କୁଆଡ଼େ ପରା ମୋ ଆଖି,
ମୁଁ ତ କିଛି ଦେଖିପାରୁନାହିଁ।
ପାରୁନାହିଁ ଦେଖି ମୁଁ ’ତ ଆକାଶର କାହ୍ନୁରୂପ
ନୀଳକାନ୍ତ କେବେ ମୋର ଶ୍ୟାମ,
ପାରୁନାହିଁ ଦେଖି ମୁଁ ତ ସାଗରରେ ସଂତଋଣ
ଢ଼େଉ ମାନଙ୍କର,
ପାରୁନାହିଁ ଦେଖି ମୁଁ ପଥଚଲା ଲୋକଙ୍କର
ବିବର୍ଣ୍ଣ ମୁଖରେ ଫୁଟି
ଉଠୁଥିବା ହତାଶିଆ ମନର କାରୁଣ୍ୟ!
କୁଆଡ଼େ ଗଲା ମୋ କାନ,
ମୁଁ ତ କିଛି ଶୁଣିପାରୁନାହି।
ଶୁଣିପାରୁନାହିଁ ମୋର ଅଗଣାରେ ନୃତ୍ୟରତା
ଝମ୍ ଝମ୍ ବର୍ଷାର ନୁପୂର,
ଶୁଣିପାରୁନାହିଁ ମୁଁ ତ ମଧୂପର ଆଶାବରୀ
ପ୍ରଭାତେ ବାସକସଜ୍ଜା ଫୁଲର ପାଖରେ,
ଶୁଣିପାରୁନାହିଁ ମୁଁ ତ ଲକ୍ଷ୍ମୀର ବିଳାପ
ଅଫୁରନ୍ତ ଐଶ୍ବର୍ଯ୍ୟର କୋଳାହଳ ତଳେ।
ଆଖି ନାହିଁ, କାନ ନାହିଁ
ମୋ ମୁହଁରେ କଥା ବି ତ ନାହିଁ।
ମୋ ବାହାରେ, ମୋ ଭିତରେ
ଶୀତଳତା ସାଇବେରିଆର।
ଦୁକୁ ଦୁକୁ ଜଳୁଥିବା ଜୀବନର ଚାରିପଟେ
ବରଫର ଜମାଟ ଜଡ଼ତା।
ମୁଁ ତ କିଛି ଦେଖିପାରୁନାହିଁ,
ମୁଁ ତ କିଛି ଶୁଣିପାରୁନାହିଁ,
ମୁଁ ତ କିଛି କହିପାରୁନାହିଁ।
ମୋ ଆଖିରେ ଜମିଆସେ ଭାରୀ ନିଦ
ମୋ ମୁଣ୍ଡକୁ ଲମ୍ବା ଏକ ରାତ୍ରି ଥାପୁଡ଼ାଏ।