ସତ୍ୟବାଦୀର ବକୁଳ କୁଞ୍ଜେ ସେଦିନ ସନ୍ଧ୍ୟାବେଳେ
ଆଗ୍ରହେ ଗୋଦାବରୀଶ କହିଲେ ସହକର୍ମୀର ମେଳେ
“ଅନ୍ଧବଧୀର ବିଦ୍ୟାଳୟର ଅଧ୍ୟକ୍ଷ ହେବାଲାଗି
ହୋଇଦିନେ ଅନୁରାଗୀ
ଦରଖାସ୍ତ ଦିନେ ଦେଇଥିଲି ଆଜି ମିଳେ ଉତ୍ତର ତାର
‘ଶୀଘ୍ର କାମରେ ଯୋଗ ଦିଅ’-ଲେଖିଛନ୍ତି ଯେ ସରକାର।
ସେତିକି ନୁହଇ ଯିବାକୁ ପଡ଼ିବ ସୁଦୂର ବିଲାତ ଦେଶ
ଆହୁରି ଉଚ୍ଚ ପଦବୀ ମିଳିବ ଶିକ୍ଷା ସେ ହେଲେ ଶେଷ।”
କଥା ନ ସରୁଣୁ ଉଲ୍ଲାସ ମନେ କହିଲେ ବନ୍ଧୁଗଣ
“ଏପରି ସୁଯୋଗ ଛାଡ଼ିବାର ନୁହେଁ,ଛାଡ଼ିବେ ବା କେତେଜଣ?
ଓଡ଼ିଆ ଜାତିର ଲୁଣ୍ଠିତ ମାନ ଜାଗ୍ରତ ହେଉ ଶେଷେ
ସୁଦୂର ବିଲାତ ଦେଶେ।”
ସକଳେ କହିଲେ ଆଗ୍ରହ ଭରେ ନିଜ ନିଜ ଅଭିମତ
ଗୋପବନ୍ଧୁର ଇଚ୍ଛା କେବଳ ହେଲା ନାହିଁ ଅବଗତ।
ତୁନି ହୋଇ ସିଏ ନିବିଡ଼ ଚିତ୍ତେ ଶୁଣୁଥିଲେ ସବୁକଥା,
ସଂକୋଚେ ଗୋଦାବରୀଶ ବିନୟେ ନତ କରି ଟିକେ ମଥା,
କଲେ ଏଇ ନିବେଦନ,
“ଜାଣିବାକୁ ଚାହେଁ ଏଇ ବିଷୟରେ ଆପଣଙ୍କର ମନ।”
ଟିକିଏ ନୀରବ ରହିଯାଇ ଗୋପବନ୍ଧୁ କହିଲେ ଧୀରେ
“ହୋଇବ ତୁମର ବିଲାତ ଯିବାଟା, ଟୋପି ପିନ୍ଧାଟା ଶିରେ
ଅର୍ଥାଗମଟା ହୋଇବ ତା ସାଥେ; ହୁଏ ମୁଁ କେବଳ ଭାଳି
ଅନ୍ଧବଧୀରେ ଶିକ୍ଷା ଦେବାଟା ସେଥିରେ ନୋହିବ ଖାଲି।”
ନ ବୁଝି ସେଥିରୁ କିଛି କଥା ଗୋଦାବରୀଶ ରହିଲେ ଚାହିଁ
ଗୋପବନ୍ଧୁ କି ବୁଝିଲେନି ସିଏ ଯିବେ ସେ ଶିକ୍ଷା ପାଇଁ!
“ବୁଝିପାରିଲ କି?”ଦୁଇ ଆଖେ ଗୋପବନ୍ଧୁର ଲୁହ ଆସେ
କହିଲେ ମଧୁର ଭାଷେ।
“ଅନ୍ଧବଧୀର ନୁହଇ ସେ ଖାଲି ଆଖି କାନ ଯାର ନାହିଁ
ଏ ଜାତିର ପରି ଅନ୍ଧ ବଧୀର ତୁମେ କି ଦେଖିଛ କାହିଁ?
ତାକୁ ଛାଡ଼ି ତମେ ବିଲାତକୁ ଯିବ? ବିଷମ ଦୁର୍ଭାବନା
ହଉ ତୁମେ ଯେବେ ଇଚ୍ଛା କରିଚ, କରିବି ନାଇଁ ମୁଁ ମନା।”
କଥା ଶେଷେ ଗୋପବନ୍ଧୁ ଚାହିଁଲେ ଗୋଦାବରୀଶର ମୁଖେ,
ଲୋତକ ବିନ୍ଦୁ ଢ଼ଳ ଢ଼ଳ ହୁଏ ଶାନ୍ତ ଦୁଇଟି ଆଖେ।
“କାନ୍ଦୁଚ କିଆଁ?” ପ୍ରଶ୍ନରେ ଗଲା ଉଛୁଳି ବେଦନା ଭାର
“ଅବୋଧ ମୁଁ ମୋର ବିଲାତ ଯିବାରେ ନାହିଁ ଆଉ ଦରକାର।”
ଅକାତରେ ଗୋଦାବରୀଶ କରିଲେ ସେଇଦିନ ଚିରତ୍ୟାଗ
ନୁହଇ କେବଳ ବିଲାତ ଯିବାର ଆଗ୍ରହ ଅନୁରାଗ
ତା ସାଥେ ତେଜିଲେ ଚାକିରୀ କରିବା ଆଶା,
ଜୀବନର ପଣ ହେଲା ଓଡ଼ିଆର ମୁଖେ ଫୁଟାଇବା ଭାଷା,
୩-୮-୫୭
ବାଣପୁର