ହଠାତ୍ ଅନ୍ଧାର


ହଠାତ୍ଦପ୍କରି ନିଭିଗଲା ସବୁ ଆଲୁଅ,

ନିଭିଗଲା ଜଳଜଳ ହୋଇ ଜଳୁଥିବା

ସବୁ ବିଜୁଳିବତୀ

ମେଘଲିପା ଏତେବଡ଼ ଆକାଶରେ,

ଗୋଟିଏ ବି ନଥିଲେ ତାରା,

ଆଉ କେଉଁଦୂର ଉପତ୍ୟକାର ଅନ୍ତରାଳରେ

ଚନ୍ଦ୍ର ଉପଭୋଗ କରୁଥିଲା

ତାର ମାସାନ୍ତରର ଛୁଟି

 

ନିଭିଗଲା ସବୁ ଆଲୁଅ,

କିଟିମିଟି ଅନ୍ଧାର ଭିତରେ ବୁଡ଼ିଗଲା

ସବୁ ଗ୍ରାମ,ସବୁ ସହର,

ସବୁ ପାହାଡ଼, ପର୍ବତ, ନଦନଦୀ ଏବଂ ସମୁଦ୍ର

କେଉଁ ସତୀର ଅହଙ୍କାର ପାଖରେ

ମଥାନତ କରିଦେଲେ ସୂର୍ଯ୍ୟ ଏବଂ ଅଗ୍ନି

 

କୁଆଡ଼େ କୋଉଠି ଥିଲେ ବାହାରି ଆସିଲେ

ଅସଂଖ୍ୟ ବାଘ,ଭାଲୁ,ସାପ,

ମାଂସର ଲୋଭରେ ରୁଧିରର ପିପାସାରେ

କୁଆଡ଼େ କେଉଁଠି ଥିଲେ,ବାହାରି ଆସିଲେ

ଅସଂଖ୍ୟ ଭୂତ, ପ୍ରେତ ଏବଂ ରାକ୍ଷସ

ବିକୃତ ବିଭତ୍ସ ରୂପରେ

ଆରମ୍ଭ କରିଦେଲେ ଉଦ୍ଦାମ ନୃତ୍ୟ

ବିକଟ ଅଟ୍ଟହାସ୍ୟ

ଭୟରେ ଥରହର ହେଲ ପ୍ରାଣ

ପ୍ରକମ୍ପିତ ହେଲା ଛାତି;

କେହି କାହାକୁ ଦେଖିପାରିଲେ ନାହିଁ,

କେହି କାହାକୁ ଚିହ୍ନିପାରିଲେ ନାହିଁ

ନିବିଡ଼ ଅନ୍ଧକାର ଭିତରେ ହଜିଗଲା ସବୁ ପରିଚୟ

ନିବିଡ଼ ଅନ୍ଧକାର ଭିତରେ ମିଳେଇଗଲା ସବୁ ପାର୍ଥକ୍ୟ,

ନିବିଡ଼ ଅନ୍ଧକାର ଭିତରେ ବୁଡ଼ିଗଲା

ସବୁ ଅହଂକାର, ସବୁ ଗର୍ବ, ସବୁ ଗାରିମା

ସେଇ ଅନ୍ଧକାରର ସାଗରରେ ଫୁଟି ଉଠିଲା

ଅସଂଖ୍ୟ ନୀଳକଇଁ

ଅନାବରଣ ଅସହାୟତାର,

ଉନ୍ମୁକ୍ତ ଦୁର୍ବଳତାର

ଅନ୍ଧକାରର ସାମ୍ନା ସାମ୍ନି ହୋଇ

ନିଜ ପାଖରେ ଧରା ପଡ଼ିଗଲା

ଆପଣାର ଗୋପନ ପରିଚୟ

ଜଣା ପଡ଼ିଗଲା ନିଜକୁ ନେଇ

ନିଜେ ଗଢ଼ିଥିବା ଅଜଣା ରହସ୍ୟ

 

ଆଲୋକକୁ ଅବଜ୍ଞା କରିହୁଏ,

କରାଯାଇ ପାରେ ଅବମାନନା,

କିନ୍ତୁ ଅନ୍ଧକାର ପାଖରେ

କରିବାକୁ ପଡ଼େ ଆତ୍ମସମର୍ପଣ-ବିନା ସର୍ତ୍ତରେ

 

ମୋର ଦୁଇହାତ ତୋଳି ହୋଇଗଲା

ଆପେ ଆପେ ଉପରକୁ

ଏବଂ ଅବନତ ହୋଇଗଲା ମୁଖ,

ଆନତ ହୋଇଗଲା ଶିର

ଅନ୍ଧକାରର ଆଲୋକାୟିତ ଚରଣ ତଳରେ




+ -