ଛୋଟ ଘରଟିର
ଗୋଟିଏ ପାଖ ଝରକା ଖୋଲିଦେଲେ
ଦେଖାଯାଏ ନୀଳାଭ ଆକାଶ,
ସେପାଖ ଝରକା ଖୋଲିଦେଲେ
ଦେଖାଯାଏ ନୀଳକାନ୍ତ ସମୁଦ୍ର।
ଦୁଆର ଖୋଲିଦେଲେ
ଦେଖାଯାଏ ଶ୍ୟାମ ସବୁଜ ପୃଥିବୀ
ସେଇ ଘର ଭିତରେ
ମୁଁ ହୋଇଯାଏ ସାରା ମୁଲକର ବାଦଶାହ,
ସାରା ଭୁଖଣ୍ଡରେ ସମ୍ରାଟ।
ଚାହିଁବା ମାତ୍ରେଇ ମତେ ମିଳିଯାଏ
ମୋର ସମସ୍ତ ଇପ୍ସିତ ବସ୍ତୁ
ମୁଣ୍ଡ ନୁଆଁଇ ମତେ କୁର୍ଣ୍ଣିସ୍ କରୁଥାନ୍ତି
ଅସଂଖ୍ୟ ଗୋଲାମ;
ଏବଂ ମୁଁ ଦେଖିଥିବା ସବୁ ସୁନ୍ଦରୀମାନେ
ଉଭା ହୋଇଥାନ୍ତି ମୋର ପରିଚର୍ଯ୍ୟା ଲାଗି,
ସମର୍ପି ଦିଅନ୍ତି ମୋର ମନୋରଞ୍ଜନ ଲାଗି,
ତାଙ୍କର ସବୁ ଗୋପନ ସମ୍ପଦ।
ସେଇ ଘର ଭିତରେ
ମୁଁ ହୋଇଯାଏ ଆଦି ଅନ୍ତହୀନ ଈଶ୍ବର
ସର୍ବ ଶକ୍ତିମାନ ଈଶ୍ବର।
ସେଇଠି ମୁଁ ସୃଷ୍ଟିକରେ
ନୂଆ ନୂଆ ପୃଥିବୀ,
ଅସଂଖ୍ୟ ଚରିତ୍ରର,ଅସଂଖ୍ୟ ଚେହେରାର
ପୁରୁଷ ଓ ନାରୀ।
ମୁଁ ସେଇଠି ବସି ଲେଖେ
ସେମାନଙ୍କର ଭାଗ୍ୟ ଲିପି।
ସେମାନଙ୍କ ଭିତରେ ବାଣ୍ଟିଦିଏ
ଅନେକ ସୁଖ ଦୁଃଖ,
ସେମାନଙ୍କୁ ମୁଁ ଜୀବନ ଦିଏ,ମୃତ୍ୟୁ ଦିଏ,
ପୁନର୍ଜନ୍ମ ବି ଦିଏ।
ସେମାନେ ମୋ ଭିତରୁ ବାହାରି,
ମୋ ଭିତରେ ମିଶିଯାନ୍ତି,
ମୁଁ ସେମାନଙ୍କୁ ମୁକ୍ତି ଦିଏ, ମୋକ୍ଷ ଦିଏ,
ଦିଏ ନିର୍ବାଣ।
ସେଇ ଘର ଭିତରେ
ମୁଁ ହେଉଚି ଏକ ଯାଦୁକର।
ମୋର କାଉଁରୀକାଠିରେ ଛୁଇଁଦେଲେ
ସବୁ ଅଜବ ଘଟଣା ଘଟିଯାଏ ସେଇଠି।
କେତେ କେତେ ଉଦ୍ଧତ ଅହଂକାରୀ ପୁରୁଷ,
ମେଣ୍ଢା ହୋଇଯାଆନ୍ତି ମୁହୂର୍ତ୍ତକ ଭିତରେ।
ଦିନ ହୋଇଯାଏ ରାତି,
ଏବଂ ରାତି ହୋଇଯାଏ ଦିନ।
କାଉଁରୀକାଠି ବୁଲାଇ ଦେଲେ
ଫୁଟି ଉଠନ୍ତି
ସବୁ ଦେଶର ଫୁଲ,
ସବୁ ଋତୁର ଫୁଲ।
କାଉଁରୀକାଠିରେ ଛୁଇଁଦେଲେ
ମାଟି ହୋଇଯାଏ ସୁନା,
ମଲା ମଣିଷ ଜୀଇଁ ଉଠେ,
ଏବଂ ଫୁଲମାନେ ଉଡ଼ିଯାଆନ୍ତି ଆକାଶକୁ
ବହୁ ରଙ୍ଗର ପକ୍ଷୀ ହୋଇ।
ମୋର ସେଇ ଛୋଟ ଘରଟି
ମୁଁ ଚାହିଁଲେଇ ପ୍ରସାରିତ ହୋଇଯାଏ,
ଗ୍ରାମରୁ ସହରକୁ
ସହରରୁ ନଗରକୁ ଓ ଦେଶରୁ ବିଦେଶକୁ।
ବିସ୍ତାରିତ ହୋଇଯାଏ
ପୃଥିବୀରୁ ଆକାଶକୁ
ପୁଣି ଆକାଶରୁ ସାଗରକୁ।
ସେଇ ଘର ଭିତରେ
ମୁଁ କେତେବେଳେ ପକ୍ବକେଶ ବୃଦ୍ଧଟିଏ ହୋଇ
ଆରାମ ଚଉକିରେ ବସିରହି
ରୋମନ୍ଥନ କରେ ମୋର ଅତୀତକୁ।
କେତେବେଳେ କୁନିଝିଅଟିଏ ହୋଇ
ମୋ କଣ୍ଢେଇ ସାଙ୍ଗରେ ଦୁଃଖସୁଖ ହୁଏ।
କିମ୍ବା ସାଧ୍ବୀ କୂଳବଧୁଟିଏ ସାଜି
ଚୁଲି ମୁଣ୍ଡରେ ବସି ଚିନ୍ତା କରୁଥାଏ
ପର ପୁରୁଷକୁ।
ନହେଲେ କ୍ରୋଧରେ ବହ୍ନିମାନ୍ ହୋଇ
ଚାହେଁ ଭାଙ୍ଗିଦେବାକୁ ସମାଜର ନୀତି ନିୟମକୁ,
ଦୁଃଖ ଦାରିଦ୍ର୍ୟରେ ସଢ଼ିଯାଇ ଅଶ୍ରୁ ଝରାଏ,
କିମ୍ବା ମୋ ପାପର ଅନୁଶୋଚନାରେ
ତିଳ ତିଳ ଦଗ୍ଧହୁଏ।
ବେଳେ ବେଳେ ବିବିକ୍ତ ସନ୍ନ୍ୟାସୀଟିଏ ହୋଇ
ବସିଯାଏ ନୀରବ ଧ୍ୟାନରେ,
ଗହନ ବନର ଗଭୀର ଗୁମ୍ଫା ଭିତରେ।
ସେଇ ଘର ଭିତରେ
ମୁଁ ଚାହିଁଲେ ହିଁ ଋତୁ ବଦଳିଯାଏ,
ବଦଳିଯାଏ ସମୟ।
ଅତୀତ ହୋଇଯାଏ ବର୍ତ୍ତମାନ,
ଭବିଷ୍ୟତ ହୋଇଯାଏ ଅତୀତ,
ବର୍ତ୍ତମାନ ରହିଯାଏ
ଅନାଗତ ଭବିଷ୍ୟତର ଗର୍ଭରେ।
ମୋର ସେଇ ଛୋଟ ଘରଟି
ମାଆର ଉଷୁମ କୋଳପରି ନିରାପଦ
ମଥା ରଖିଲେ ଆଖିପତା ମୁଦି ହୋଇଯାଏ
ନିଶ୍ଚିନ୍ତ ନିଦରେ।
ପ୍ରିୟାର ବନ୍ଧୁର ବୁକୁପରି କୋମଳ-
ମଥା ରଖିଲେ ସବୁକିଛି ପାଇବାର
ସୁଖ ମିଳିଯାଏ।
ସେଇ ଘର ପୁଣି ମନେହୁଏ
ଦେବୀର ପାଦପଦ୍ମରେ
ଯେଉଁଠି ମଥା ରଖିଲେ ଆସେ
ଶୂନ୍ୟତା ଭିତରେ ପୂର୍ଣ୍ଣତାର ଅନୁଭବ।
ନୀଡ଼ ଭିତରୁ ପକ୍ଷୀ ଶାବକଟିଏ ପରି
ସେଇ ଘର ଭିତରୁ ମୁଁ ଦେଖେ
ନିତି ଦେଖା ଅଥଚ ଅଦେଖା ପୃଥିବୀକୁ,
ବିରାଟ ବିଶ୍ବକୁ।
ମୋ ଭିତରେ ମୁଁ
ଏକ ଭିନ୍ନ ମଣିଷ
ଯାହାର ନିର୍ଦ୍ଦିଷ୍ଟ କାଳ ନାହିଁ
ନିଶ୍ଚିତ ପରିଚୟ ନାହିଁ
ନିଜସ୍ବ ଠିକଣା ନାହିଁ।
ମୋ ପାଇଁ ମଧ୍ୟ ମୁଁ ସେଇଠି
ଅଜ୍ଞେୟ, ଅବୋଧ୍ୟ ଓ ଅଭାବନୀୟ।