ନିଶି ପରେ ନିଶି ଅପସରି ଯାଏ
ନଭ ପ୍ରାଙ୍ଗଣେ ଚନ୍ଦ୍ର ଝାଉଁଳି ଝରେ,
ପଳାତକା କେଉଁ ଅପ୍ସରୀ ଗଳୁ
ହିମ-ମୁକ୍ତାର ମାଳା ଛିଡ଼ି ତଳେ ପଡ଼େ।
ହେ ମହା ମରଣ ନିଷ୍ଫଳ ହୁଏ
ତୁମ ପଥ ଚାହିଁ ଶର୍ବରୀ ଅଭିସାର,
ଆଲୋକ ଭୀରୁ ହେ ଆଲୋକ ଆସିଲେ
କରି ଦିଏ ତେଣୁ ରୁଦ୍ଧ ଗୋପନ ଦ୍ବାର।
ସାଗରର ସମ ଉତ୍ତାଳ ହୁଏ
ବର୍ଷା ବ୍ୟାକୁଳ ଆଜି ଏ ଅମାର ରାତି,
ଯେ ଯାର ନିଳୟେ ସୁପ୍ତ ହେଲେଣି
ତନ୍ବୀ ତରୁଣୀ ପ୍ରିୟାର ପ୍ରଣୟେ ମାତି।
ତୁମ ପଥେ ଏକା ଅନାଇଁ ବସିଚି,
ମିଳିଚି ମିଳନ ପାଇଁ ଅମୃତ ଯୋଗ,
ହେ ମହା ମରଣ ପ୍ରାଣ-ପ୍ରିୟତମ
ପୁରେ ଆସ ମୋର କରୁଚି ମୁଁ ଅନୁଯୋଗ।
ମୁକୁଳା ରଖିଚି ମନ୍ଦିର ମୋର
ଜାଗ୍ରତ ମୋର ରହିଚି ହୃଦୟ ମନ,
ପଖାଳିବି ପଦ-ପଦ୍ମ ବୋଲି ମୁଁ
ଅଶ୍ରୁରେ ଭରି ରଖିଅଛି ମୋ ନୟନ।
ଅଭିମାନ ନାହିଁ ଅଭିସାରିକା ମୁଁ-
ତୁମରି ଶୀତଳ ସ୍ପର୍ଶ ମୁଁ ଅଭିଳଷେ,
ଧୀରେ ଆସି ତୁମ ଭିତରକୁ ମତେ
ଭସାଇ ନିଅ ହେ ଉଚ୍ଛଳ ପ୍ରୀତି-ରସେ।
ନିଭାଅ ପ୍ରଦୀପ ଲଜ୍ଜ୍ୟା ମୋ ହରି
ଲୁଣ୍ଠନ କର ସକଳ ମୋ ଯଉବନ,
ଆଶ୍ଳେଷେ ତବ ମୁଗ୍ଧ କର ହେ
ପ୍ରୀତିରେ ତୁମର ଜାଳିଦିଅ ଦେହ ମନ।
ନିଜର ବୋଲି ଯା ରଖିଚି ଗର୍ବେ
ତୁମରି ଭିତରେ ଲୁପ୍ତ ତା ହୋଇଯାଉ,-
ହେ ମହାମରଣ ପ୍ରାଣ ପ୍ରିୟତମ
ବିରହେ କାତର ମତେ ନାହିଁ କର ଆଉ।