॥ ୧॥
ମାଆଙ୍କୁ ମାଗିବି ମୋର
ଏଇଥର କାଚର କଣ୍ଢେଇ,
ରଖିବି ସୁନ୍ଦର କରି
ଥାକ ଥାକ ମୋ ଘର ସଜେଇ।
ତୁମେ ଦେଖି ହେଲେ ଚମକିତ
ସିଏ ଦେଖି ହେଲେ ଲୋଭାନ୍ବିତ
ମନେ ମନେ ହେବି ମୁଁ ଫୁଲେଇ
କି ସୁନ୍ଦର ମୋ କାଚ କଣ୍ଢେଇ!
କିନ୍ତୁ ଯେବେ ଅକସ୍ମାତ୍
କେବେ ତାହା ପଡ଼ିଯାଏ ତଳେ,
ଚୁର୍ମାର ଭାଙ୍ଗି ସତେ
ହୋଇଯିବ ଏକ ପଲକରେ!
ସେ ଆଉ ଫେରିବ ନାହିଁ
ଭାସିଗଲେ ମୁହିଁ ଅଶ୍ରୁଜଳେ!
ଆସିଥିଲା ଯେଉଁପରି ହସେଇ ସେ
ଚାଲିଯିବ ସେପରି କନ୍ଦେଇ?
ନା, ନା –ମାଆଙ୍କୁ ମାଗିବି ନାହିଁ
କାଚର କଣ୍ଢେଇ।
କାଚର କଣ୍ଢେଇ।
॥ ୨॥
ମାଆଙ୍କୁ ମାଗିବି ତେବେ
ଦିଅମୋତେ ଗୋଟେ ସିଂହାସନେ,
ହୀରାମାଳା ଲାଗିଥିବ
ସୁନାରୂପା ଲାଗିଥିବ
ଜ୍ୟୋତି ତା ଝଲକୁଥିବ ଯୋଜନ ଯୋଜନ॥
ଆଉ ମୁଁ ମାଗିବି ଏକ ବାରହାତ ଲମ୍ବ ତଲୁଆର,
ହୋଇଥିବ ଏପରି ତା ଧାର
ମୁଣ୍ଡଗଣ୍ଡି କରିଦେବ
ଦୁଇଖଣ୍ଡ,ଗୋଟିଏ ପାହାର।
ସତେ କେଡ଼େ ମଜା ହେବ!
ତୁମେମାନେ ଯେତେବେଳେ
ହୋଇଥିବ ଠିଆ
କରପତ୍ର ଯୋଡ଼ି,
ଆଜ୍ଞାମୋର ପାଳିବାକୁ
ସିଂହାସନ ପାଶେ ଧାଡ଼ି ଧାଡ଼ି।
ତାପରେ ଆସିବେ ଶତ୍ରୁ!
ଲାଗିଯିବ ଯୁଦ୍ଧ ଭୟଙ୍କର!
ମତେ ରାଜ୍ୟୁ ତଡ଼ି ଦେବେ
ନ ହେଲେ କରିବେ ବନ୍ଦୀ
କିମ୍ବା ପ୍ରାଣେ ମାରିଦେବେ
ଦୟା ତିଳେ ନ ହେବ ତାଙ୍କର !
ନା, ନା- ମାଆଙ୍କୁ ମାଗିବି ନାହିଁ
ସିଂହାସନ କିମ୍ବା ତଲୁଆର।
॥ ୩ ॥
ମାଆ ଗୋ କରୁଣାମୟୀ
ପ୍ରେମମୟୀ,
ଶାଶ୍ବତୀ ଚିନ୍ମୟୀ।
ତୁମ ପାଶେ ଉଭାହୋଇ
ଭୁଲିଯାଏ ସକଳ କାମନା,
ପ୍ରତି ଅଣୁ, କୋଷେ ମୋର ଜାଗିଉଠେ
ଗୋଟିଏ ପ୍ରାର୍ଥନା-
ଏ ରଂଗା ଚରଣ ତଳେ
ରହିବାକୁ ଅନୁଗତ କାଳ କାଳାନ୍ତରେ
ଦିଅ ମୋତେ ଦିଅଗୋ କେବଳ
ନିଷ୍ଠା ଅବିଚଳ।