-ମିସ୍,ଶୀଲାଗୁପ୍ତାର ଚିଠି-
ନୁଆଦିଲ୍ଲୀ
ପ୍ରିୟ ଆନନ୍ଦ,
ଆମେମାନେ କାଲି ରାତି ୯ଟାରେ ଆସି ଏଠାରେ ପହଞ୍ଚିଲୁ।ବିମାନ ଦୁଇଘଣ୍ଟା ବିଳମ୍ବରେ ପହଞ୍ଚିଲା।ମୁଁ ବାବାଙ୍କ ସହିତ ଯାଇ ଭାରତର ବହୁତ ରମଣୀୟ ସ୍ଥାନଦେଖିବାର ସୁଯୋଗ ପାଇଛି।କିନ୍ତୁ ଓଡ଼ିଶା ପରି ଏତେ ସୁନ୍ଦର ସ୍ଥାନ ଆଉ କେଉଁଠାରେ ଦେଖିନାହିଁ।ସେଠାରେ ଦିନଗୁଡ଼ିକ ଏପରି ଆନନ୍ଦରେ କଟିଗଲା ଯେ ମତେ ତାହା ବର୍ତ୍ତମାନ ସ୍ବପ୍ନପରି ପ୍ରତୀତ ହେଉଛି।ସେହି ଦିନଗୁଡ଼ିକର ସ୍ମୃତି ମୋ ଅନ୍ତର ଭିତରେ ଚିରକାଳ ଖୋଦିତ ହୋଇ ରହିବ।ମୁଁ ସ୍ବୀକାର କରିବାକୁ କୁଣ୍ଠିତ ନୁହେଁ ଯେ ଆମର ଏଇ ଯାତ୍ରାର ସଫଳତା ତଳେ ଆପଣଙ୍କର ସଖ୍ୟ ଓ ଯତ୍ନ ହିଁ ରହିଛି।ମା ବି ମୋ ସହିତ ଏକମତ।ଆପଣଙ୍କୁ ସେଥିପାଇଁ ଆନ୍ତରିକ କୃତଜ୍ଞତା କଣାଉଛି ଏବଂ ଆପଣଙ୍କୁ ବହୁତ ହଇରାଣ କରିଥିବାରୁ କ୍ଷମା ମାଗୁଛି।ଆଶାକରେ ଚିଠି ଦେବେ।
। ଇତି।
ଶୀଲା
-ଅଗସ୍ତିର ଚିଠି-
ଭୁବନେଶ୍ବର
ମିସ୍ ଶୀଲା,
ପ୍ରଥମରୁ ଏହି ଚିଠି ଲେଖିବାର ଧୃଷ୍ଟତା ପାଇଁ କ୍ଷମା ମାଗି ରଖୁଛି।
ଆଶା କରୁଚି,ଆପଣମାନେ ଯାଇ ଖୁବ୍ ଭଲରେ ପହଞ୍ଚିଥିବେ।
ମୁଁ ଯାଇ ଚିଠି ଲେଖିବାର ପ୍ରଧାନ ଉଦ୍ଦେଶ୍ୟ ହେଲା ଆପଣମାନଙ୍କ ପ୍ରତି ମୋର ସମ୍ମାନ ନିବେଦନ କରିବା।ମୁଁ ମୁକ୍ତ କଣ୍ଠରେ କହିବି,ମିଃ ଗୁପ୍ତାଙ୍କ ପରି ଜଣେ ମାନବ ପ୍ରେମୀ,ନିରହଙ୍କାର,ଅମାୟିକ ଅଥଚ ଦୃଢ଼ ଅଫିସର୍ ଆମ ବ୍ୟାଙ୍କ୍ରେ କାହିଁକି ସାରା ଭାରତରେ ଥିବେ କି ନାହିଁ।ମିସେସ୍ ଗୁପ୍ତା ମଧ୍ୟ ଜଣେ ଅତୁଳନୀୟା ମହିଳା।ଅଳ୍ପ କେତୋଟି ମୁହୂର୍ତ୍ତ ଭିତରେ ସେ ଆମମାନଙ୍କୁ ଏପରି ଭାବରେ ଆପଣାର କରିନେଲେ ଯେ ମନଭିତରେ ଥିବା ସବୁ ସଂକୋଚ ସକାଳର କୁହୁଡ଼ି ପରି କୁଆଡ଼େ ଉଭେଇଗଲା।ସେ ତ,ସାକ୍ଷାତ ମାତୃମୂର୍ତ୍ତି,ସାକ୍ଷାତ ଦେବୀ।ଆଉ ଆପଣ!ଆପଣଙ୍କ ବିଷୟରେ ମୋର ବକ୍ତବ୍ୟକୁ ପ୍ରକାଶ କରିବାକୁ ଭାଷା ନାହିଁ।ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ମୁଁ ଛାତ୍ର।ସେଠାରେ ବହୁରାଜ୍ୟର ଝିଅମାନଙ୍କ ସହିତ ମୁଁ ମିଳାମିଶା କରିବାର ସୁଯୋଗ ପାଇଛି।ସେମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଜାଣିଛି।କିନ୍ତୁ ଆପଣଙ୍କ ସହ ତୁଳନୀୟ ଗୋଟିଏ ଝିଅବି କେବେ ଦେଖିନାହିଁ।ଅଳ୍ପ କଥାରେ କହିଲେ,ଆପଣ ଅତୁଳନୀୟା,ଆପଣ ଅନିର୍ବଚନୀୟା। ଆପଣଙ୍କ ସହିତ ପରିଚୟ ମୋ’ଜୀବନର ପରମ ସୌଭାଗ୍ୟ।
ପୁଣି ଥରେ ମୋର ଧୃଷ୍ଟତା ପାଇଁ କ୍ଷମା ମାଗୁଛି।
ବାବା ମାଙ୍କୁ ମୋର ପ୍ରଣାମ ଜଣାଇବେ।ଆପଣ ମୋର ଅଶେଷ ଶୁଭେଚ୍ଛା ଗ୍ରହଣ କରିବେ।
ପ୍ରତ୍ୟୁତ୍ତର ପାଇଁ ଅପେକ୍ଷା କରିବା କଣ ମୋର ଅନ୍ୟତମ ଧୃଷ୍ଟତା ହେବ କି?
॥ ଇତି॥
ଅଗସ୍ତି
-ଆନନ୍ଦ କୁମାରର ଚିଠି-
ଭୁବନେଶ୍ବର
ସ୍ନେହର ଅର୍ଚ୍ଚନା,
ତୁମ ଚିଠି ପାଇବାର ୪ ଦିନ ହେଲା।ଉତ୍ତର ଦେଇ ପାରିନାହିଁ।ଉତ୍ତର ଦେବାକୁ ସମୟ ନଥିଲା।ତୁମେ ତ ବିଶ୍ବାସ କରିବ ନାହିଁ।ଅଫିସ୍ କାମରେ ବ୍ୟସ୍ତ ଥିଲି କହି ମୁଁ ତୁମକୁ ଠକୁଚି ବୋଲି ତୁମର ଧାରଣା।ଏଥର ବ୍ୟସ୍ତତାର କାରଣ ଠିକ୍ ଅଫିସ୍ କାମ ନୁହେଁ।ଏକ ଭିନ୍ନ କାମ।ଗଲା ଚିଠିରେ ଲେଖିଥିଲି ଆମ ହେଡ୍ ଅଫିସ୍ ଦିଲ୍ଲୀରୁ ଆମର ମ୍ୟାନେଜିଂ ଡ଼ିରେକ୍ଟର୍ ଆସିବାର ଥିଲା।ତାଙ୍କର ଆଗମନ ଉପଲକ୍ଷେହିଁ ମୋର ଅବସରହୀନ ବ୍ୟସ୍ତତା।ସେ ସପରିବାର ଆସିଥିଲେ। ତାଙ୍କର ଛୋଟ ପରିବାର ସୁଖୀ ପରିବାର।ସେମାନେ ମିଃ ଗୁପ୍ତା,ମିସେସ୍ ଗୁପ୍ତା ଓ ତାଙ୍କର ଏକମାତ୍ର ସନ୍ତାନ,ଝିଅ ଶୀଲାଗୁପ୍ତା।ମିସେସ୍ ଓ ମିସ୍ ଗୁପ୍ତାଙ୍କୁ ଓଡ଼ିଶାର ଦର୍ଶନୀୟ ସ୍ଥାନ ଦେଖାଇ ଦେବା ଭାର ମୁଁ ଏବଂ ମୋର ଆଉଜଣେ ସହକର୍ମୀ ଅଗସ୍ତି ଉପରେ ପଡ଼ିଥିଲା।ଆମର ମ୍ୟାନେଜର ସାହେବମାନେ କାହିଁକି ବାଛିଲେ ମୁଁ ଜାଣେନା।ଅଗସ୍ତି ଇତିହାସର ଛାତ୍ର।ବନାରସରେ ପାଠ ପଢ଼ିଛି। ଭଲ ହିନ୍ଦୀ କହିପାରେ।ଭଲ କଥା ଜମେଇ କହିପାରେ।ସେ ପ୍ରକୃତରେ ଉପଯୁକ୍ତ ବ୍ୟକ୍ତି।କିନ୍ତୁ ମୋ ଉପରେ ଦାୟିତ୍ବଟା ଅଜାତିକୁ ବଣିଜ ଅଡ଼ୁଆ ପରି ହୋଇଗଲା।ଯାହାହେଉ ଦାୟିତ୍ବ ସମ୍ପନ୍ନ କରିବାକୁ ହେଲା।କାର୍ରେ ମିସେସ୍ ଗୁପ୍ତା ମିସ୍ଗୁପ୍ତାଙ୍କୁ ନେଇ ନନ୍ଦନକାନନ,ଖଣ୍ଡଗିରି,ଧଉଳିଗିରି,ଲିଙ୍ଗରାଜ ମନ୍ଦିର,ପୁରୀ,କୋଣାର୍କ,ଚିଲିକା,ବାରବାଟୀ ଷ୍ଟାଡ଼ିୟମ୍ ଇତ୍ୟାଦି ଇତ୍ୟାଦି ବହୁତ ସ୍ଥାନ ଯିବାକୁ ପଡ଼ିଲା।ଦୀର୍ଘ ଚାରିଦିନ ସେହି କାମରେ ହିଁ କଟିଗଲା।
ବର୍ତ୍ତମାନ ଏଇ ଗୁପ୍ତାମାନଙ୍କ ସମ୍ପର୍କରେ କିଛି ତୁମକୁ ଜଣାଏ।ମିସେସ୍ ଗୁପ୍ତା ଜଣେ ନିରହଙ୍କାର ଭଦ୍ରମହିଳା।ତାଙ୍କ କଥାବାର୍ତ୍ତା,ଚାଲିଚଳନ,ବେଶଭୂଷା ଓ ବ୍ୟବହାରରେ ଅହମିକା ନାହିଁ।କେତେବଡ଼ ଅଫିସର୍ଙ୍କର ସ୍ତ୍ରୀ।ଆଉ ଆମେ ଅଳ୍ପଦିନ ହେଲା ଚାକିରୀ କରିଥିବା ନୂଆ କୁଜୀ ଅଫିସର୍।ଆମମାନଙ୍କ ସହିତ ସେ ଆଦୌ ବ୍ୟବଧାନ ନରଖି ବ୍ୟବହାର କରୁଥିଲେ।ଆମେ ଯେପରି ତାଙ୍କର ଖାଇବା,ପିଇବା,ରହିବା ଇତ୍ୟାଦି ପ୍ରତ୍ୟେକଟି କଥା ସୁରୁଖୁରୁରେ ହେଉ ବୋଲି ଯତ୍ନ ନେଉଥିଲୁ,ସେ ବି ସେହିପରି ଆମ କଥା ବୁଝୁଥିଲେ।ମା ମାଉସୀଙ୍କ ପରି ତାଙ୍କ କଥାରେ ହାର୍ଦ୍ଦିକତା ଥିଲା।ମତେ ଯେତେବେଳେ ସେମାନଙ୍କ ସହିତ ଯିବା ଦାୟିତ୍ବ ଦିଆଗଲା ମୁଁ ବହୁତ ଅସ୍ବସ୍ତି ବୋଧ କରିଥିଲି।କିନ୍ତୁ ମିସେସ୍ ଗୁପ୍ତାଙ୍କ ଅମାୟିକ ବ୍ୟବହାର ଯୋଗୁ ସେ ଅସ୍ବସ୍ତି ଦୂର ହୋଇଗଲା।
ଆଉ ମିସ୍ଗୁପ୍ତା,ମିସ୍ ଶୀଲା ଗୁପ୍ତା।ଟିକିଏ ପୃଥୁଳାକାୟା।ତଥାପି ତାଙ୍କୁ ସୁନ୍ଦରୀ ନକହିବାର ଉପାୟ ନାହିଁ।ଅନ୍ୟ ନାରୀର ପ୍ରଶଂସା କରୁଚି ବୋଲି ରାଗିବ ନାହିଁ।ତୁମପରି ସେ ସୁନ୍ଦରୀ ନୁହନ୍ତିମ।ତୁମେ ତ ଅନନ୍ୟା।ମିସ୍ ଗୁପ୍ତା ଦିଲ୍ଲୀରେ ପି.ଏଚ.ଡ଼ି କରୁଛନ୍ତି।ଦିଲ୍ଲୀର ଝିଅ ତ।କଥାବାର୍ତ୍ତା ବ୍ୟବହାରରେ ତାଙ୍କର ଟିକିଏ ସଂକୋଚ ନାହିଁ।ସେ ନାରୀ,ତେଣୁ ପୁରୁଷଠାରୁ ଅଲଗା-ଏ ଭାବ ତାଙ୍କ ଭିତରେ ନାହିଁ।ବଡ଼ ମେଳାପୀ ଓ ବାବଦୂକା।ଅଗସ୍ତି ତାଙ୍କର କାଉଣ୍ଟର ପାର୍ଟ।ତାଙ୍କ ଦୁହିଁଙ୍କ ଭିତରେ ମୋ ପରି ସ୍ବଳ୍ପବାକ୍ ଲୋକର ଅବସ୍ଥା କଣ ହୋଇଥିବ କହିଲ।ତୁମେ ଭାବୁଥିବ,ସେମାନେ ଗପରେ ମଜ୍ଜି ଯାଉଥିବେ ଏବଂ ମୁଁ ଏକଲା ଶୂନ୍ୟ ଆକାଶକୁ ଚାହିଁ ରହି ଭାବନାରେ ବୁଡ଼ି ଯାଉଥିବି।ମିସ୍ ଗୁପ୍ତା,ମିସେସ୍ ଗୁପ୍ତା,“ଆପଣ କାହିଁକି କଥା କହୁନାହାନ୍ତି,କଥା କୁହନ୍ତୁ,ଆପଣ କାହିଁକି ଏତେ ଲାଜକୁଳା”ଇତ୍ୟାଦି କହି କହି ମତେ ବଡ଼ ବ୍ୟସ୍ତ କରି ପକାଉଥିଲେ।ଖାଇବା ବେଳେ ମିସେସ୍ ଗୁପ୍ତା ନିଜେ ପରଶି ଦେଉଥିଲେ।ସେତେବେଳେ ଅଗସ୍ତି କହୁଥିଲା,ଦିଅନ୍ତୁ। ‘ଦିଅନ୍ତୁ ଆଉ କିଛି ଦିଅନ୍ତୁ।ଆପଣଙ୍କ ହାତ ସ୍ପର୍ଶରେ ଏସବୁ ଅମୃତ ପରି ଲାଗୁଛି।’ଆଉ ମୁଁ ଭାବୁଥିଲି,‘ନାଁ ନାଁ,ଆଉ ଦରକାର ନାହିଁ।’ଫଳ ହେଉଥିଲା ମୁଁ ଲାଜରେ ଖାଉନାହିଁ ମନେକରି ମିସେସ୍ ଗୁପ୍ତା ଓ ମିସ୍ ଗୁପ୍ତା ମୋପାଖରେ ବେଶୀ ବେଶୀ ଖାଦ୍ୟ ପରଶି ଦେଉଥିଲେ।
ଅଗସ୍ତି ସେମାନଙ୍କୁ ଓଡ଼ିଶାଟା ପୂରା ଗପି ଯାଉଥିବ।ତା ସହିତ ତା ନିଜ ବଂଶର ଗରିମା।ତାଙ୍କର ଗ୍ରାଣ୍ଡ ଫାଦର୍ କିପରି ଯୁଦ୍ଧ କରିଥିଲେ ସେ ତାର ଚାକ୍ଷୁସ ବିବରଣୀ ଦେଉଥିବା ପରି ମନେ ହେଉଥିଲା।ଅଗସ୍ତିକୁ କିନ୍ତୁ ମୁଁ ପ୍ରଶଂସା ନକରି ରହିପାରୁନି।ସେ ସବୁବେଳେ ବଡ଼ ସଂକୋଚ ହୀନ।ମୋର ଧାରଣା ଥିଲା ମ୍ୟାନେଜିଂ ଡିରେକ୍ଟରଙ୍କର ସ୍ତ୍ରୀ ଏବଂ କନ୍ୟା ସହିତ ବ୍ୟବହାର କଲାବେଳେ ସେ ଟିକିଏ ଦୂରତା ରକ୍ଷାକରିବ।ବିଶେଷତଃ ମିଃ ଗୁପ୍ତା ଯେତେବେଳେ ଜଣେ ଭାରୀ କଡ଼ା ଲୋକ ବୋଲି ବିଖ୍ୟାତ।କିନ୍ତୁ ସେ ବୋଧହୁଏ ସେ କଥା ଭୁଲି ଯାଇଥିଲା ସେତେବେଳେ।କେତେବେଳେ ସେ ହଜାରେ ବାରଣ ସତ୍ତ୍ବେ ମିସ୍ ଗୁପ୍ତାଙ୍କ ଯୋତାକୁ ହାତରେ ଧରି ଚାଲିଯାଉଥିଲା ତ କେତେବେଳେ କହୁଥିଲା, ‘ଆସନ୍ତୁ’,ଆପଣଙ୍କୁ କାନ୍ଧରେ ବସାଇ ନେଇଯିବି।ଖଣ୍ଡଗିରିରେ ପାହାଚ ଉଠିଲା ବେଳକୁ ମିସେସ୍ ଗୁପ୍ତାଙ୍କୁ କଷ୍ଟ ହେଉଥିଲା।ମୁଁ ଭାବୁଥିଲି ହାତ ବଢ଼େଇ ତାଙ୍କ ହାତରେ ତାଙ୍କୁ ସାହାଯ୍ୟ କରିବି।କିନ୍ତୁ ମୋ ଭିତରେ ପାହାଡ଼ ପରି ସଂକୋଚ।ଅଥଚ ଅଗସ୍ତି ଦରକାର ଥାଉ ନଥାଉ ମିସ୍ ଗୁପ୍ତାଙ୍କ ହାତକୁ ବାରମ୍ବାର ଧରି ପକାଉଥିଲା।ମୁହଁ ଉପରେ ବଡ଼ ବଡ଼ କଥା କହି ପ୍ରଶଂସା କରିବାକୁ ତାର ଜିଭ ଟିକିଏ ଅଟକି ନ ଥିଲା।ମିସ୍ ଗୁପ୍ତାଙ୍କ ଦାୟିତ୍ବ ଅଗସ୍ତିକୁ ଦେଇ ମୁଁ ମିସେସ୍ ଗୁପ୍ତାଙ୍କ ପାଖେ ପାଖେ ପ୍ରାୟ ରହୁଥିଲି।ମିସେସ୍ ଗୁପ୍ତା ବି ଜଣେ ଗପୁଡ଼ି ଲୋକ।ତାଙ୍କ କଥାରେ ମଝିରେ ହଁ ମାରି, ମୁଣ୍ଡଟୁଙ୍ଗାରି,ପଦେ ଅଧେ କଥା କହି ମୁଁ ଚଳିଯିବାକୁ ଚେଷ୍ଟା କରୁଥିଲି।
ଶେଷ ପର୍ଯ୍ୟନ୍ତ ମୋର ଭୟ ଥିଲା,ସେମାନଙ୍କର ଯଦି କିଛି ଅସୁବିଧା ହୁଏ ତାହାହେଲେ ପରିଣାମ ବଡ଼ ଶୋଚନୀୟ ହେବ।ବଡ଼ ଲୋକଙ୍କ କଥା କି ନା!କିନ୍ତୁ ଯାହାହେଉ ସେପରି କିଛି ହୋଇନାହିଁ।ଫେରିଯିବା ପୂର୍ବରୁ ମିଃ ଗୁପ୍ତାଙ୍କ ସପକ୍ଷରେ ମିସେସ୍ ଗୁପ୍ତା ଅଗସ୍ତିକୁ ଓ ମୋତେ ବହୁତ ପ୍ରଶଂସା କଲେ।ଭୟ ଦୂର ହେଲା।
ଅଗସ୍ତି କଣ ମତେ କହିଲା ଶୁଣିଚ?କହିଲା,“ଧେତ୍,ଏପରି ଝିଅ ମୁଁ ବହୁତ ଦେଖିଚି।ବନାରସ୍ରେ ମୁଁ କେତେ ବଡ଼ ବଡ଼ ଲୋକଙ୍କର ଝିଅଙ୍କୁ ଜାଣେ।ସେମାନଙ୍କ ତୁଳନାରେ ମିସ୍ ଗୁପ୍ତା କିଛି ନୁହେଁ। You can win her by a few chips.”
ଏଭଳି ଅଶୋଭନୀୟ ମନ୍ତବ୍ୟ ମତେ ବଡ଼ ଖରାପ ଲାଗିଲା।ମୋର ତ ନାରୀ ବିଷୟରେ କିଛି ଧାରଣା ନାହିଁ।ନାରୀ ବୋଇଲେ ମୁଁ ଜାଣେ ତୁମକୁ।କେତେ ଦୂର ଜାଣେ ତା ବି ଜାଣେନା।ତେଣୁ ମୁଁ କିଛି ପ୍ରତିବାଦ କରିପାରିଲି ନାହିଁ।
ମିସ୍ ଗୁପ୍ତା ଉପାଖ୍ୟାନ ଏତିକି ଥାଉ।
ତୁମେ ମୋ ଉପରେ ରାଗି ନାହଁତ।ଚିଠି ଦେବ।ପରୀକ୍ଷା ପାଇଁ ବ୍ୟସ୍ତତା ଭିତରେ ମଧ୍ୟ ମୋ ପାଇଁ ଚିଠି ଲେଖିବାକୁ ସମୟ ରଖିଚ।ମୋର ଅଶେଷ ପ୍ରେମ ନିଅ।
। ଇତି।
ତୁମର ଆନନ୍ଦ।