-୧-
ବଡ ସୁକଠୋର ଚିହ୍ନିବା ଏଇ ମଣିଷକୁ
ବହୁରୁପେ ସେତ ବିଚରଇ
ରଙ୍ଗ ରାଗର ପରିପାଟୀ ତଳେ ଆପଣାରେ
ଲୁଚାଇ ଗରଳ ବିତରଇ।
ପ୍ରିୟଜନ ବୋଲି ଯାଲାଗି ଗର୍ବ ଆସେରେ
ସଂକଟେ ସାହା ହେବ ବୋଲି ଯିଏ ଭାଷେରେ
ସେ କେବଳ ତୋର ଦାନ ମାରି ନେଇ ସୁଚତୁରେ
ଜୀବାଣୁର ସମ ପ୍ରସରଇ,
ବଡ ସୁକଠୋର ଚିହ୍ନିବା ଏଇ ମଣିଷକୁ
ବହୁରୂପେ ସେତ ବିଚରଇ ।
-୨-
ଆପଣାର ବୋଲି କହୁଚି ତୋତେ ଯେ ଅଯାଚିତେ
ତୁ ନ କଲେ ତାର ଜୟଗାନ
କୁଣ୍ଠିତ ତିଳେ ନହେବସେ କାଲି ଦେବା ପାଇଁ
ବହୁ ଲୋକ ମୁଖେ ଅପମାନ।
-୩-
ଲୁଚାଇ ନିଜର ଶୂନ୍ୟତା ଚାରୁ ପୋଷାକରେ
ଭୁଲାଇ ଯେପାରେ କଉଶଳେ।
ସରସ କଥାରେ ମୁଗ୍ଧଯେ କରେ ସତକଥା
ଲୁଚାଇ କଥାର ଛଟାତଳେ।
ସେ କେବଳ ଏଇ ଜଗତେ ବଞ୍ଚି ପାରଇ
ସତ୍ୟ ସାଧକ ଜୀବନ ଆହବେ ହାରଇ,
ଖୋଜିବେନି କେହି ପ୍ରଚାର ନ କଲେ ଆପଣାରେ
ନିଜ ଜୟଗାନ ନାହିଁକଲେ,
ଲୁଚାଇ ନିଜର ଶୁନ୍ୟତା
ଚାରୁ ପୋଷାକରେ
ଭୁଲାଇ ଯେପାରେ କଉଶଳେ,
-୪-
ମୁଖରେ କହଇ ମଧୁର କଥାର ସୁରଧୂନୀ
ବୁକୁରେ ଅଗ୍ନି ଜଳୁଥାଏ,
ସ୍ବାର୍ଥ ନ ତେଜେ ଅକାତରେ କେହି କହିଲେବି
‘ମୁଁ ତୁମରେ ଭାରି ଭଲପାଏ-’
ଆପଣାର ଲାଗି ଚିନ୍ତିତ ସଦା ସକଳେ
କେହି ବୁଝେନାହିଁ କେ ମଲା ଜୀଇଁଲା ଭୂତଳେ,
ସାର କଥାଖାଲି ଜଗତେ ପାରିବା ଆପଣାରେ
ଭସାଇ ଏ ମହା ପରବାହେ,
ମୁଖରେ କହଇ ମଧୁର କଥାର ସୁରଧୂନୀ
ବୁକୁରେ ଅଗ୍ନି ଜଳୁଥାଏ।
-୫-
ନିଜର ଭିତରେ ରହିଚି ଭରିଯେ ମଳିନତା
ନ କରେ ତା କାରେ ବିଚଳିତ,
ଆନଠାରେ କିଛି କଳୁଷ ଦେଖିଲେ ସବୁଲୋକେ
ନିଶି ଦିନ ହେବେ ମୁଖରିତ
ଆଦରଶ କଥା ଯେଉଁଲୋକ କହି ବୁଲଇ
ପହିଲେ ସେଇତ ସବୁ ଆଦରଶ ଭୁଲଇ
ଆନପଥେ ଯିଏ ସୃଜି ବିଘ୍ନ ଆପଣାର
ପଥ ଚହେଁ ହେଉ ଅବାରିତ,
ନିଜର ଭିତରେ ରହିଚି ଭରିଯେ ମଳିନତା
ନ କରେ ତା କାରେ ବିଚଳିତ
-୬-
ମୁଁ ଯେତେ ଦେଖୁଛି ମଣିଷ ମୋହର ନୟନରେ
(ସବୁ)ଛଦ୍ମ ବେଶର ପରିଚୟ,
କାହାରି କଥାରେ ବିଶ୍ବାସ ମୋର ଆସେନାହିଁ
ଆସଇ କେବଳ ମନେଭୟ
ସୁଯୋଗ ପାଇଲେ ଦଂଶନ କିଏ କରିବ
କଥାରେ ଭୁଲାଇ ସବୁ କିଛି ଅପହରିବ
ଦୂରୁହ ମଣିଷ ଚିହ୍ନିବା ତେଣୁ ବୁଝିଚି ମୁଁ
ବଞ୍ଚିବା ମୋର ପରାଜୟ।
ମୁଁ ଯେତେ ଦେଖୁଚି ମଣିଷ ମୋହର ନୟନରେ
(ସବୁ)ଛଦ୍ମ ବେଶର ପରିଚୟ।