ମାତ୍ର ୪୬ ବର୍ଷ ବୟସରେ ଭୁବନାନନ୍ଦ ବାବୁ ଅନ୍ତିମ ନିଃଶ୍ବାସ ତ୍ୟାଗ କଲେ।ହୃଦୟର କ୍ରିୟା ବନ୍ଦ ଜନିତ ଆକସ୍ମିକ ମୃତ୍ୟୁ।ଆତ୍ମୀୟ ସ୍ବଜନ,ବନ୍ଧୁ ପରିଜନ ସମସ୍ତଙ୍କ ହୃଦୟରେ ଦାରୁଣ ବେଦନା ଦେଇ ସେ ଜୀବନର ରଙ୍ଗମଞ୍ଚରୁ ଅନ୍ତର୍ହିତ ହୋଇଗଲେ।ସବୁଠାରୁ କଠିନତମ ଆଘାତ ଲାଗିଥିଲା ତାଙ୍କ ପତ୍ନୀ ଛାୟାଦେବୀଙ୍କୁ-ଦୀର୍ଘ ୨୦ ବର୍ଷର ସାର୍ଥକ,ପରିପୂର୍ଣ୍ଣ ଦାମ୍ପତ୍ୟ ଜୀବନର ଏ ପ୍ରକାର ଆକସ୍ମିକ ଅବସାନ ପାଇଁ ସେ ଆଦୌ ପ୍ରସ୍ତୁତ ନଥିଲେ।ଦୀର୍ଘ ୨୦ ବର୍ଷର ଦାମ୍ପତ୍ୟ ଜୀବନରେ ଦୁହିଁଙ୍କ ଭିତରେ ଗଭୀର ପ୍ରୀତି,ଅନ୍ତରଙ୍ଗ ବୁଝାମଣା,ପରସ୍ପର ପ୍ରତି ଏକାନ୍ତ ଆନୁଗତ୍ୟ ହିଁ ଫୁଟି ଉଠିଥିଲା। କେବଳ ଅନ୍ୟମାନେ ନୁହଁନ୍ତି,ସେମାନେ ଉଭୟେ ବୁଝି ପାରିଥିଲେଓ ହୃଦୟଙ୍ଗମ କରୁଥିଲେ ଯେ ସେମାନେ ଉଭୟେ ଉଭୟଙ୍କୁ ପରିପୂର୍ଣ୍ଣ କରି ପାରିଛନ୍ତି-ସେମାନେ ସୁଖୀ ଦମ୍ପତି।ଦୁଃଖ ଓ ଆନନ୍ଦ,ଅଭାବ ଓ ପ୍ରାଚୁର୍ଯ୍ୟ,ଐଶ୍ବର୍ଯ୍ୟ ଓ ବିପର୍ଯ୍ୟୟ ଜୀବନରେ କେତେ କଣ ଆସିଛି।ଉଭୟେ ଏକ ହୃଦୟରେ ସବୁ ଅବସ୍ଥାକୁ ଗ୍ରହଣ କରିଛନ୍ତି।ଏକ ମନରେ ସବୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ସେଥିପାଇଁ ପରସ୍ପରଠାରୁ ଭିନ୍ନହୋଇ ରହିବାର କଥା ସେମାନେ କେବେ ଭାବି ପାରନ୍ତି ନାହିଁ।ମାତ୍ର ମହାକାଳର ଶାଣିତ ଅସୀ ସେମାନଙ୍କୁ ଏକ ଆକସ୍ମିକ ଆଘାତରେ ବିଚ୍ଛିନ୍ନ କରିଦେଲା।
ଛାୟାଦେବୀ ବହୁତ କାନ୍ଦିଲେ-ବେଦନା ଦଗ୍ଧ ହୃଦୟର ଶୋକଚ୍ଛ୍ବାସରେ ତାଙ୍କର ଅନ୍ତର ବିଦୀର୍ଣ୍ଣ ହେଲା।ସ୍ବାମୀହୀନ ପ୍ରତିଟି ମୁହୁର୍ତ୍ତ ତାଙ୍କ ପକ୍ଷରେ ଅସହନୀୟ ବୋଧ ହେଲା।ଜୀବନ ତାଙ୍କୁ ବୋଧ ହେଲା ତୁଚ୍ଛ।ଦିନ ଦିନ ମାସ ମାସ ଧରି ସେ ଅଶ୍ରୁପାତ କଲେ।ଚକ୍ଷୁରୁ ଲୋତକଧାର ନଝରୁ ଥିଲାବେଳେ ବି ସେ ଅନ୍ତର ଭିତରେ କାନ୍ଦୁଥିଲେ।
ଏହିପରି ଭାବରେ ବର୍ଷାଧିକ କାଳ ଅତିବାହିତ ହୋଇଗଲା।ତାପରେ ଛାୟାଦେବୀ ଟିକିଏ ଶାନ୍ତ ହେଲେ।
ସ୍ବାମୀ ଛାଡ଼ି ଯାଇଥିବା ସବୁ ଜିନିଷ ଛାୟାଦେବୀ ଅତି ଶ୍ରଦ୍ଧାର ସହିତ ସାଇତି ରଖିଥିଲେ।ପ୍ରତ୍ୟେକଟି ଜିନିଷ ଭିତରେ ସେ ସ୍ବାମୀଙ୍କର ସ୍ପର୍ଶ ଅନୁଭବ କରୁଥିଲେ।ତାହାଭିତରେ ଯେପରି ସେ ତାଙ୍କର ସାନ୍ନିଧ୍ୟ ପାଉଥିଲେ।
ଭୁବନାନନ୍ଦବାବୁଙ୍କର ବ୍ୟବହାର ପାଇଁ ଗୋଟିଏ ବଡ଼ ଆଲମାରୀ ଥିଲା।ତାହା ଭିତରେ ଥିଲା ତାଙ୍କର ନିଜସ୍ବ ଜିନିଷ- ନାନା ପ୍ରକାର ଦରକାରୀ ଅଦରକାରୀ କାଗଜପତ୍ର,କେତେଗୁଡ଼ିଏ ପୁରୁଣା ପତ୍ରପତ୍ରିକା,ବିଭିନ୍ନ ଭାଷାରେ ତାଙ୍କର ପ୍ରିୟ କେତେଗୁଡ଼ିଏ ବହି,ନୂଆ ପୁରୁଣା ଆଲବମ୍,ଫୁଲଦାନୀ,ଶଙ୍ଖ ମଲମଲ ପଥରରେ ତିଆରି ବୁଦ୍ଧ ମୁର୍ତ୍ତିଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍ର ନଗ୍ନ ନାରୀ ମୂର୍ତ୍ତି ପ୍ରଭୃତି ବହୁବିଧ ଜିନିଷ।ସେ ଆଲମାରୀରୁ ତାଙ୍କ ବ୍ୟତୀତ ଅନ୍ୟ କେହି କେବେ ଖୋଲିବା ଦରକାର ପଡ଼େ ନାହିଁ।
ଭୁବନାନନ୍ଦାବାବୁଙ୍କର ମୃତ୍ୟୁର ବର୍ଷାଧିକ କାଳପରେ ଦିନେ ଛାୟାଦେବୀ ସେହି ଆଲମାରୀ ଖୋଲିଲେ।ତା ଭିତରେ ଥିବା ସ୍ବାମୀଙ୍କର ଜିନିଷ ସବୁକୁ ଦେଖିବାକୁ ତାଙ୍କୁ ଭଲ ଲାଗୁଥିଲା,ଛୁଇଁବାକୁ ଭଲ ଲାଗୁଥିଲା,ଯତ୍ନରେ ରଖିବାକୁ ଭଲ ଲାଗୁଥିଲା।
ଆଲମାରୀରୁ ପ୍ରତ୍ୟେକଟି ଜିନିଷ ସେ କାଢ଼ିଲେ।ତାକୁ ପରିଷ୍କାର କରି ପୁଣି ଯଥାସ୍ଥାନରେ ସଜାଇ ରଖିଲେ। ଆଲମାରୀର ତଳ ଥାକରେ ଦୁଇଟି ଡ୍ରୟାର।ସେଥିରେ ଗୋଟିକରେ ଚାବି ପଡ଼ିଥିଲା।ଛାୟାଦେବୀ ଚାବିଖୋଜି ସେ ଡ୍ରୟାର ଖୋଲିଲେ।ଡ୍ରୟାରରେ ପୁରୁଣା ଚିଠିପତ୍ର ସବୁ ଗଦା ହୋଇ ରହିଥିଲା।ସେ ଜାଣନ୍ତି ଭୁବନାନନ୍ଦବାବୁ ତାଙ୍କ ପାଖକୁ ଆସିଥିବା ଚିଠିଗୁଡ଼ିକ ଫିଙ୍ଗି ନଦେଇ ବା ନଷ୍ଟକରି ନଦେଇ ପାଖରେ ରଖିଥାଆନ୍ତି।ତେଣୁ ଅଦରକାରୀ ବୋଧ ହେଲେ ମଧ୍ୟ ଛାୟାଦେବୀ ସେ ପୁରୁଣା ଚିଠି ଗୁଡ଼ିକ ସଜାଇ ରଖିଲେ।ଡ୍ରୟାରର ସବା ତଳେ ଗୋଟିଏ ଲଫାପା ଭିତରେ ଅନେକ ଗୁଡ଼ିଏ ଚିଠି ଥିଲା।ଲଫାପାଟି ଖୋଲି ସେ ଗୋଟିଏ ଚିଠି ବାହାରକରି ପଢ଼ିଲେ।ହଠାତ୍ ଯେପରି ତାଙ୍କ ଦେହରେ ବିଦ୍ୟୁତ୍ ଶକ୍ ଲାଗିଲା।
ଚିଠିଟିର ଲେଖିକା ଅନୁପମା।
କିଏ ସେ ଅନୁପମା?
କିଏ ସେ ଅନୁପମା ଛାୟାଦେବୀ ଜାଣନ୍ତି ନାହିଁ।କିନ୍ତୁ ତାଙ୍କର ବୁଝିବାକୁ ବାକି ରହିଲା ନାହିଁ ଯେ ସେହି ଅନୁପମା ତାଙ୍କର ସ୍ବାମୀଙ୍କର ହୃଦୟର ପ୍ରୀତିରେ ଅଧିକାର ପାଇଥିବା ଏକ ପ୍ରଣୟିନୀ।
ଅତୀତ ଯନ୍ତ୍ରଣା ବୋଧ ହେଉଥିଲେ ମଧ୍ୟ ଛାୟାଦେବୀ ଚିଠିଟିକୁ ଆମୁଳଚୁଳ ପଢ଼ିଲେ।ଚିଠିଟି ଥିଲା ଏଇପରି-
‘ହୃଦୟେଶ୍ବର,
ତୁମେ ଚାଲିଯିବା ପରେ ଚିଠି ଲେଖୁଛି।ଅନ୍ତର ଭିତରେ କେତେ କଷ୍ଟ ଅନୁଭବ କରୁଛ କିପରି ପ୍ରକାଶ କରିବି!କେତୋଟି ମୁହୂର୍ତ୍ତ ତଳେ ତୁମେ ମୋ ପାଖରେ ଥିଲ,ମୁଁ ତୁମ ପାଖରେ ଥିଲି।ଅଥଚ ବର୍ତ୍ତମାନ କେତେ ଦୂରକୁ ଚାଲିଗଲିଣି।ତୁମକୁ ଛାଡ଼ିବାକୁ ଟିକିଏ ବି ଇଚ୍ଛା ନଥିଲା।ଇଚ୍ଛା ହେଉଥିଲା ସବୁ ଛାଡ଼ିଦେଇ,ଲଜ୍ଜ୍ୟାସଙ୍କୋଚ ଭୁଲି ତୁମ ସହିତ ପଳାଇ ଯିବାକୁ।ବର୍ତ୍ତମାନ ମଧ୍ୟ ଇଚ୍ଛା ହେଉଛି ଘର ଛାଡ଼ି ଧାଇଁ ଯିବାକୁ।ଷ୍ଟେସନ୍ରେ ଗାଡ଼ିପାଇଁ ଅପେକ୍ଷା କରିଥିବ।ମୁଁ ଯାଇ ପହଞ୍ଚି ଯିବି।କହିବି ମତେ ତୁମ ସାଙ୍ଗରେ ନିଅ।ତୁମ ବିନା ମୁଁ ବଞ୍ଚି ପାରିବି ନାହିଁ।ତୁମେ କଣ ମତେ ନ ନେଇ ଚାଲିଯିବ?
ପ୍ରିୟତମ,କିପରି ମୋ ମନର ଯନ୍ତ୍ରଣା ତୁମକୁ ବୁଝାଇବି!କେତେ ଯେ ଅବୁଝା ଭାବନା ମନରେ ଆସି ଜମା ହେଉଛି।ତା ତଳେ ମୁଁ ପେଷି ହୋଇ ଯାଉଛି ମତେ ତୁମେ ରକ୍ଷାକର,ମତେ ତୁମେ ଉଦ୍ଧାର କର,ମତେ ତୁମ ଭିତରକୁ ନେଇଯାଅ।ମୁଁ ତୁମ ଭିତରେ ମିଶିଗଲେ ମିଳାଇଗଲେ ଯାଇ ଶାନ୍ତି ପାଇବି।ତୁମେହିଁ ମୋର ସ୍ବର୍ଗ,ତୁମେ ହିଁ ମୋର ଦେବତା,ଈଶ୍ବର।
ପ୍ରିୟତମ,ସତରେ କଣ ତୁମେ ମତେ ଭଲପାଅ?ସେଇ ଏକା ପ୍ରଶ୍ନ ସବୁବେଳେ କରୁଚି ବୋଲି ରାଗିବ ନାହିଁ। କେତେଥର କହିଚ,ତୁମେ ମତେ ବହୁତ ଭଲପାଅ।କିନ୍ତୁ ସେତିକିରେ ମୁଁ ସନ୍ତୁଷ୍ଟ ହୋଇ ପାରୁନି।ଇଚ୍ଛା ହେଉଛି,ତୁମ ମୁହଁରୁ ସେଇ ଗୋଟିଏ କଥା ବାରମ୍ବାର ଶୁଣୁଥିବି।ଜୀବନସାରା ଶୁଣୁଥିବି ଏବଂ ସେଇ କଥା ମଧ୍ୟ ମୁଁ ତୁମକୁ ବାରମ୍ବାର କହୁଥିବି।
ମୁଁ ଜାଣେ ମୁଁ ତୁମର ଯୋଗ୍ୟ ନୁହେଁ।ବାମନ ହୋଇ ଆକାଶର ଚାନ୍ଦକୁ ଧରିବାକୁ ଆଶାକରୁଚି।ତଥାପି ମୁଁ ସେ ଆଶା ଛାଡ଼ି ପାରୁନି।ମୋ ପରି ଶହ ଶହ ଝିଅ ତୁମକୁ ମିଳିବେ।କିନ୍ତୁ ମୋ ଆଖିରେ ମୁଁ ତୁମ ଛଡ଼ା ଆଉ କାହାକୁ ଦେଖି ପାରୁନି। ତୁମ ପାଦତଳେହିଁ ମୋର ପରମ ଆଶ୍ରୟ।
ତୁମେ କଣ ସତରେ ମୋ ଉପରେ ରାଗିଲ କି?ତୁମକୁ ମୋର ଅଦେୟ ତ କିଛି ନାହିଁ।ମୁଁ ତ ସବୁ ଦେଇଛି।ତୁମ ଭିତରେ ତ ମୋର ସ୍ବର୍ଗ।ତୁମ ବାହାରେ କଣ ମୋର ବୋଲି କିଛି ଅଛି!ମୋର ଇହକାଳ,ପରକାଳ,ମୋର ଦେହ ପ୍ରାଣମନ ହୃଦୟ ସବୁ ତୁମର।ମୁଁ ତୁମ ପାଦତଳେ ସବୁ ସମର୍ପଣ କରି ଦେଇଛି।ମୋର ଆଉ ଦେବାକୁ କିଛି ବାକି ନାହିଁ। ଦେହଟା ସବୁଠାରୁ ଛୋଟ କଥା।ସେଇ ଦେହଟାକୁ ଛୁଇଁବାକୁ ଦେଲିନାହିଁ ବୋଲି ଭୁଲ ବୁଝିଲ କି?ସେଇ ଦେହଟା ତୁମର,ଏକମାତ୍ର ତୁମର।ତୁମ ଜିନିଷ ତୁମକୁ ଦେବାରେ କଣ ମୋର ଆପତ୍ତି ଅଛି?ତୁମ ଜିନିଷକୁ ତୁମେ ଜୋର୍କରି ନେଇ ଯିବାର ଅଧିକାର ତ ତୁମର ଅଛି।କିନ୍ତୁ ତୁମକୁ ଏତିକିମାତ୍ର ମାଗୁଛି।ସେଇ ମଧୁମିଳନର ବାସର ରାତ୍ରିରେ ତୁମର ପୂଜା କରିବାକୁ ଏ ଦେହକୁ ମୁଁ ପବିତ୍ର,ସୁନ୍ଦର ଫୁଲପରି ସଜାଇ ରଖିଛି।ମତେ ସେତିକି ସୁଯୋଗ ଦିଅ।ସେହି ପବିତ୍ର ଚିରସ୍ମରଣୀୟ ବାସରେ ମୁଁ ସେଇ ଶେଷ ଅର୍ଘ୍ୟଟିକୁ ତୁମ ପାଖରେ ଅର୍ପଣ କରି ତୁମ ଭିତରେ ହଜିଯାଏ।
ପ୍ରିୟତମ,
ତୁମେ ନିଶ୍ଚୟ ଶୀଘ୍ର ଆସିବ।କଲେଜରେ ତ ଅନେକ ଛୁଟି।ଦିନକପାଇଁ ଆସିବ।ମୁଁ ଅଟକାଇବି ନାହିଁ।ତୁମ ପାଠ ପଢ଼ାରେ ମୁଁ ବ୍ୟାଘାତ କରୁଚି ବୋଲି ଭାବିବ ନାହିଁ।ତୁମେ ଯଶସ୍ବୀ ହୁଅବୋଲି ମୁଁ ଏକାନ୍ତ ହୃଦୟରେ ଦେବତାଙ୍କୁ ପ୍ରାର୍ଥନା କରୁଛି।କିନ୍ତୁ ତୁମେ ନ ଆସିଲେ ମୁଁ କିପରି ବଞ୍ଚିବି।ମୁଁ ବହୁତ ହତାଶ ବୋଧକରୁଛି।ନିଶ୍ଚୟ ଆସିବ।ରବିବାର ଦିନ ଆସିବ କି?ମୁଁ ପଥଚାହିଁ ବସିଥିବି।ମୋର ବହୁତ ବହୁତ ପ୍ରେମ ନିଅ।
। ଇତି ।
ତୁମର ଏକାନ୍ତ ତୁମର ଅନୁପମା।
ଚିଠିଟି ପଢ଼ିସାରି ଛାୟାଦେବୀ ବିମୁଢ଼ ହୋଇଗଲେ।ତାଙ୍କ ହାତରୁ ଚିଠିଟି ଖସି ପଡ଼ିଲା।କିଏ ଏହି ଅନୁପମା! ତାଙ୍କ ମନଭିତରେ ଭାବନା ଯେପରି ହଠାତ୍ ଗୋଟିଏ ଜାଗାରେ ସ୍ଥିର ହୋଇ ରହିଗଲା।ଏକ ଅବ୍ୟକ୍ତ ଯନ୍ତ୍ରଣା ବ୍ୟତୀତ ସେ ଆଉ କିଛି ଅନୁଭବ କଲେ ନାହିଁ।ସ୍ବାମୀଙ୍କ ପ୍ରତି ତାଙ୍କର ଧିକ୍କାର ଆସିଲା,ଘୃଣା ଆସିଲା।ଯାହାଙ୍କୁ ସେ ଆଜି ପର୍ଯ୍ୟନ୍ତ ଦେବତା ବୋଲି ପୂଜାକରି ଆସିଛନ୍ତି,ତାଙ୍କର ଏହି କୁତ୍ସିତ ରୁପ ଆବିଷ୍କାର କରି ସେ ଉଦ୍ଭ୍ରାନ୍ତ ହୋଇଉଠିଲେ।କ୍ରୋଧରେ ତାଙ୍କର ମୁଖ ଲାଲ୍ ହୋଇଗଲା।