୁଅର ପାଠପଢ଼ା,
ଝିଅର ବାହାଘର,
ସ୍ତ୍ରୀଙ୍କର ଅଭିମାନ
ଏବଂ ମୋର ପେଟରୋଗ।
କବି ମରିଗଲେ,
ସେଥିପାଇଁ ଅବଶ୍ୟ କାହାର କିଛି କ୍ଷତି ହେଲା ନାହିଁ,
ଏବଂ ହେବନାହିଁ ମଧ୍ୟ।
ମୋର ପଦୋନ୍ନତି ତ ନିଶ୍ଚୟ ହେବ,
ମୋ ଘରର ଦୋମହଲା ତିଆରି ଶେଷପ୍ରାୟ,
ଝିଅ ବାହାଘର ପାଇଁ ନିର୍ବନ୍ଧ ହୋଇ ଯାଇଛି-
ଯାହା ହେବ ବା ଯାହା ହେବନାହିଁ
ତାହା ସହିତ କବିଙ୍କର,
ବଞ୍ଚିବା ମରିବାର କିଛି ସମ୍ପର୍କ ନାହିଁ।
ତଥାପି ତାଙ୍କ ପାଇଁ ମୋ ମନରେ
ଆଜି ବହୁତ ଦୁଃଖ ଆସୁଛି।
କବି ଆଉ ମୁଁ,
ଆମେ ଦୁହେଁ ଥିଲୁ ଏପରି ଅନ୍ତରଙ୍ଗ ଯେ
ଆମ ଭିତରେ ପାଣି ଗଳୁ ନଥଲା।
ସତେ ଯେପରି ଆମେ ଗୋଟିଏ ମଣିଷ,
ମୋ ଅଖିରେ ସେ ଦେଖୁଥିଲେ ତ
ତାଙ୍କ ମୁହଁରେ ମୁଁ କଥା କହୁଥିଲି।
ତାଙ୍କର ନାମ ଥିଲା
ଭାବର ଅଠାକାଠିରେ ଶବ୍ଦର ପକ୍ଷୀମାନଙ୍କୁ ଧରିବା,
ଏବଂ ବହୁ ପ୍ରକାର ପକ୍ଷୀଙ୍କର କୂଜନକୁ ମିଶାଇ
ତିଆରି କରିବା ନୂତନ ସ୍ବରଲିପି।
ତାଙ୍କର କାମ ଥିଲା
ଫୁଲର ରଂଗ ସହିତ ନଦୀର କୁଳୁକୁଳୁକୁ ମିଶାଇ
ଚିତ୍ର ଆଙ୍କିବା।
ତାଙ୍କର କାମ ଥିଲା
ପ୍ରେମିକାମାନଙ୍କୁ ନାୟିକା କରି ନଚେଇବା
ଏବଂ ନାୟିକାମାନଙ୍କୁ ପ୍ରେମିକା କରି ଲୁଚେଇବା,
ଏବଂ ତାଙ୍କର ବଡ଼କାମ ଥିଲା
କିଛି ନ କରିବା ଭିତରେ ସବୁ କରିବା,
ଏବଂ ସବୁ କରିବା ଭିତରେ କିଛି ନ କରିବା।
ମୁଁ ଚାକିରୀ କଲି
ବାହାହେଲି, ଘରଦ୍ବାର କଲି
ତାହା ଭିତରେ କବିଙ୍କ ସହିତ
ଯୋଗସୂତ୍ରଟି ଶିଥିଳ ହୋଇଗଲା
ଏବଂ କେତେବେଳେ ଚ୍ଛିନ୍ନ ବି ହୋଇଗଲା।
ବିଚାରା କବି!
ନିତାନ୍ତ ଏକାକୀ ହୋଇ ପଡ଼ିଥିଲେ ନିଶ୍ଚୟ,
ମୋ ଉପରେ ସେ କେତେ ଯେ ନିର୍ଭର କରୁଥିଲେ
ମୁଁ ପୁରାପୁରି ଭୁଲିଗଲି
ମୋରି ଆଢ଼ୁଆଳରେ ରହି ସେ ବଢ଼ୁଥିଲେ।
ଏତେ ଲାଜକୁଳା ଯେ
ଆଉ କେହି ତାଙ୍କ ମୁହଁ ଦେଖିଚି ବି ନାହିଁ ସନ୍ଦେହ।
ଅଥଚ ମୁଁ ତାଙ୍କୁ-ପ୍ରତାରଣା କରି ଦେଲି।
‘ଜାତସ୍ୟ ହି ଧ୍ରୁବ ମୃତ୍ୟୁ’-
ଏକଥା କହି ମୁଁ କଣ ନିଜକୁ ସାନ୍ତ୍ବନା ଦେଇପାରେ?
କବି ମରିଗଲେ,
ସେ ଥିଲେ ମୋର ଆତ୍ମା
ଏବଂ ମୁଁ ଥିଲି ତାଙ୍କର ଦେହ।
ଦେହ ବିନା ଆତ୍ମା
ଏବଂ ଆତ୍ମାବିନା ଦେହର କି ସାର୍ଥକତା
ଆଉକଣ କବିଙ୍କ ସହିତ ଦେଖାହେବ?
ତାଙ୍କ ସହିତ ଅନ୍ତରଂଗ ବନ୍ଧୁତା ହେବ?
ପୁଣି ଦେଖାହେଲେ
କବି କଣ ମୋ ପ୍ରତି ବିମୁଖ ହେବେ?
କ୍ଷମା ଦେବେ ନାହିଁ ମୋର ସ୍ବାର୍ଥପରତାକୁ,
ଭୂଲିଯିବେ ନାହିଁ ମୋର ନିଷ୍ଠୁରତାକୁ?
ସତେ କଣ ଆଉ
ଦେହ ଓ ଆତ୍ମାର ପୁନର୍ମିଳନ ହେବ?
ଏଇ ପୃଥିବୀରେ
ଏଇ ମର ଦେହରେ
ଆର ଜନ୍ମରେ!