ମୁଁ ଖୋଜୁଚି ଏଇ ନଈ
ସ୍ରୋତ ଯାର ଯାଇଅଛି ବହି,
ସାଗରର ବକ୍ଷ ଚିରି
ଚୂର୍ଣ୍ଣକରି କାରାଗାର ପାହାଡ଼ୀ ଢ଼େଉର,
ବହି ବହି ବହୁଦୂରେ ଯାଇଅଛି ମିଶି
ପର୍ବତ ଗହନ ଗୁମ୍ଫା ଉଜ୍ଜ୍ବଳ ଅନ୍ଧାରେ।
ଆକାଶର ଗୋଲଗାଲ ମୁହଁରେ କିଏ ସେ
ଲଗାଇଲା ଚନ୍ଦ୍ରଟୋପା
ଚାରିପଟେ ଅସଜଡ଼ା ତାରାର ଚନ୍ଦନ-ଚିତା
ତାକୁ ଦେଖି ସାଗର କି କାନ୍ଦୁଅଛି
ମଥାପିଟି ଅସଂଖ୍ୟ ଢ଼େଉରେ!
କି ଅବା ସାଗର ଡକା ପକାଇଛି ରାହାତୋଳି
ସେ ଦୁରନ୍ତ ନଈଟିକୁ ଆସିବାକୁ ଫେରି।
ମୁଁ ଏକ ଖୋଜୁଚି ନଈ
ବର୍ଷା ଦିନେ ଧାର ଯାର
ଶୁଖିଯାଇ ହୁଏ ବାଲିଚର,
ଖର ରୌଦ୍ରେ ତୀର ଲଙ୍ଘି ବନ୍ୟାର ପ୍ଳାବନ ତୋଳି
ଭସାଇ ଯେ ନିଏ ମୋର ଗ୍ରାମ ଓ ସହର,
ମୁଁ ଏକ ଖୋଜୁଚି ନଈ,
ପାନ କଲେ ଯେ ନଈର ଏକ ବିନ୍ଦୁ ଜଳ
ଅସହ୍ୟ ତୃଷ୍ଣାରେ ଖାଲି ଫାଟିଯାଏ ଛାତି
ଲହ ଲହ ଜିହ୍ବାତୋଳି
ଜଳିଉଠେ ପ୍ରଚଣ୍ଡ ଅନଳ।
ମୁଁ ଏକ ଖୋଜୁଚି ନଈ
ସେ ନଈର ସୁଗଭୀର ଶୁଖିଲା ବାଲିରେ
କରିବାକୁ ତୀର୍ଥସ୍ନାନ
ଯୋଗିନୀ ନୈଋତେ ଥିବା ବାରୁଣୀ ବେଳାରେ।