ପାହାଡ଼


ପାହାଡ଼ ପାହାଡ଼ ଖାଲି ଅସଂଖ୍ୟ ପାହାଡ଼,

ଏ ପଟେ ପାହାଡ଼ ପୁଣି ସେପଟେ ପାହାଡ଼,

ସେକି ସବୁ ହିରଣ୍ୟର ଗଦା ଗଦା ହାଡ଼।

 

ସେ ପାହାଡ଼ ଭାଙ୍ଗି ମୁହିଁ କରୁଅଛି ଚୂନା,

ସେ ପାହାଡ଼ ଖୋଜି ମୁହିଁ ଖୋଜୁଅଛି ସୁନା

ସେ ପାହାଡ଼ ତଳେ କାହିଁ ବହୁଚି ଯମୁନା।

 

ପାହାଡ଼ ପାହାଡ଼ ଖାଲି ଅସଂଖ୍ୟ ପାହାଡ଼

ସେମାନେ କି ସ୍ଥିରାୟିତ ଢ଼େଉମାଳା

କେଉଁ ଅଭିଶପ୍ତ ସାଗରର!

 

ଏପଟେ ପାହାଡ଼ ପୁଣି ସେପଟେ ପାହାଡ଼

ଉପରେ ପାହାଡ଼ ମୋର ଭିତରେ ପାହାଡ଼

କଳା କଳା ନିଦା ନିଦା ଉତ୍ତୁଙ୍ଗ ପାହାଡ଼-

 

‘ମୁଁ ଟିକେ ଆଗକୁ ଯିବି’

ମୁଁ କହିଲି ‘ମତେ ବାଟ ଛାଡ଼’

ଏକାଠି ଉଠିଲେ ହସି ଅସଂଖ୍ୟ ପାହାଡ଼।




+ -