ଅଶାନ୍ତ


ରଖିଲି ସଂଚୟ କରି ମୋ ହୃଦୟ ପ୍ରୀତିର ମନ୍ଦିରେ

ଅଶେଷ ସୋହାଗ ସାଥେ ସୀମାହୀନ ସୁନ୍ଦର କାମନା

ଆପଣାରେ ଯୁକ୍ତ କଲି ସାଥେ ତାର ସେନେହ ଗଭୀରେ

ସକଳେ ଜନମ ଦେଲେ ସୁଖଦୁଃଖ ପୁଲକ ବେଦନା
ଶାନ୍ତିରକାମନା ମୋର ବନ୍ଧ୍ୟା ହେଲା-କଲେ ଅଧିକାର

ସୁଖଦୁଃଖ,ଅଶ୍ରୁ ହାସ,ଅସନ୍ତୋଷ ଚିନ୍ତାର ଜଞ୍ଜାଳ,

ଶାନ୍ତି ମଣି ସେମାନଙ୍କୁ ପ୍ରତାରିତ ହେଲି ବାରମ୍ବାର

ଅନ୍ତର ମୋ ଶୋଷି ନେଇ କରି ଗଲେ ମୋତେ ସେ ଦୁର୍ବଳ

ଶାନ୍ତି ମୁଁ ବୁଲୁଚି ଖୋଜି ଜୀବନର ସକଳ ପ୍ରକାଶେ

ଖୋଜୁଚି କେବଳ ଶାନ୍ତି ନିଷ୍ଫଳ ମୋ ହୋଇଚି ସନ୍ଧାନ

ସକଳ ଅସାର ତୁଚ୍ଛ,କାହିଁ ମନେ ଶାନ୍ତି ନାହିଁ ଆସେ

ସବୁ ମୋର ଦେଇ ଚାହେଁ ଏକ ଧାରା ଶାନ୍ତିର କଲ୍ୟାଣ

ଶାନ୍ତି ନାହି, ଶାନ୍ତି ନାହିଁ ଏ ଖଣ୍ଡିତ ଅଶାନ୍ତ ଜୀବନେ

ଶେଷ ଆଶା ଅଛି ବୋଲି ଶାନ୍ତି ଶେଷ ସମାଧି ଶୟନେ।




+ -