ଚକ ଗଡ଼ି ଗଡ଼ି ଯାଏ


ଚକ ଗଡ଼ି ଗଡ଼ି ଯାଏ ସଜନୀରେ

ଚକ ଗଡ଼ି ଗଡ଼ି ଯାଏ

ସେଇ ଚକ ତଳେ ପୀଡ଼ିତ ପ୍ରାଣ ମୋ

ଜୀବନର ଗୀତ ଗାଏ-ସଜନୀରେ

ଚକ ଗଡ଼ି ଗଡ଼ି ଯାଏ-

-ପୂର୍ବରାଗ-

କହିବ କହିବ ମତେ ଥରଟିଏ ସଖି

କିଏସେ କଅଣ ତୁମ ମୁଖେ ଅଛି ରଖି

ଦେଖିଲେ ପାଗଳ ନ ଦେଖି ପାଗଳ ହୁଏ

ଯେତେ ଦେଖିଲେ ବି ହୃଦୟ ତୃପତ ନୁହେଁ।

ଭାବେ ଖାଲି ଆମେ ବିହଗ ବିହଗୀ ପରି

ଉଡ଼ି ବୁଲୁଥିବା ହୃଦୟେ ପୀରତି ଭରି,

ମୁଁ ଚାହେଁ ତୁମର ହୋଇବାକୁ ଆପଣାର

ତୁମେ ପାଶେ ଦେଇ ସକଳ ମୋ ଅଧିକାର,

ସବୁ ଭୁଲି ଖାଲି ଶୁଣିବାକୁ ନିତି ଚାହେଁ

ତୁମରି କଣ୍ଠୁ ‘ଭଲପାଏ-ଭଲପାଏ’-

ଭଲପାଏ ଭଲପାଏ

ଚକ ଗଡ଼ି ଗଡ଼ି ଯାଏ ସଜନୀରେ ଚକ ଗଡ଼ି ଗଡ଼ି ଯାଏ।

-ଅନୁରାଗ-

ଦୁଇଟି ପ୍ରାଣର ମିଳନ ଇଚ୍ଛା ପୂର୍ଣ୍ଣତା ଆଜି ଲଭିଲା

ଏ ମିଳନ ସଖି ବହୁତ ଯୁଗର ସାଧନା,

ମୋହନ ମଧୁର ସୃଷ୍ଟି ନୂତନ ଆମେ ଦୁହେଁ ସଖି, ଗଢ଼ିବା

ମୂର୍ତ୍ତ ହୋଇଚି ଏ ମିଳନେ ବିଭୁ କାମନା।

ଆମର ଯାତ୍ରା ପଥରେ ସଜନୀ,ଆସୁ ଯେତେ ଝଡ଼ ବତାସ,

ପ୍ରଳୟ ତାହାର ବିସ୍ତାର କରୁ ପକ୍ଷ,

ଅଗ୍ନିର ଦାହେ ଉଜଳିବା ଆମେ ହେବା ନାଇଁ କେବେ ହତାଶ

ବ୍ୟଥାର ଆଘାତେ ହରାଇବା ନାହିଁ ଲକ୍ଷ୍ୟ।

ଚକ ଗଡ଼ି ଗଡ଼ି ଯାଏ

ସକଳ ବିଘନ ଲଙ୍ଘନ କରି ସଜନୀରେ

ଚକ ଗଡ଼ି ଗଡ଼ି ଯାଏ।

-ଅସ୍ତରାଗ-

ପ୍ରଣୟ କବିତା ଆଲ୍‌ମାରୀ ପୋକ ଧରିଲାଣି-

କାନ୍ଥରେ ଚୂନ ଲାଗିଲାନି,

ମାସକ ଦରମା ପନ୍ଦର ଦିନେ ସରିଲାଣି

ଦୋକାନୀ ପଇସା ମାଗିଲାଣି।

କମ୍‌ କର ସବୁ ଖରଚ ଏଥର

କହିବାଟା ସାର ହେଉଚି ମାତର,

ମୁଁ ମଣିଷଟାଏ,ନୁହଇ ପଥର-

ମତେ କିଛି କଥା କୁହ ନାଇଁ

ତୁମ ଲାଗି ଖାଲି ଭାବି ମୁଁ ହେଉଚି

ତୁମେ ଭାବୁ ନାହଁ ମୋହ ପାଇଁ

ଘରୋଇ ବିଭାଗ ସଜାଡ଼ୁ ସଜାଡ଼ୁ ଦିନଗଲା

ପାଶୋରିଲା ବହିପଢା ବ୍ରତ,

ନୂତନ ପୃଥିବୀ ରଚିବା ସ୍ବପ୍ନ ମରିଗଲା,

ବଡ଼ ଦୁର୍ଗମ ଏଇ ପଥ।

ଏ ଜୀବନେ ଅଛି ଏତେ ବ୍ୟଥା

ଅବନତ କରି ଦିଏ ମଥା

ଜାଣିଥିଲେ ଆଗୁ ଏଇ କଥା-

ବ୍ୟର୍ଥ ଜୀବନ ହେଲା ଖାଲି,

ପୁଷ୍ପକ ଯାନେ ଉଡ଼ିବା କାମନା ଗଲା କାହିଁ,

ପାଦ ଥକି ଯାଏ ଚାଲି ଚାଲି।

ଚକ ଗଡ଼ି ଗଡ଼ି ଯାଏ ସଜନୀରେ

ଚକ ଗଡ଼ି ଗଡ଼ି ଯାଏ,

ସେଇ ଚକତଳେ ଆହତ ପ୍ରାଣ ମୋ

ଜୀବନର ଗୀତଗାଏ

ସଜନୀରେ ଚକ ଚଡ଼ି ଗଡ଼ି ଯାଏ।




+ -