॥ ୧ ॥
ଏକ ଝଡ଼ି ବର୍ଷାଲଗା
ସକାଳର ମଳିନ ଆଲୋକେ
ମୁଁ ଦେଖିଲି ପ୍ରଭୁମୋର ନାଚୁଛନ୍ତି
ଫୁଲଟିଏ ହୋଇ,
ବରଷାରେ ଭିଜିଭିଜି,ପବନରେ ଝୁଲିଝୁଲି
ପତ୍ର ଗହଣରେ,
ସତେ ଅବା ଅମାନିଆ ଦୁଷ୍ଟ ପିଲାଟିଏ ॥
ମୁଁ ପୁଣି ଦେଖିଲି ଦିନେ
ପ୍ରଭୁମୋର ହସୁଛନ୍ତି ଶୁଚିସ୍ମିତ ହାସ,
ଫୁଲ ତୋଡ଼ାଟିଏ ହୋଇ
ମୋ ଘରର ଟେବୁଲ୍ ଉପରେ,
ପ୍ରିୟତମା ନାରୀପରି ସୁଗନ୍ଧି ଓ ରଙ୍ଗ ମାଖି ହୋଇ
ସତେ ଅବା ମତେ ଖାଲି କରିବାକୁ ଖୁସୀ।
ପ୍ରଭୁମୋର ପ୍ରେମର ମୁରତି।
॥ ୨॥
ଆଉ ଦିନକର କଥା,
ସିଡ଼ିଟାରେ ଚଢ଼ୁ ଚଢ଼ୁ ଖସିଗଲା ପାଦ
ଅନେକ ଆଘାତ ପାଇ ଦେହମନ ପ୍ରାଣେ
ପଡ଼ିଥିଲି ଶୋଇ ପ୍ରାୟ ନିଶ୍ଚେତନ ହୋଇ,
ଅବିଚଳ ବରଫର ସ୍ତୁପଟାଏ ପରି।
ପ୍ରଭୁ ଆସି ଉଠେଇଲେ ମତେ,
କହିଲେ‘ହେ ଉଠ, ଉଠ,
ଏଇ ଅବେଳାରେ
ଏମିତି ଶୋଇଚ କିଆଁ!
ଚାଲଯିବା ବୁଲି ସେଇ ପାହାଡ଼ ପାଖକୁ,
ଚଢ଼ିବା ତା ଚରମ ଚୂଡ଼ାରେ।’
ମନା ମୋର ମାନିଲେନି
ମତେନେଲେ ଟାଣି ଟାଣି
ସେ ଗିରିର ଶୃଙ୍ଗେ ନେଇ
ଦେଖାଇଲେ ଆକାଶର ରୂପ॥
ପ୍ରଭୁଙ୍କର ମହିମା ଅପାର।
॥ ୩॥
ଅକସ୍ମାତ୍ ଦିନେ ଏକ ନରମ ସାହାହ୍ନେ
ନିଶ୍ଚିନ୍ତ ଅଳସ ମନ-ପରଦା ଉପରେ
ଆଙ୍କୁଥିଲି ଛବି ଏକ ଆଗାମୀ ଦିନର;
ପ୍ରଭୁମୋର ପହଞ୍ଚିଲେ ବ୍ୟାଘ୍ରଟିଏ ହୋଇ।
ଚାଲି ଆଉ ଚାହାଣୀରେ ରାଜକୀୟ ଭାବ,
କହିଲେ, “କ୍ଷୁଧାର୍ତ୍ତ ମୁହିଁ, ତୁମଙ୍କୁ ଖାଇବି।”
ସାଙ୍ଗେ ସାଙ୍ଗେ ଆଉ କାଳ କ୍ଷେପଣ ନ କରି,
ଅପେକ୍ଷା ନ କରି ମୋର ଅନୁମତି ପାଇଁ,
ବିକଟାଳ ନଖଦନ୍ତ ବିକଶିତ କରି
ମୋ ଉପରେ ଲମ୍ଫ ଦେଲେ-
ଗଳା ଚିରି ପାନକଲେ ମୋ ଉଷ୍ଣ ରକତ,
ଖାଇଲେ ମୋ ଅସ୍ଥି,ମଜ୍ଜା, ମାଂସ ଓ କଲିଜା,
ଖିନ୍ଭିନ୍ କଲେ ମତେ ମୁହୂର୍ତ୍ତକେ ଅସୀମ ତୃପ୍ତିରେ।
ପ୍ରଭୁମୋର କରୁଣା ସାଗର।