ତଥାପି ସେ ଗୋଟିଏ ପରେ ଗୋଟିଏ ସେହି ଲଫାପା ଭିତରେ ଥିବା ୧୮ ଖଣ୍ଡ ଚିଠି ପଢ଼ିଲେ।
ତାଙ୍କର ଇଚ୍ଛା ହେଲା ସେ ଏଇ ମୁହୂର୍ତ୍ତରେ ତାଙ୍କର ସ୍ବାମୀଙ୍କୁ ପାଖରେ ପାଆନ୍ତେ ତ?ତାହାହେଲେ ଅବଶ୍ୟ ସେ କଣ କରନ୍ତେ ଭାବି ପାରିଲେ ନାହିଁ।ଏଇ ଚରିତ୍ରହୀନ,ଲମ୍ଫଟ,ହୃଦୟହୀନ ଲୋକଟାକୁ ସ୍ବାମୀଭାବରେ ଗ୍ରହଣ କରି ସେ ଠକି ଯାଇଛନ୍ତି।ସେ ପ୍ରତାରିତା।ସେ ପ୍ରବଞ୍ଚିତା।ତାଙ୍କ ଜୀବନରେ ଯାହାସବୁ ଶାନ୍ତି ଆନନ୍ଦ ବୋଲି ପ୍ରତୀକ ହୋଇଥିଲା,ତାହା ସବୁ କଳା ନାଗ ହେଲେ ତାଙ୍କୁ ଚାରିଆଡ଼ୁ ଦଂଶନ କରିବାକୁ ଆରମ୍ଭ କରି ଦେଲେ।ଅସହ୍ୟ ଜ୍ବାଳାରେ ସେ ମୁହ୍ୟମାନ ହୋଇଗଲେ।
ଛାୟା ଦେବୀଙ୍କର ଦୃଢ଼ ବିଶ୍ବାସ ଥିଲା,ତାଙ୍କ ସ୍ବାମୀଙ୍କ ଜୀବନରେ ସେ ଥିଲେ ଏକମାତ୍ର ନାରୀ।କିନ୍ତୁ ଅନୁପମାକୁ ଆବିଷ୍କାର କଲା ପରେ ତାଙ୍କର ମନେହେଲା ତାଙ୍କ ସ୍ବାମୀ ଅନୁପମା ପରି ବହୁନାରୀଙ୍କ ସହିତ ସଂପୃକ୍ତ।ତାଙ୍କର ଅଗୋଚରରେ ତାଙ୍କର ସ୍ବାମୀ ବହୁ ପ୍ରଣୟିନୀଙ୍କ କୋଳରେ ରାତ୍ରି ଯାପନ କରିଛନ୍ତି।ଅଥଚ ସମ୍ମୁଖରେ ନିଷ୍କଳୁଷ,କଳଙ୍କହୀନ,ପତ୍ନୀପରାୟଣ ପୁରୁଷ ଭାବରେ ଅଭିନୟ କରି ତାଙ୍କୁ ସାରାଜୀବନ ପ୍ରତାରଣା କରିଛନ୍ତି।୨୦ ବର୍ଷର ଦାମ୍ପତ୍ୟ ଜୀବନ ତାସ୍ ଘର ପରି ତାଙ୍କ ଆଖି ଆଗରେ ଭାଙ୍ଗି ପଡ଼ିଲା।ତାଙ୍କର ଇଚ୍ଛାହେଲା ସେ ତାଙ୍କର ପାଖରେ ଥିବା ସବୁ ଜିନିଷକୁ ଭାଙ୍ଗି ରୁଜି ଧ୍ବଂସ କରି ଦିଅନ୍ତେ।ଚିତ୍କାର କରି ଭୁବନାନନ୍ଦବାବୁଙ୍କୁ ତିରସ୍କାର କରି କହନ୍ତେ,‘ମୁଁ ତୁମକୁ ଘୃଣା କରେ,’ତୁମେ ରାକ୍ଷସ ତୁମେ ପଶୁ।
ପ୍ରଚଣ୍ଡ କ୍ରୋଧର ଜ୍ବାଳା ଭିତରେ ବି ଛାୟାଦେବୀଙ୍କ ଆଖିରୁ ଆପେ ଆପେ ଲୁହ ଝରିଗଲା ।୨୦ ବର୍ଷ କାଳ ମୁଣ୍ଡାଏ ସୁନା ବୋଲି ଅତି ଯତ୍ନରେ ସାଇତି ରଖି ତାହାକୁ ମୁଣ୍ଡାଏ ପିତ୍ତଳ ବୋଲି ଆବିଷ୍କାର କଲା ପରେ କୃପଣ ବ୍ୟକ୍ତିର ଜୀବନରେ ଆଉ ଗଭୀରତମ ଦୁଃଖ କଣ ହୋଇପାରେ।
ସ୍ବାମୀ ଛାଡ଼ି ଯାଇଥିବା ବିରାଟ ଅଟ୍ଟାଳିକା,ବିପୁଳ ବ୍ୟାଙ୍କ୍ ବାଲାନ୍ସ,ଯୋଗ୍ୟ ପୁତ୍ର କନ୍ୟା ଯାହାସବୁ ତାଙ୍କର ଅତି ଗର୍ବର କାରଣ ହୋଇଥିଲା,ସେ ସବୁ ତାଙ୍କୁ ତୁଚ୍ଛ ଓ ମୂଲ୍ୟହୀନ ବୋଧ ହେଲା।ଅପରିଚିତା ଅନୁପମା ପ୍ରତି ମଧ୍ୟ ତାଙ୍କର ଦାରୁଣ ଘୃଣା ଓ କ୍ରୋଧ ଜାତ ହେଲା।ଅନୁପମା ବୋଲି କୌଣସି ଝିଅ ବିଷୟରେ ସ୍ବାମୀ କେବେ କିଛି କହିଥିବା ତାଙ୍କର ମନେ ପଡ଼ିଲା ନାହିଁ।
କିଛି ସମୟ ଏକାକୀ ବସି ଅଶ୍ରୁପାତ କରିବାପରେ ଛା଼ୟାଦେବୀ ପୁଣି ସେହି ଚିଠି ଗଦା ଘାଣ୍ଟିବାକୁ ଲାଗିଲେ।ଏଥର ଉଦ୍ଦେଶ୍ୟ ଅନୁପମା ବ୍ୟତୀତ ତାଙ୍କ ସ୍ବାମୀଙ୍କ ଜୀବନରେ ଆଉ କେହି ନାରୀ ଅଛି କି ନାହିଁ ଜାଣିବା।
କିଛି ସମୟ ପରେ ସେ ଆଉ ଗୋଟିଏ ଲଫାପା ଭିତରେ ମେଞ୍ଚାଏ ଚିଠିଥିବା ଆବିଷ୍କାର କଲେ।ଏବଂ ସାଙ୍ଗେ ସାଙ୍ଗେ ସେ ଲଫାପାଟିକୁ ଚିରି ଚିଠି ଗୁଡ଼ାକୁ ବାହାର କରି ପକାଇଲେ। ଚିଠି ଗୁଡ଼ିକ ଉପରେ ଆଖି ପଡ଼ିବା ମାତ୍ରେ କିନ୍ତୁ ସେ ଭୟରେ ପାଟିକରି କହି ଉଠିଲେ,‘ହେ ଭଗବାନ’।ସତେ ଯେପରି ତାଙ୍କ ମୁଣ୍ଡ ଉପରେ କିଏ ଏକ ଦାରୁଣ ଆଘାତ ଦେଲା।
କିଛି ସମୟ ଚିଠି ଗୁଡ଼ିକ ସେଇପରି ହାତରେ ଧରି ସେ ଆଖିବୁଜି ବିମୁଢ଼ ହୋଇ ବସି ରହିଲେ।ତାଙ୍କ ଛାତି ଭିତରଟା ଏକ ଅକଳ୍ପନୀୟ ଭୟରେ ଥରୁଥିଲା।
ପ୍ରାୟ ଅଧଘଣ୍ଟାଏ ପରେ ସେ ପ୍ରକୃତିସ୍ଥ ହେଲେ ଏବଂ ମନରେ ଶକ୍ତି ସଂଚୟ କରି ସେ ଧରୁଥିବା ଚିଠିରୁ ଗୋଟିଏ ଖୋଲିଲେ। ଚିଠିଟି ତାଙ୍କ ସ୍ବାମୀଙ୍କ ପାଖକୁ ଲେଖା-
ମହାଶୟ, ଜଣେ ବ୍ୟକ୍ତିଠାରୁ ଆପଣ ଏ ଚିଠିଟି ପାଇ ନିଶ୍ଚୟ ବିସ୍ମିତ ହେବେ।ଚିଠିଟା ଲେଖିବା ନିହାତି ଉଚିତ୍ ମନେହେଲା, ତେଣୁ ଲେଖୁଚି।ଏ ଚିଠି ସହିତ ଥିବା ଚିଠିଗୁଡ଼ିକ ଆପଣଙ୍କୁ ନୂତନ ଆଲୋକ ଦେଇପାରେ ବୋଲି ଭାବୁଛି।
। ଇତି।”
ଚିଠି ଶେଷରେ ପ୍ରେରକର ନାମ ନଥିଲା।
ଚିଠିର ତାରିଖରୁ ଛାୟାଦେବୀ ଜାଣିଲେ ତାଙ୍କ ବିବାହରେ ଅଳ୍ପ କେତେଦିନ ଆଗରୁ ଭୁବନାନନ୍ଦବାବୁ ସେ ଚିଠି ପାଇଥିଲେ।
ସେହି ଛୋଟ ଚିଠିଟି ସହିତ ଅନେକ ଗୁଡ଼ିଏ ଚିଠିଥିଲା।ସେ ଚିଠିଗୁଡ଼ିକ ପଢ଼ିବା ଛାୟାଦେବୀଙ୍କର ଆବଶ୍ୟକ ହେଲାନାହିଁ।ସେ ଚିଠିର ଭାଷା,ସେ ଭାଷାରେ ମୂର୍ତ୍ତ ହୋଇଥିବାଭାବ ସବୁ ସେ ଗୋଟି ଗୋଟି କଣ ଜାଣିଥିଲେ।କାରଣ ସେ ସେ ଚିଠି ସବୁ ଥିଲା ତାଙ୍କର ହାତଲେଖା।
ଚିଠିଗୁଡ଼ିକ ସେ ଗୋଟି ଗୋଟି କରି ଦେଖି ନେଲେ ଏକ ବିଶେଷ ଚିଠିର ସନ୍ଧାନ କରିବାକୁ।ସେ ବିଶେଷ ଚିଠିଟି ବି ତା ଭିତରେ ଥିଲା।ସେଇଟିକୁ ସେ ଖୋଲି ଥରେ ଆଖି ପକେଇ ଦେଲେ।ସେ ଚିଠିରେ ସେ ଯାହା-ଲେଖିଥିଲେ ଦୀର୍ଘ ୨୦ ବର୍ଷ ପରେ ମଧ୍ୟ ତାଙ୍କର ସ୍ମୃତିରେ ତାହା ଯାଜ୍ଜଲ୍ୟମାନ ରହିଥିଲା।ଚିଠିର ଏକ ଅଂଶ ଉପରେ ତାଙ୍କ ଆଖି ପଡ଼ିଲା- “ମତେ ନିଅ,ମତେ ଗ୍ରହଣକର।ମୋର ଏ ଦେହକୁ ତୁମ ଦେହ ଭିତରେ ମିଶାଇ ଦିଅ।ମତେ ତୁମ ଭିତରେ ବିଲୀନ କରିଦିଅ।ମତେ ତୃପ୍ତକର,ଶାନ୍ତକର,”ଛାୟା ଦେବୀଙ୍କର ଆଖି ବନ୍ଦ ହୋଇଥିଲା।ସେ ଆଉ ପଢ଼ିପାରିଲେ ନାହିଁ।ଚିଠି ଗୁଡ଼ାକ ଆଗକୁ ଠେଲି ଦେଇ ସେ ଆଖିବୁଜି ଅନେକ ସମୟ ବସିଲେ।ତା ପରେ ଧୀରେ ଧୀରେ ଡ୍ରୟାର ଭିତରେ ଥିବା ସବୁ ଚିଠିକୁ ଏକାଠି କରି ସେଥିରେ ଗୋଟିଏ ଜଳନ୍ତା ଦିଆସିଲି କାଠି ସଂଯୋଗ କରିଦେଲେ।
କେତୋଟି ମୁହୂର୍ତ୍ତ ପରେ ଘର ଭିତର ଯାକ କେବଳ ପୋଡ଼ା କାଗଜ ଉଡ଼ି ବୁଲିଲା।ସେତେବେଳେ ଛାୟାଦେବୀ ସ୍ବାମୀଙ୍କ ଫଟୋ ପାଖରେ ମୁଣ୍ଡଲଗାଇ କାନ୍ଦୁଥିଲେ।
୫।୨।୭୬
ଭୁବନେଶ୍ବର