॥ ୧ ॥
କ’ଣ ହୋଇଚି ତମର!
ବହୁତ ଦିନ ହେଲା ତମର ଦେଖା ନାହିଁ,
କିଛି ଖବର ନାହିଁ।
ତମେ ତ ଏପରି ମଝିରେ ମଝିରେ
କୁଆଡ଼େ ହଜିଯାଅ,
ପୁଣି ମୁଁ ଖୋଜିବା ଆଗରୁ
ମୋ ପାଖରେ ପହଞ୍ଚିଯାଅ।
ସେଥିପାଇଁ ତମର ବିରହ
ମତେ କଷ୍ଟ ନ ଦେଇ ବି
ମିଳନକୁ ମଧୁରତର କରେ।
ଏବେ କିନ୍ତୁ ମନେ ହେଉଚି
ବହୁତ ବହୁତ ଦିନ ଧରି
ତମକୁ ଦେଖିନି।
ଗୋଟାଏ ଶବ୍ଦହୀନ ଯନ୍ତ୍ରଣାରେ
ମନଟା ଛଟପଟ କରୁଚି,
ଗୋଟାଏ ଶୂନ୍ୟତା-ବୋଧରେ
ହୃଦୟ ହାହାକାର କରୁଚି,
ଗୋଟାଏ ଅଜଣା ଆଶଙ୍କାରେ
ମୁଁ ତ୍ରସ୍ତ ହୋଇ ପଡ଼ୁଚି।
କ’ଣ ହୋଇଚି ତମର?
ବହୁତ ଦିନ ହେଲା ତମର ଦେଖା ନାହିଁ
କିଛି ଖବର ନାହଁ।
॥ ୨ ॥
ତୁମକୁ ବୁଝିବା କଷ୍ଟ;
ସେଥିପାଇଁ ବୋଧହୁଏ
ମୁଁ ତୁମଙ୍କୁ ବୁଝିବାକୁ ଚେଷ୍ଟା କରିନି କେବେ।
କୁଆଡ଼େ ଯାଅ, କାହିଁକି ଆସ,
କେଉଁଠି ରହ- ତମର ଖବର ମୁଁ କିଛି ଜାଣେନା।
କିନ୍ତୁ ତୁମେ ଯେତେବେଳେ ଆସ
ସମୟ ନାହିଁ, ଅସମୟ ନାହିଁ
ଅବସରକୁ ବିଘ୍ନିତ କରି,
ଅପେକ୍ଷମାଣ ବହୁ ଦାୟିତ୍ବର
ଭିଡ଼ ଭିତରେ ବାଟ କାଟି,
କର୍ମ ବ୍ୟସ୍ତତାର ମଝିରେ
ଟିକିଏ ଫାଙ୍କ ଦେଖି
ତୁମେ ଚାଲିଆସ ଓ ଚାଲିଯାଅ।
ଆସିବା ପାଇଁ ଯେପରି ନିମନ୍ତ୍ରଣର
ଆବଶ୍ୟକତା ନ ଥାଏ,
ଫେରିଯିବା ପାଇ ସେପରି
ନ ଥାଏ ଅନୁମତିର ପ୍ରଶ୍ନ।
ତଥାପି ସେହି କେତୋଟି ମୁହୂର୍ତ୍ତ ପାଇଁ
ମୋ ଭିତରେ ସଞ୍ଚରି ଯାଏ
ନୂଆ ନୂଆ ଅନୁଭବରେ
ଅସଂଖ୍ୟ ଗଙ୍ଗ ଶିଉଳିର ବାସ୍ନା,
ମୋ ଭିତରେ ଜଳିଉଠେ
ଅସଂଖ୍ୟ ଶବ୍ଦର ଫୁଲ ଝରି,
ସେଥିପାଇଁ ମତେ ବହୁତ ଭଲ ଲାଗେ
ତୁମର ସେଇ କ୍ଷଣିକାର ରୂପ।
ମୁଁ କିନ୍ତୁ ଧରି ନେଇଥିଲି
ତୁମେ ସେହିପରି ଆସୁଥିବ ଓ ଯାଉଥିବ,
ନିମନ୍ତ୍ରଣର ଅପେକ୍ଷା ନ ରଖି
ଅତିଥେୟତାର ପ୍ରତ୍ୟାଶା ନ କରି।
ତୁମେ ଆସୁଥିବ
ମଝିରେ ମଝିରେ ଆସୁଥିବ,
ଗଙ୍ଗ ଶିଉଳିର ସୁରଭିରେ
ମୋତେ ଆମୋଦିତ କରିବାକୁ।
ଫୁଲଝରିର ରଶ୍ମିରେ
କିନ୍ତୁ ଏବେ କ’ଣ ହୋଇଚି ତମର?
ବହୁତ ଦିନ ହେଲା ତମର ଦେଖା ନାହିଁ,
ତମର କିଛି ଖବର ନାହିଁ।
॥ ୩ ॥
ତୁମ ସହିତ ଏତେ କାଳର ପରିଚୟ
ମୁଁ କିନ୍ତୁ ଜାଣେନା କ’ଣ ତୁମର ଠିକଣା?
ସେଥିପାଇଁ କେବଳ
ଦିନ ଦିନ ଅପେକ୍ଷା କରି ରହୁଚି,
ମନେ ମନେ ତୁମଙ୍କୁ ଅଜସ୍ର ନିମନ୍ତ୍ରଣ କରୁଚି,
ଅତୀତ ଦିନରେ ତୁମ ସମ୍ପର୍କର
ମାଧୁର୍ଯ୍ୟକୁ ସ୍ମରଣ କରୁଚି
ଏକ ନିରୂପାୟ ଅସହାୟ ବେଦନା ଭିତରେ।
ସତରେ କ’ଣ ହୋଇଚି ତମର?
ବହୁତ ଦିନ ହେଲା ତମର ଦେଖା ନାହିଁ,
ତମର କିଛି ଖବର ନାହିଁ।
॥ ୪ ॥
ତୁମ ପାଇଁ ପ୍ରଣୟର ନିଷ୍ଫଳ କାମନା ଭିତରେ
ବିରହର ବିରତିହୀନ ପ୍ରତୀକ୍ଷା ଭିତରେ
ଭାଷାହୀନ ନୀରବ ଯନ୍ତ୍ରଣା ଭିତରେ
ଦିନ ତ ମୋର ସରୁନାହିଁ ମାନସୀ।
ତମ ସହିତ କ’ଣ ଆଉ
ମିଳନ ହେବ ନାହିଁ ସତେ!