॥ ୧ ॥
ମୋହର ଅନେକ ନାମ
ଅନେକ ଠିକଣା-
ତଥାପି ମୁଁ ଏଇ ଛୋଟ
ସହର ଭିତରେ
ନିଜକୁ ପାଉନି ଖୋଜି, ହୁଏ ବାଟବଣା।
ମୁଁ ସତରେ ବୁଲି ବୁଲି ଆସିଅଛି
ବହୁ ଗ୍ରାମ,ସହର,ବଜାର,
ମୁଁ ଆସିଛି ଖୋଜି ଖୋଜି
ବହୁ ବନ ଉପତ୍ୟକା ନଦୀ ଓ ସାଗର।
ସବୁଠାରେ ମୁଁ ଦେଖିଚି ପଦଚିହ୍ନ ତା’ର
ହୁଏତ ମୋହର-
ମୁଁ ସେଠାରେ ଥିଲି କେବେ
ଆଉ ସେଠି ନାହିଁ,
କୁଆଡ଼େ ମୁଁ ଗଲି ସତେ
ନିଜକୁ ତ ଖୋଜି ପାଉନାହିଁ।
ନିଜକୁ କେଉଁଠି ଠାବ
ପାରିବି ମୁଁ କରି
ଏତେ ଗୁଡ଼େ ନାମ ମୋର,
ଏତେ ଗୁଡ଼େ ପରିଚୟ ଧରି,
ମୁଁ କେଉଁଠି ହଜିଗଲି
ବଡ଼ କଷ୍ଟ ନିଜକୁ ଖୋଜିବା,
ତା ଠାରୁ ସହଜ ବରଂ
ହଜିଯିବା ଖାଲି ହଜିଯିବା।
॥ ୨॥
ଏଇ ଛୋଟ ସହରର
ଅଙ୍କାବଙ୍କା ଆବୁ ଖାବୁ ଅଣଓସାରିଆ
ରାସ୍ତାଯାକ ପାରିହୋଇ
କେଉଁ ଏକ ଅମୁହାଁ ଗଳିରେ,
ଯାହା ସାଙ୍ଗେ ଭେଟହେବ
ମିଞ୍ଜି ମିଞ୍ଜି ଆଲୁଅ ଓ ଛାଇ ଅନ୍ଧାରରେ,
ସେ ମତେ କଢ଼ାଇ ନେବ
ବାଟ ଅତି ପରିଚିତ ପରି
କେବେ ପଛୁ ଧକ୍କାମାରି
ଅବା ମୋର ଅନ୍ଧ ହାତଧରି-
ଗଳିର ଶେଷରେ ଯେଉଁ
ପଚରା ନର୍ଦ୍ଦମା
ତାର ସାତତାଳ ପାଣି
ନଅ ତାଳ ପଙ୍କ
ତାହାରି ଭିତରେ ଅଛି ଗୋଟାଏ ସୁଡ଼ଙ୍ଗ,
ସେହି ବାଟେ ବାଟେ ଗଲେ ରାଜାର ଉଆସ
ଜଗିଛି କାଳୀୟ ନାଗ
ଚାରିପଟେ ନିଶି ଓ ଦିବସ।
ଆଖି ଦୁଇ ଉପାଡ଼ି ସେ
ନାଗପାଶେ କରିଦେଲେ ପୂଜା
ଛାଡ଼ିଦେବ ପଥ, ତାର
ଅବନତ କରିଦେବ ଫଣା-
ତାହାପରେ ରାଜାଙ୍କର
ଫୁଲର ଅଗଣା।
ଫୁଲର କେଶରେ ସଜା
ରତ୍ନ ପଲଙ୍କରେ
ମୁଁ ତ ଶୋଇ ରହିଥିବି
ଗହମ ନିଦରେ।
ମୁଁ ନିଜକୁ ଉଠାଇବି
ଆଖି ମଳି ମଳି
ନିଦରୁ ମୁଁ ଉଠୁ ଉଠୁ
ଆପଣାକୁ ପକାଇବି ଚିହ୍ନି
ବହୁଦିନ ପରେ ଦେଖା ବନ୍ଧୁଟିଏ ପରି
ଆପଣାକୁ ଆଲିଙ୍ଗନେ ରଖିବି ମୁଁ ଭିଡ଼।
॥ ୩ ॥
କେଉଁଠି ଅମୁହାଁ ଗଳି
ତାହାର ନର୍ଦ୍ଦମା
ଏଇ ଛୋଟ ସହରର-
ଖୋଜି ଖୋଜି ପାଉନାହିଁ ଜମା।