କଦମ୍ବ ବନରେ ବଂଶୀ ଯେତେବେଳେ
ଉଠୁଥିଲା ବାଜି,
ଦିନ ନାହିଁ ରାତି ନାହିଁ,
ବେଳା ଅବେଳା ବି ନାହିଁ,
ଧୂଉ ଧୂଉ ଖରା ହେଉ
ହେଉ ଝଡ଼ ବର୍ଷା ବା କୁହୁଡ଼ି,
ଭୂଲିଯାଇ ଦେବାଲାଗି ଅଣ୍ଟାରେ ଖୋସଣୀ।
ଭୁଲିଯାଇ ବାନ୍ଧିବାକୁ କାଞ୍ଚୁଲୀର ଗଣ୍ଠି,
ଭୁଲିଯାଇ ଶାଶୁ ଆଉ ନଣନ୍ଦ ଗଞ୍ଜଣା,
ଛାଡ଼ି ଛୁଡ଼ି ସବୁକାମ
ତରତରେ ଯିବାବେଳେ ଢାଳି ଦେଇ ଦୁଧର କଳସୀ।
ଧାଉଁଥିଲେ ଶବ୍ଦମାନେ ଗୋପୀ ହୋଇ,
ହୋଇ ରାଧା, ଲଳିତା, ବିଶାଖା।
ବାନ୍ଧିବାକୁ ଆଲିଙ୍ଗନେ କଳାକାହ୍ନୁ ଭାବ ବିନୋଦିଆ,
ଶରତ ବସନ୍ତ ରାସେ ଗାଇବାକୁ ଗୀତ।
ଏମିତି ବି ପୁଣି ଦିନ ଥିଲା-
ହାରେମ୍ ମୋ ପୂର୍ଣ୍ଣ ହୋଇଥିଲା
ବଛା ବଛା ଶବ୍ଦମାନଙ୍କରେ,
ରୂପ ରଂଗ ଯଉବନେ ସଜଫୁଟା ଫୁଲଙ୍କର ପରି।
ଏବଂ ମୁଁ ମୋ ମନୋମତ ରୂପସୀଙ୍କୁ ନେଇ
କରୁଥିଲି ନୂଆ ନୂଆ ବନ୍ଧରେ ବିଳାସ।
ସେ ଦିନ କୁଆଡ଼େ ଗଲା!
କୁଆଡ଼େ ଗଲାଣି ଏବେ ସେ ଦିନର ଉଚ୍ଚପିଣ୍ଡା
ଧନଜନ ଗୋପଲକ୍ଷ୍ମୀ, ଦାସଦାସୀ ସବୁ-
ଚୂନ ଖସି ପଡ଼ୁଥିବା ମଇଳା କାନ୍ଥରେ
ଅପରାହ୍ନ ଛାଇ ସବୁ ବିଷର୍ଣ୍ଣ ବିଧୁର।
ସେ ଘରରେ ଆତଯାତ ହେଉଛନ୍ତି ଏବେ
ଜଣେ ଅଧେ ଶୁଷ୍କସ୍ତନା, ଗତାୟୁ ଯୌବନା
ଶବ୍ଦର ବିବର୍ଣ୍ଣା ନାରୀ।
ସେମାନେ କୁଆଡ଼େ ଗଲେ?
ହଜିଗଲେ, ମିଶିଗଲେ, ଧୂସର ଆକାଶେ!
ଚାହିଁ ଚାହିଁ ସେମାନଙ୍କ ସରଣୀକୁ
ଆଖି ପାଣି ଆଖି ତଳେ ମରେ।
ମୁଁ ଭାବେ ସେମାନେ ଆସି
ଭରିଦେବେ ଅନ୍ତଃପୁର କଳରବେ
କୁଳୁକୁଳୁ ତାନେ,
ମୋ ମଧ୍ୟେ ଉଠିବେ ଖେଳି
ଅନେକ ଉତ୍ଫଣ ନାଗ, ସହସ୍ର ଶୀତ୍କାରେ।
ଏବଂ ମୋ ନିବିଡ଼ ସ୍ପର୍ଶେ
ଅନ୍ତସତ୍ତ୍ବା ହେବେ ପୁଣି ଶବ୍ଦର ସୁନ୍ଦରୀ।
ସେମାନେ କୁଆଡ଼େ ଗଲେ?
ସେମାନେ କି ଜାଣିଗଲେ
ମୋ ପୌରୁଷ ଅପମୃତ
କେଉ ଜାରା ଶବରର ଶରେ,
ଯେଉଁ ହାତେ ଭାଙ୍ଗିଥିଲି ଶିବଧନୁ ଅନାୟାସେ
ହାତେ ଗାଣ୍ଡୀବ ଧନୁ ତୋଳିବାକୁ
ଶକ୍ତି ନାହିଁ ଆଉ।
ମୋ କାମନା ଦୀପ୍ତିହୀନ, ନିରୁତ୍ତାପ ଦହନ କେବଳ
ନିରର୍ଥକ ପ୍ରେମ ଯଦି ହୁଏ ନାହିଁ କୁମାରସମ୍ଭବ।
କେମନ୍ତେ ସହିବି ଏଇ ମୁହଁଫେରା, ହତାଦର
ଅଭୀପ୍ସିତା ଶବ୍ଦମାନଙ୍କର।