॥ ୧॥
ହେ ଯୌବନ
ଚଞ୍ଚଳ ପଳାୟମାନ ହେ ମୋର ଯୌବନ
ମତେ ଛାଡ଼ି ଯାଅ ନାହିଁ ଦୀନହୀନ କରି
ଆକୁଳ ମିନତି ମୋର
ଏ ଦେହର ନିକେତନ ଭରି
ରହିଯାଅ ଆଉକିଛି କ୍ଷଣ।
ହେ ଯୌବନ,
ହେ ମୋର ଯୌବନ!
॥ ୨ ॥
ହେ ଯୌବନ,
ତୁମେ ଯେବେ ଆସିଥିଲ
ମୋର ଏଇ ଦେହମନ ଭରି
ସୁଗୋପନେ ଧୀରେ ଧୀରେ
ଏକ ଅଭିସାରିକାର ପରି।
ପ୍ରତି ରକ୍ତ କଣିକାରେ ନୀରବେ ସଂଚରି,
ମୋର ପ୍ରାଣ ଚେତନାରେ ତୋଳିଦେଇ ଅନେକ ଉଚ୍ଛ୍ବାସ
ମୋ ମନ ଗହନ ତଳେ ଭରିଦେଇ କଳ୍ପନା-ବିଳାସ
ମତେ କଲ ଜାଗରିତ, ବିକଶିତ
ସ୍ଫୁରିତ,ସ୍ଫନ୍ଦିତ,
ଅକଳନ ଆବେଗରେ ସକଳ ହୃଦୟ ମୋର
ହେଲା ଉଦ୍ଦେଳିତ।
ପୃଥିବୀର ଶ୍ୟାମ ରଙ୍ଗ
ଅନ୍ତରୀକ୍ଷ ନୀଳିମାରେ ଚାହିଁ।
ପ୍ରତେ ହେଲା ଏ ସୃଷ୍ଟିରୁ
ଅପରୂପ ଆଉକିଛି ନାହିଁ,
ପୁଣି ବି ପ୍ରତ୍ୟୟ ହେଲା
ପାରିବି ମୁଁ ଲଙ୍ଘି ମହାକାଶ,
ସାଗରକୁ ଶୂନ୍ୟକରି
କରିଦେବି ପାନ
ଆସିଲା ବିଶ୍ବାସ।
ମନେହେଲା ଅଗ୍ନି ମୋତେ ପାରିବନି ତିଳେ ଦଗ୍ଧକରି,
ମନେହେଲା ମୁକ୍ତ ମୁହିଁ, ପାରିବନି ମୃତ୍ୟୁ ମୋତେ ଧରି,
ମୋ ଭିତରେ ଶାଶ୍ବତ ଓ ଅସୀମକୁ କରି ଅନୁଭବ
ମୋତେ ମୁଗ୍ଧକଲା ମୋର ସୀମାହୀନ ଶକ୍ତିର ଗୌରବ।
ମନେହେଲା ମୁଁ କେବଳ ଚିର ବର୍ତ୍ତମାନ,
ମୋହର ଅତୀତ ନାହିଁ
ଥିଲେ ଖାଲି ଥାଇପାରେ ଭବିଷ୍ୟତ ଉଜ୍ଜ୍ବଳ ମହାନ।
ସଗର୍ବେ ମସ୍ତକ ତୋଳି ଦୃପ୍ତମନେ ଚାଲିଲି ମୁଁ ପଥ
ମନେହେଲା ମୁଁ କେବଳ ଚଳମାନ୍ ଅଗ୍ରଗାମୀ-
ସୃଷ୍ଟି ପ୍ରେରଣାରେ ନବଜାତ ମୁଁ ମନ୍ମଥ।
॥ ୩॥
ହେ ଯୌବନ
ପ୍ରଭାତର ସୂର୍ଯ୍ୟ ସମ ହେ ସୁନ୍ଦର ଆହେ ଦୀପ୍ତିମାନ୍,
ଉଷାର ଆକାଶପରି ମୋ ମନକୁ କରି ରଙ୍ଗାୟିତ
ସଜାଇ ଅସଂଖ୍ୟ ସ୍ବପ୍ନେ, କଲ ତାକୁ ବିହ୍ବଳ ଚକିତ,
ମୋ ମନ କଦମ୍ବତଳେ ବଜାଇଲ ସୁମୋହନ ବେଣୁ
ମୋ ସମସ୍ତ ଚେତନାରେ ଦେଇଗଲ ବୋଳି
ସଜଫୁଟା କେତେ ଫୁଲ ରେଣୁ।
ମୋ ମନେ ଜାଗିଲା ଏକ ନୂତନ କମ୍ପନ
ଘନ ଘନ ନିବିଡ଼ ସ୍ପନ୍ଦନ,
ତନୁରେ ଲାଗିଲା ରଙ୍ଗ
ଚୂତପତ୍ରେ ବସନ୍ତର ସେ କି ଆଲିଙ୍ଗନ!
ଏକ ନବ ଆବେଗରେ ମୁଁ ହେଲି ଅଧୀର
ସେ କି ଯେ ଗଭୀର!
ଅନ୍ତରର ଅନ୍ତଃସ୍ଥଳେ କଲି ଅନୁଭବ
ଅନବଦ୍ୟ ତାର ସ୍ପର୍ଶ-ଅକଳନ ତାହାର ବିଭବ।
ମୁଁ ଦେଖିଲି ଦିନେ ଦିନେ ବସନ୍ତର ଶୋଭା
ପୁଷ୍ପିତ ଫୁଲର ଗନ୍ଧ, ପ୍ରାଣମନ ଲୋଭା,
ଅସଂଖ୍ୟ ଫୁଲର ରଂଗ-ଆଉ ତା ଭିତରେ
ମୁର୍ତ୍ତିମତୀ କଳପନା ସମ ସ୍ନିଗ୍ଧ କାନ୍ତା ଓ ସୁନ୍ଦରୀ
ତାରୁଣ୍ୟରେ ଛଳ ଛଳ
ଉତ୍ତରଳ ଭରା ନଦୀ ପରି
ଅସଂଖ୍ୟ ଅପ୍ସରୀ।
ଆୟତ ଚକ୍ଷୁରେ ତାଙ୍କ
ଭରିଥିଲା ପ୍ରୀତି ନିମନ୍ତ୍ରଣ,
ସ୍ମିତିର ପାଖୁଡ଼ା ତଳେ
ଗୋଲାପର ଆତ୍ମ ନିବେଦନ।
ତାରଣ୍ୟ ଚାହିଁଲା ମୋର ତାରୁଣ୍ୟରେ ମିଶିଯିବା ପାଇଁ
ତାରୁଣ୍ୟ ଚାହିଁଲା ମୋର ତାରୁଣ୍ୟରେ ଭାସିଯିବା ପାଇଁ,
ମିଳନ ମଧୁର ସ୍ବପ୍ନେ, ମୁଁ ହୋଇ ଉନ୍ମତ୍ତ
ସେ ପଥେ ଯେତେ ଯା ବାଧା କଲି ଉଲ୍ଲଘଂନ
ତା ପରେ ମିଳନ ଲଗ୍ନ
ସେ କି ସୁଖ, ସେ କି ତୃପ୍ତି, ସେ କି ଅନୁଭୁତି
ସେ କି ଦାନ ପ୍ରତିଦାନ, ଆତ୍ମାର ଆହୁତି
ହେ ଯୌବନ,ସେ ତୁମର ପରମ ବିଭୁତି।
॥ ୪ ॥
ହେ ଯୌବନ,
ଆଜି କିନ୍ତୁ ଆକାଶର ରଂଗ ଧୀରେ ହୋଇଯାଏ ମ୍ଳାନ
ଦେହମନେ ଅସ୍ତରାଗ ଛଟା
ଉଜ୍ଜ୍ବଳ ଜୁଆର ପରେ ଶୂନ୍ୟତାର ଭଟ୍ଟା।
ଆଜି ଯେବେ ଇଚ୍ଛାହୁଏ
ହୋଇବାକୁ ପାଦେ ଅଗ୍ରସର,
କିଏ ପଛୁ ରଖେ ଟାଣି-
ସେ ଯେ ଏକ ଭୟ ଆଗୋଚର।
ଧୀରେ ଧୀରେ ଗତି ହୁଏ ଶ୍ଳଥ
ମନେହୁଏ ବହୁ ଦୀର୍ଘ ଏଇ ଯାତ୍ରା ପଥ।
କାହାର ନିଃଶ୍ବାସ ସ୍ପର୍ଶେ
ଚର୍ମହୁଏ ଲୋଳିତ ପଳିତ!
ନୟନର କାଳିମାରେ
ଛାୟା ତା’ର ହୋଇଛି ଫଳିତ!
ପକ୍ବକେଶେ ଉଡ଼ୁଅଛି
କାହାର କେତନ!
ସେ ମୋର ଆସନ୍ନ ଜରା-
ସେ କି ମୋତେ କରିଯିବ
ଶୂନ୍ୟ ଅକାରଣ!
ହେ ଯୌବନ,
କୃଷ୍ଣବିନା ଗୋପପୂରେ ରାଧାର କି ଥାଏ ଆଉ ମାନ!
ତୁମେ ଯେବେ ଚାଲିଯିବ
ଦୂରେ ଅପସରି
ନିଭୃତ ବିରହ ଜ୍ବାଳା ନେଇ ସତେ
ବଞ୍ଚିବି କିପରି?
॥ ୫ ॥
ହେ ଯୌବନ,
ଚଞ୍ଚଳ ପଳାୟମାନ ହେ ମୋର ଯୌବନ
ମତେ ଛାଡ଼ି ଯାଅନାହିଁ ଦୀନ ହୀନ କରି
ମତେ ଫିଙ୍ଗି ଯାଅନାହିଁ ମୂଲ୍ୟହୀନ ପରି,
ଆକୁଳ ମିନତୀ ମୋର
ଏ ଦେହର ନିକେତନ ଭରି
ରହିଯାଅ ହେଲେ ତୁମେ ଆଉ କିଛି କ୍ଷଣ।
ହେ ଯୌବନ
ହେ ପ୍ରିୟ ଯୌବନ।