ଶଶି ପଟ୍ଟନାୟକ


ଭୁବନେଶ୍ବର କୋଠାରେ ଅଜସ୍ର ଫୁଲରେ

ସଜେଇ ହେଉଚି

ମଧୁମାଳତୀର ଲତା

କଟକ ବସାରେ ରକ୍ତମନ୍ଦାରର ଫୁଟିବା

ଏବେ ବି ଶେଷ ହୋଇନାହିଁ

ନୀଳ ଗୋଲାପର ଗଛଟି ଅବଶ୍ୟ ଶୁଖି ଯାଇଛି

କଲିକତା କ୍ବାଟର୍ସରେ

ପଣ୍ଡିଚେରୀର ସମୁଦ୍ର ଆକାଶରେ

ଏବେ ବି ଚାଲିଛି

ଉତ୍ତରଣ ଅବତରଣର କ୍ରୀଡ଼ା

ତୁମଙ୍କୁ ନନେଇ ବି କଲିକତା ମାନ୍ଦ୍ରାଜ ଡାକଗାଡ଼ି

ଠିକ୍ସମୟରେ ଯିବା ଆସିବା କରୁଛି

 

ସଭା ସମିତିରେ ନୂତନ ନୂତନ ବକ୍ତା

ଲୁଟି ନେଉଛନ୍ତି ତୁମର ଏକଚାଟିଆ ହାତତାଳି

ତୁମରି ଆସନରେ ବସି ଆଉ ଜଣେ

କ୍ଷମତା ଜାହିର କରୁଛନ୍ତି-ଠିକ୍ତୁମପରି,

ଏବଂ ତୁମର ମୁଖର ସ୍ତାବକମାନେ ପାଠ କରୁଛନ୍ତି

ସେଇ ଏକାସ୍ତବ

ନୂତନ ପ୍ରଭୁଙ୍କ ସମ୍ମୁଖରେ

 

ବଂଚିଥିବାବେଳେ ଭାବି ହୁଏନା

ନିଜକୁ ନେଇ ଏଇ ପୃଥିବୀର କଥା;

ବଂଚିଥିବାବେଳେ ଦେଖି ହୁଏନା

ନିଜର ମୁଖ୍ୟ ଭୂମିକା ବାହାରେ ଏକ ନାଟକ!

କିନ୍ତୁ ମରିଗଲାପରେ କଣ ସେ ସବୁ ଜାଣିହୁଏ?

ବୁଝି ହୁଏ?

 

ଏବେ ବି ମତେ ଦେଖାଯାଉଛି

ଗାଡ଼ି,ଘର,କ୍ଷମତା,ପଦବୀ ଭିତରେ

ଝଲମଲ କରୁଥିବା ତୁମର ଆଖିର ହସ

ଏବେ ବି ମତେ ଦେଖାଯାଉଛି

ସେଇ ଆଖିରୁ ଗୋପନରେ ଝରି ପଡ଼ୁଥିବା

ଏକ ବିରାଟ ବିଫଳତାର ଟୋପା ଟୋପା ତପ୍ତ ଅଶ୍ରୁ

 

ତୁମଙ୍କୁ ମୁଁ ଭୁଲିପାରୁନି,

ତୁମକଥା ଭାବିଲେ ମନକୁ ଆସିଯାଏ ମୋର ନିଜକଥା

ଏବଂ ନିଜକଥା ଭାବିଲେ ମନକୁ ଆପେ ଆପେ

ତୁମେହିଁ ଆସିଯାଅ

କାରଣ ତୁମକଥା, ମୋର କଥା

କେବଳ ଗୋଟିଏ କଥା




+ -