-ଏକ-
ହେ ମୋର ବ୍ୟଥାର ବଧୂ, ମୋ ପ୍ରାଣର ପରମ ସଙ୍ଗିନୀ
ହୃଦୟ ନିଭୃତ ନୀଡ଼ ନିତ୍ୟ ବିହାରିଣୀ,
ମୁଁ ତୁମର ପ୍ରିୟତମ ଫେରି ଅଛି ଆଜି ତୁମ ପାଶେ
ସୁଖର ବାଣିଜ୍ୟେ ସହି ଅକଳନ କ୍ଷତି
ସୁଦୂର ପ୍ରବାସେ।
ଜୀବନର ବିପ୍ପଣୀରେ ଅକୁଣ୍ଠେ ମୁଁ କରି ସବୁ ଦାନ
କେବଳ ଖୋଜିଲି ସୁଖ
ମଣି ତାହା ଅତି ମୂଲ୍ୟବାନ୍।
ରତ୍ନ ବୋଲି ଯତ୍ନେ ଯାହା ତୋଳି ନେଲି ହାତେ,
ହିମ ଯଥା ଦୂରହୁଏ ରବିରଶ୍ମିପାତେ
ସେହିପରି
ସେ ସୁଖର ମଣି ଗଲା ମୁହୂର୍ତ୍ତକେ ହସ୍ତୁ ଅପସରି।
ସକଳ ହରାଇ ଶେଷେ ହୋଇଅଛି ମୁହିଁ ନିଃସ୍ବତମ
ତୁମ ପ୍ରିୟତମ।
-ଦୁଇ-
ହେ ବଧୂ ବାନ୍ଧବୀ ମୋର
ହୃଦୟର ନିଭୃତ ନିଳୟେ
ତୁମରେ ନିଃସଙ୍ଗ ତେଜି ଘୂରିଚି ମୁଁ,ସୁଖର ପ୍ରଣୟେ
ଆସକ୍ତ ଆବିଷ୍ଟ ହୋଇ ତୁମଙ୍କୁ ମୁଁ କରିଅଛି ଦୂର,
ସୁଖର ରୂପସୀ ଲାଗି ସଜାଇଚି ପ୍ରାଣ-ଅନ୍ତଃପୁର,
ଚପଳ ସ୍ମୃତିରେ ତାର ହୋଇଚି ମୋ ତନୁ ରୋମାଞ୍ଚିତ
ନୟନ କଟାକ୍ଷେ ତାର ମୋ ହୃଦୟ ମନ ହୋଇଚି ସ୍ପନ୍ଦିତ।
ଲୁବ୍ଧ ମୁଁ ତାହାର ଦେହ ହ୍ରଦେ କରି ଆତ୍ମ ନିମଗନ
ଖୋଜିଚି ଆକାଶପଦ୍ମ-
ହାୟ ସବୁ ଶୂନ୍ୟ,ଅକାରଣ।
ବନ୍ଧୁ ତାର ଫିଙ୍ଗିମତେ ଆରେକ ନିଳୟେ
ମୁଁ ତାକୁ ଦେଖିଚି ଲଗ୍ନା ଆନବକ୍ଷ ପଟେ,
ନୂତନ ପ୍ରଣୟେ।
-ତିନି-
ହେ ମୋର ବ୍ୟଥାର ବଧୂ,
ତୁମଙ୍କୁ ମୁଁ କରିଅଛି ଦୂର,
ତୁମଙ୍କୁ ମଣିଚି ତିକ୍ତ
ଖୋଜିଅଛି ସୁଖ ସୁମଧୁର।
ତୁମଙ୍କୁ ମଣିଚି ମୁହିଁ ରୂପହୀନା,ଖୋଜିଚି ସୁନ୍ଦରେ
ଛଳନାର ରୂପସଜ୍ଜା ତଳେ।
ମୁଁ ତୁମଙ୍କୁ ଦେଇନାହିଁ ସ୍ନେହ ଅବା କରିଚି ସ୍ବୀକାର
ତୁମେ ଆପଣାର।
ତୁମକୁ କରିଚି ଘୃଣା,ଅନାଦର,ଆଉ ଅତି ଭୟ,
ତଥାପି ରହିଚ ତମେ ଏକାକିନୀ ଭରି ମୋ ହୃଦୟ।
ବିରାଟ ପରିଧି ଟାଣି ଯେତେ ବୃତ୍ତ କରିଚି ରଚନା,
ସକଳର କେନ୍ଦ୍ର ତୁମେ, ସବୁ କ୍ଷେତ୍ରେ ତୁମରି ସୂଚନା।
ସବୁ କ୍ଷେତ୍ରେ ଶ୍ରୁତି ମୋର ଅଛି ସ୍ପର୍ଶ କରି
ସୋହାଗିନୀ ବାଣୀ ଗୋ ତୁମରି।
ଅଶ୍ରୁରେ ଧୋଇଚି ଆଖି, ହୋଇ ନାହିଁ ଦୂର ମାୟାଞ୍ଜନ,
କରିଚି ମୁଁ ତୁମଠାରୁ ଦୂରେ ପଳାୟନ।
କ୍ଷୀପ୍ର ପଦ ତୋଳି ପୁଣି;
ହୃଦୟର ଏକ କୋଣେ ଏକାକିନୀ ଏକାଗ୍ର ମାନସେ
ଉପେକ୍ଷିତା ତୁମେ ମତେ ଅପେକ୍ଷିତ ନିଶି ଓ ଦିବସେ।
-ଚାରି-
ହେ ମୋର ବ୍ୟଥାର ବଧୂ
ତୁମ ପାଶେ ଆସିଚି,ମୁଁ ଫେରି
ବଦନୁ ଉତ୍ତରୀ ତୋଳି ହୁଏ ଆଜି ବିସ୍ମିତ ମୁଁ ହେରି
ତୁମର ଅଜସ୍ର ଶୋଭା
ଅବିମିଶ୍ର ଆଉ ଅନୁପମ,
ରୂପର କାମନା ମୋର ହୋଇଅଛି ସାର୍ଥକ ପରମ।
ତୁମ ମଧ୍ୟେ ଅନୁଭବେ ସୃଷ୍ଟି ,ସ୍ଥିତି, ପ୍ରକାଶ ମୋହର
ତୁମ ମଧ୍ୟେ ଆଜି ମୁହିଁ ଫେରିଯାଏ ଆପଣାକୁ
ସମ୍ପୂର୍ଣ୍ଣ ସୁନ୍ଦର।
ରାତ୍ରିର ତମସା ତଳେ ଛଳନାର ରୂପସଜ୍ଜା ଦେଖି
ହୋଇଥିଲି ମୁଗ୍ଧ ମୁହିଁ-
ଚେତନା ଉପେକ୍ଷି।
ଆଜି ଦେଖେ ଅଗ୍ନିସମ ଶୁଚିମତୀ ତୁମ ରୂପଶିଖା
ଢ଼ାଳଇ ଅପୂର୍ବ ଜ୍ୟୋତି ନାଶି ଅନ୍ଧକାର
ଆଗୋ ମୋର ବଧୂ ଓ ପ୍ରେମିକା।