ଦେଖାହୁଏ ସେଇ ଚାରୁ କିଶୋରୀଟି
ସାଥେ ମୋର ନିତି ଯିବାପଥେ
କମନୀୟ ଓଠେ ଫୁଟାଇ ହାସ୍ୟ
ପଳାଏ ସେ ଲାଜେ ଦେଖିମତେ
ଚାରୁ ଚିତ୍ରିତ କଳା ଫ୍ରକ୍ଟି ତା
କନକ ତନୁକୁ ଭାରୀ ମାନେ,
ଲମ୍ବିତ ଦୁଇ ଖଣ୍ଡିତ ବେଣୀ
କଳାନାଗ ଭୟ ମନେ ଆଣେ।
ମଧୁର ଶୋଭାର ଆଭା ଉକୁଟାଏ
ତା’ଆଖି କଜଳ କଳା ଗାର
ଶୁଭ୍ର ସକାଳ ଖରା ପରି ତାର
ନାଲି ଓଠ ପରେ ହସଧାର।
ଦେଖିବାକୁ ତାକୁ ମନହୁଏ ମୋର
ଯାଏ ତେଣୁ ନିତି ସେଇ ପଥେ
କମନୀୟ ଓଠେ ଫୁଟାଇ ହାସ୍ୟ
ପଳାଏ ସେ ଲାଜେ ଦେଖି ମତେ।
କ୍ଲାନ୍ତ ଗୋଟିଏ ପ୍ରଦୋଷେ ସେ ଥରେ
ଠିଆ ହୋଇଥିଲା ଏକାକିନୀ,
ପାଶେ ଯାଇ ତାର ପଚାରିଲି “ଆଗୋ
କହିବ କି ତୁମେ କି ନାମିନୀ?
ଛଳ ରାଗେ ମତେ କହିଲା ତମର
ମୋ ନାମେ କଅଣ ଦରକାର,
ତମୁକୁ ତ ଦିନେ ପଚାରିଲି ମୁଁ ତ
ତମ ନାମ କ’ଣ?”କହୁ ତାର-
ଗୁରୁ ଲାଜ ଭାରେ କାନ୍ତ ଆନନ
ରକ୍ତିମ ରାଗେ ହେଲା ଛାଇ।
କହିଲି ତମୁକୁ ନାଆଁ ପଚାରୁଚି
ମୁଁ ପରା ଯେ ବାହା ହେବା ପାଇଁ।
ମନକୁ ଆସୁନି?କହିଲା ତୁରିତେ
“କେତେ ବଦମାସ୍ ତମେ ସତେ।”
କମନୀୟ ଓଠେ ଫୁଟାଇ ହାସ୍ୟ
ପଳାଇଲା ସିଏ ଚାହିଁ ମତେ।
ଯାଉଥିଲି ଦିନେ ବନ୍ଧୁ ଗହଣେ
ସେଇ ପଥେ ଆନ ପ୍ରଦୋଷରେ,
ଠିଆ ହୋଇଥିଲା ଏକାକିନୀ ସିଏ
କରଟିଏ ଥାପି କଟୀପରେ,
ମତେ ଦେଖି ଖରେ ବୁଲାଇଲା ମୁଖ
କହିଲି ମୁଁ ଶୁଣାଇବା ପରି,
“ଏକ ରାଇଜରେ ଝିଅଟିଏ ଥିଲା
ଝିଅ ନୁହେଁ ସେତ ଜଳପରି
ତା ନାମ ଜାଣିନି ଠିଆ ହୋଇଥାଏ
ନିତି ରାଜା ପୁଅ ଯିବା ପଥେ-”
କମନୀୟ ଓଠେ ଫୁଟାଇ ହାସ୍ୟ
ପଳାଇଲା ସିଏ ଚାହିଁ ମତେ।
ଆଉଦିନେ ଏକ ସଂଗିନୀ ସାଥେ
କରୁଥିଲା ସିଏ ସୁଖାଳାପ,
ମତେ ଦେଖି ହସି ଶୁଣାଇବା ପରି
କହିଲା ଜାଣୁଲୋ ଗୋଲାପ,
ଗୋଟିଏ ରାଇଜେ ପିଲାଟିଏ ଥିଲା
ପିଲା ନୁହେଁ ସେତ ସଇତାନ
ତା’ କଥା ନସରୁ କହିଲି ହସି ମୁଁ
“ଜାଣେ ମୁଁ ତମର ଅଛି ମନ,
ବାହାହେବା ପାଇଁ ସେଇ ପିଲାଟିକୁ
ତା ପାଇଁ ଭାବୁଚ ଦିନରାତି-”
ଲାଜ ଓ ସରମେ ଲୁଚିଗଲା ସିଏ
ସଂଗିନୀ ପଛେ ମଥା ପୋତି।
ବେଣୀ ଦୁଇଟିକୁ ଟାଣିଦେଇ ଧୀରେ
ଧରିଲି ମୁଁ ଚିପି ତାର ହାତ,
ଛାଡ଼ ଛାଡ଼ ବୋଲି କହିଲା, କହିଲି
“ସ୍ଥିର ଏବେ ବାହା କଥାଟା ତ!”
ସେଇ କିଶୋରୀଟି ଭଲ ଲାଗେ ବୋଲି
ନିତିଯାଏ ମୁହିଁ ସେଇପଥେ,
କମନୀୟ ଓଠେ ଫୁଟାଇ ହାସ୍ୟ
ସେ କି ସେଠିଥାଏ ଚାହିଁ ମତେ?
୧୧.୭.୫୩,
ପୁରୀ।