“ମୁଁ ଲୋକମାନଙ୍କର ସେବାକୁ ଜୀବନର ବ୍ରତ ବୋଲି ଗ୍ରହଣ କରି ନେଇଛି।ମୁଁ ମୋର ଶକ୍ତି ଅନୁସାରେ ଏଇ ଭାରତ ମାତାର ସେବା କରିବି,ଆଉ ଉତ୍କଳ ଜନନୀର ସେବା କରିବି; ମୋର ଏଇ ଜନ୍ମମାଟି ନିଜଗଡ଼ର ସେବା କରିବି। ସେଥିପାଇଁ ମୁଁ ଆପଣମାନଙ୍କର ସମର୍ଥନ ଓ ଶୁଭେଚ୍ଛା ପାଇ ମୁଁ ମନ୍ତ୍ରୀ ହୋଇଛି।ମୋର ସବୁ ଶକ୍ତି ଦେଇ ମୁଁ ଆପଣମାନଙ୍କର ସେବା କରି ଆସିଛି।ସେଇ ସୁଯୋଗ ମତେ ଦେଇଥିବାରୁ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ। ଶୁଭାକାଂକ୍ଷୀ ବନ୍ଧୁମାନଙ୍କର ଅନୁରୋଧକୁ ଉପେକ୍ଷା କରି ନପାରି,ଆପଣ ମାନଙ୍କର ସାହାଯ୍ୟ ଓ ସହଯୋଗ ଉପରେ ନିର୍ଭର କରି ମୁଁ ପୁଣି ଥରେ ଏଇ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛି।ମୋର ବିଶ୍ବାସ ଆପଣମାନେ ମତେ ପୁଣି ନିର୍ବାଚନରେ ଜ଼ୟଯୁକ୍ତ କରେଇବେ।ଏବଂ ଅଧିକ ଉତ୍ସାହରେ ଆପଣମାନଙ୍କର ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ମତେ ସୁଯୋଗ ଦେବେ।”
ଉପେନ୍ଦ୍ର ମହାନ୍ତିଙ୍କର କଥା ନ ସରୁଣୁ ସଭା କରତାଳିରେ ଶବ୍ଦାୟମାନ ହେଲା।ତା ସହିତ ସ୍ଳୋଗାନ‘ଉପେନ୍ଦ୍ର ମହାନ୍ତି ଜିନ୍ଦାବାଦ’‘ଉପେନ୍ଦ୍ର ମହାନ୍ତି ଆମର ନେତା-ଆମର ନେତା ଇତ୍ୟାଦି।’
କୋଳାହଳ ବନ୍ଦ ହେବାପରେ ଉପେନ୍ଦ୍ର ମହାନ୍ତି ପୁଣି ତାଙ୍କର ଭାଷଣ ଆରମ୍ଭ କଲେ।ଆପଣମାନେ ଜାଣନ୍ତି,ମୋ ବିରୁଦ୍ଧରେ ଗୋଟିଏ ଚକ୍ରାନ୍ତ ଚାଲିଛି।ମୋ ପଛରେ ଆପଣ ମାନଙ୍କର ଅକୁଣ୍ଠ ସମର୍ଥନ ଅଛି ଜାଣି,ମୋତେ ପରାଜିତ କରିବାର କୌଣସି ଉପାୟ ନଥିବା ଜାଣି,ମୋର ବିରୁଦ୍ଧ ଗୋଷ୍ଠୀ ନାନା ପ୍ରକାର ଚକ୍ରାନ୍ତ କରି ଚାଲିଛନ୍ତି।ମୁଁ ଯେଉଁମାନଙ୍କର ଉପକାର କରିଛି,ସେହିମାନେ ମୋରି ବିରୁଦ୍ଧରେ ଠିଆ ହୋଇଛନ୍ତି।ଏଭଳି ଅକୃତଜ୍ଞତାର ଉଦାହରଣର ତ ଯୁଗେ ଯୁଗେ ଅଭାବ ନାହିଁ।ଆପଣମାନେ ରାମାୟଣରେ,ମହାଭାରତରେ,ଭାଗବତରେ,ବାଇବେଲ୍ରେ କୋରାନ୍ରେ ସବୁ ବଡ଼ ବଡ଼ ଅକୃତଜ୍ଞ ଲୋକମାନଙ୍କର କଥା ଜାଣିବାକୁ ପାଇବେ।କିନ୍ତୁ ସେମାନେ କେବେ ସଫଳ ହୋଇ ନାହାନ୍ତି। ଏବେ ଜାଣିବାକୁ ପାଇବେ।ଏବେ ବି ସଫଳ ହୋଇ ପାରିବେ ନାହିଁ।ଯେତେଦିନ ପର୍ଯ୍ୟନ୍ତ ଆପଣମାନେ ମୋ ପଛରେ ଅଛନ୍ତି,ମୁଁ ସେହି କୁଚକ୍ରୀମାନଙ୍କୁ ତିଳେମାତ୍ର ଖାତିର୍ କରିବି ନାହିଁ।ମୁଁ ଜାଣେ ସେମାନେ ଆପଣମାନଙ୍କର ବଜ୍ର ମୁଷ୍ଟିରେ ଧୂଳିସାତ୍ ହୋଇଯିବେ।ସେମାନଙ୍କ ଭିତରେ ଅନେକ ଆସି ପୁଣି ମୋ ପାଖରେ କ୍ଷମା ମାଗିବେ,ମୋ ଠାରୁ ସାହାଯ୍ୟ ଚାହିଁବେ।ଆପଣମାନେ ତ ଜାଣନ୍ତି ମୁଁ ଜଣେ ଉଦାର ଲୋକ।ମୁଁ ଏପରି ଅନେକ ଲୋକଙ୍କୁ କ୍ଷମା କରିଛି,ପୁଣି ହୁଏତ ସେମାନଙ୍କୁ କ୍ଷମା କରିଦେବି-
“ନା,ନା,-ସେମାନଙ୍କୁ କ୍ଷମା ଦିଆଯିବ ନାହିଁ।ବିରୁଦ୍ଧ ଗୋଷ୍ଠୀ ମୁର୍ଦ୍ଦାବାଦ,ବିରୁଦ୍ଧ ଗୋଷ୍ଠୀ ମୁର୍ଦ୍ଦାବାଦ”ଇତ୍ୟାଦି ଧ୍ବନୀରେ ପୁଣି ସଭାସ୍ଥଳ କିଛି ସମୟ ପାଇଁ ମୁଖର ହେଲା।
“ଆପଣମାନେ ଜାଣନ୍ତି,ଏଥର ବିରୁଦ୍ଧଦଳ ସବୁ ଏକଜୁଟ ହୋଇ ମୋ ବିରୁଦ୍ଧରେ ଜଣେ ମିଳିତ ପ୍ରାର୍ଥୀ ଠିଆ କରେଇଛନ୍ତି।ଜଣ ଜଣ ହୋଇ ସେମାନେ କେହି ମୋର ସମ୍ମୁଖୀନ ହୋଇ ପାରିଲେ ନାହିଁ।ତେଣୁ ଅଭିମନ୍ୟୁକୁ ମାରିବା ପାଇଁ କୌରବ ସପ୍ତରଥୀ ଯେପରି ଏକାଠି ହୋଇ ଆକ୍ରମଣ କଲେ, ଏଥର ଠିକ୍ ସେପରି ଏକ ଷଡ଼ଯନ୍ତ୍ର ହୋଇଛି।ମୁଁ କିନ୍ତୁ ଡରିଯିବା ଲୋକ ନୁହେଁ,ମୁଁ ବୀର,‘ବୀର ମରେନାହିଁ ପରାଣ ଆତଙ୍କେ’-ବିରୁଦ୍ଧ ଦଳର ବ୍ୟୁହ ଭାଙ୍ଗି ମୁଁ ବିଜୟୀ ହୋଇ ଫେରି ଆସେ ମୋତେ ଆପଣ ମାନେ ଏଇ ଆଶିର୍ବାଦ ଦିଅନ୍ତୁ। ଏଇ ଶୁଭେଚ୍ଛା ଦିଅନ୍ତୁ।”
ସଭାସ୍ଥଳରେ ପୁଣି ସ୍ଳୋଗାନର କୋଳାହଳ।
“ମୋ ବିରୁଦ୍ଧରେ କୁଚକ୍ରୀମାନେ କେତେକ ମନଗଢ଼ା ଅଭିଯୋଗ ଆଣି ଗୁଡ଼ାଏ ପ୍ରଚାର ପତ୍ର ବାଣ୍ଟିଛନ୍ତି।‘ଗୁଲିଖଟି ଗପ’ବୋଲି ଗୋଟାଏ କଥା ଅଛି।ମୁଁ ଭାବୁଛି ଅଭିଯୋଗ ଗୁଡ଼ିକ ତିଆରି କରିବା ବେଳେ ସେମାନେ ବୋଧ ହୁଏ ଗୁଲିଖଟିରେ ବସିଥିଲେ।ତାଙ୍କର ସେଇ ମିଥ୍ୟା ଅଭିସନ୍ଧିମୂଳକ ଭିତ୍ତିହୀନ ଅଭିଯୋଗ ଗୁଡ଼ିକର ଉତ୍ତର ଦେବାର କୌଣସି ଆବଶ୍ୟକତା ନାହିଁ।କାରଣ ଆପଣମାନେ ଭଲ କରି ଜାଣନ୍ତିମୁଁ କଣ,ମୁଁ କିପରି ଲୋକ।ମୁଁ କଣ କରିଚି ନ କରିଚି। ତଥାପି ସେହି ଅଭିଯୋଗ ସମ୍ପର୍କରେ କାହାର ମନରେ କିଛି ଦ୍ବିଧା ରହିଥିବ ମୁଁ ସେଥିପାଇଁ ତାର ଉତ୍ତର ଏଠାରେ ଦେବା ଉଚିତ ମନେ କରୁଚି।”
ଉପେନ୍ଦ୍ର ମହାନ୍ତି ଟେବୁଲ୍ ଉପରେ ଥିବା ପାଣି ଗ୍ଲାସ୍ ଉଠାଇ ଧୀରେ ଧୀରେ ପାନ କଲେ,ରୁମାଲ୍ରେ ମୁହଁ ପୋଛି, ରୁମାଲ୍ଟିକୁ ଯତ୍ନର ସହିତ ପକେଟସ୍ଥ କଲେ।ତାପରେ ସେ କହିବାକୁ ଆରମ୍ଭ କଲେ।
“ମୋ ବିରୁଦ୍ଧରେ ପ୍ରଥମ ଅଭିଯୋଗ ମୁଁ ମନ୍ତ୍ରୀ ହୋଇ ବହୁତ କଳାଧନ ଅର୍ଜନ କରିଛି।ମୁଁ ପ୍ରଥମେ ମୋର ଅଭିଯୋଗ କର୍ତ୍ତାମାନଙ୍କୁ ମନେ ପକାଇ ଦେବାକୁ ଚାହେଁ,ମୁଁ ଉପେନ୍ଦ୍ର ମହାନ୍ତି ନିଜଗଡ଼ର ପୁରୁଣା ଜମିଦାର ରାୟ ବାହାଦୂର ବ୍ରଜେନ୍ଦ୍ର ମହାନ୍ତିଙ୍କର ନାତି।ରାୟ ସାହେବ ସୁରେନ୍ଦ୍ର ମହାନ୍ତିଙ୍କର ପୁଅ।ମୁଁ ସେମାନଙ୍କର ପ୍ରତିନିଧି,ମୋ ସହିତ ନିର୍ବାଚନ ପ୍ରତିଦ୍ବନ୍ଦିତା କରୁଥିବା ଇସ୍କୁଲ ମାଷ୍ଟର ହରି ମହାପାତ୍ର ନୁହେଁ।ହରି ମହାପାତ୍ରଙ୍କର ବାପା ଯଜମାନି କରୁଥିଲେ।ତାଙ୍କ ଗୋସବାପା ରାୟ ବାହାଦୂର ବ୍ରଜେନ୍ଦ୍ର ମହାନ୍ତିଙ୍କର ମନ୍ଦିରର ପୂଜାରୀ ଥିଲେ।ତେଣୁ ଧନ ସମ୍ପତ୍ତି ହରି ମହାପାତ୍ରଙ୍କୁ ଗୋଟାଏ ବଡ଼ କଥା ବୋଲି ଜଣା ପଡ଼ିବ ନିଶ୍ଚୟ।ସେ ନିର୍ବାଚନରେ ଜିଣିଲେ ମାସକୁ ୫୦୦ଟଙ୍କା ଭତ୍ତା ପାଇବେ।ତାଙ୍କ ଜୀବନରେ ସେ ସେତିକି ଟଙ୍କା ଏକ ସମୟରେ କେବେ ଭତ୍ତା ପାଇବେ।ତାଙ୍କ ଜୀବନରେ ସେ ସେତିକି ଟଙ୍କା ଏକ ସମୟରେ କେବେ ଦେଖି ନଥିବେ।କିନ୍ତୁ ମୁଁ ଉପେନ୍ଦ୍ର ମହାନ୍ତି ଟଙ୍କା ପଇସା ଲୋଭରେ ରାଜନୀତି କରିବାକୁ ଆସିନାହିଁ। ମୁଁ ମାସକୁ ପାଞ୍ଚଶହ ଟଙ୍କାରୁ ବେଶୀ ଗରୀବ ଛାତ୍ରଙ୍କୁ ସାହାଯ୍ୟ ଦେଇଥାଏ।ମୋର ଅର୍ଥାଭାବ ବା ଅର୍ଥଲୋଭ ନଥିଲା ନାହିଁ, କେବେ ବି ରହିବ ନାହିଁ।ଦୁର୍ନୀତି ନିରୋଧ କରିବା ପାଇଁ ମୁଁ ପ୍ରତିଜ୍ଞାବଦ୍ଧ।ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ମୁଁ କେବେ ପଶ୍ଚାଦ୍ପଦ ହୋଇନାହିଁ କିମ୍ବା ହେବନାହିଁ।ସେଥିପାଇଁ ଯେଉଁମାନଙ୍କ ସ୍ବାର୍ଥରେ ଆଘାତ ଲାଗିଛି ସେମାନେ ମୋ ବିରୁଦ୍ଧରେ ଏହିପରି ଅପପ୍ରଚାର ଚଳେଇଛନ୍ତି।ମୋ ଦୃଢ଼ ବିଶ୍ବାସ ଆପଣମାନେ ସେହିମାନଙ୍କର ଅପପ୍ରଚାରରେ ଭୁଲିବେ ନାହିଁ।ମୋର ଏ ବିଶ୍ବାସ ଅଛି।ଆପଣ ମାନେ ବିଶ୍ବାସ କରନ୍ତୁ,ମୁଁ ଏ ହାତରେ ଅନ୍ୟମାନଙ୍କୁ ଦାନ କରିବି ନାହିଁ ସିନା,ଅନ୍ୟ କାହାଠାରୁ ଏକ ପଇସା ଗ୍ରହଣ କରିବିନାହିଁ।”
ଅଦୂରରେ ହରିହର ମହାପାତ୍ରେ ମନ୍ତ୍ରୀଙ୍କର ଭାଷଣ ଶୁଣୁଥିବା ବେଳେ ଭାବୁଥିଲେ,ସଂଜୟ କଣ ତାଙ୍କୁ ମିଛ ଖବର ଦେଇଥିଲା?
ସଂଜୟ ତାଙ୍କର ଭଣଜା।ସେ ଡାକ୍ତର।କଟକରୁ କୋରାପୁଟ ବଦଳି ବନ୍ଦ କରିବାକୁ ବହୁତ ଚେଷ୍ଟା କରି ନିସ୍ଫଳ ହେବାପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଉପେନ୍ଦ୍ର ମହାନ୍ତିଙ୍କୁ ତାହା ଚର ମାଧ୍ୟମରେ ଦଶ ହଜାର ଟଙ୍କା ଦେଇ ସେ କାର୍ଯ୍ୟ ହାସଲ କରିଥିଲା।ଏହା ଏକ ନୂଆ କଥା ନୁହେଁ।ସ୍ବାସ୍ଥ୍ୟ ଦପ୍ତରର ଏହା ଏକ ଗତାନୁଗତିକ ନିୟମ ବୋଲି ସଂଜୟ ତାଙ୍କୁ ବୁଝାଇ ଦେଇଥିଲା।ଉପେନ୍ଦ୍ର ମହାନ୍ତିଙ୍କର କଥା ଦୃଢ଼ତା ହରିହର ମହାପାତ୍ରଙ୍କୁ ଟିକିଏ ଶଂକିତ କରି ପକେଇଲା।ନିଜ ଚିନ୍ତାକୁ ସ୍ଥଗିତ ରଖି ସେ ମନ୍ତ୍ରୀଙ୍କର ଭାଷଣ ପ୍ରତି ଧ୍ୟାନ ଦେଲେ।
“ମୋ ବିରୁଦ୍ଧରେ ଦ୍ବିତୀୟ ଅଭିଯୋଗ ମୁଁ ମୋର ଆତ୍ମୀୟ ମାନଙ୍କୁ ବଡ଼ ବଡ଼ ଚାକିରୀରେ ବସେଇ ଦେଇଛି।ବିଶେଷତଃ ମୋ ପୁଅକୁ ମାସିକ ତିନିହଜାର ଟଙ୍କା ଦରମାରେ ଗୋଟାଏ କମ୍ପାନୀରେ ଅଫିସର୍ କରେଇ ଦେଇଛି।ଏଭଳି ଏକ ଅଭିଯୋଗ ଯେ ବିକୃତ ମନର ପରିଚାୟକ ତାହା କହିବା ବାହୁଲ୍ୟ,ମୋର ପୁଅ ବି.ଏ. ପଢ଼ିଛି।ସେ ଯେଉଁ ଚାକିରୀ ପାଇଛି ସେଥିପାଇଁ ୧୫୦୦ ପ୍ରାର୍ଥୀ ଥିଲେ।ସମସ୍ତଙ୍କୁ ଇଣ୍ଟରଭିଉ କରି ପରୀକ୍ଷା କରିବା ପରେ କମ୍ପାନୀର ବିଜ୍ଞ ଓ ବୁଦ୍ଧିମାନ ଡାଇରେକ୍ଟର୍ମାନେ ମୋର ପୁଅକୁ ଉପଯୁକ୍ତ ବୋଲି ବାଛିଲେ।ମୋର ପୁଅର ଦକ୍ଷତା କଣ ମୋର ଦୋଷ।ମୁଁ ହରି ମହାପାତ୍ରଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ-ମୁଁ ତାଙ୍କର ଛାତ୍ର।ନବମ ଶ୍ରେଣୀରେ ପଢ଼ିବା ବେଳେ ତାଙ୍କ ପୁତୁରାକୁ ଶତକଡ଼ା ନବେ ନମ୍ବର ଦେଇ ଦେଉଥିଲେ,ଏବଂ ମୋତେ ଓ ମୋ ପରି ଆହୁରି ଅନେକ ପିଲାଙ୍କୁ କୃପଣଙ୍କ ପରି ୮।୧୦ ନମ୍ବର ମଧ୍ୟ ଦେବାକୁ କୁଣ୍ଠିତ ହେଉଥିଲେ।ମୁଁ ପଚାରିବାକୁ ଚାହେଁ ସେ ଏପରି ଅନ୍ୟାୟ,ଏପରି ପକ୍ଷପାତିତା କାହିଁକି କରୁଥିଲେ।ତାଙ୍କ ପୁତୁରା ବର୍ଷକୁ ବର୍ଷ ଫାଷ୍ଟ ହୋଇ କ୍ଲାସ ଉଠି ଯାଉଥିବା ବେଳେ ଆମେ ଫେଲ୍ ହୋଇ ପଛକେ ପଡ଼ି ରହୁଥିଲୁ।ସେତେବେଳେ ତାଙ୍କର ବିଚାର ବୁଦ୍ଧି କୁଆଡ଼େ ଯାଇଥିଲା।ତାଙ୍କୁ ପୁଣି ତାଙ୍କର ଗୋଡାଣିଆ ମାନେ କହୁଛନ୍ତି ନେତା।”
ସଭାସ୍ଥଳ କିଛି ସମୟ ପାଇଁ ହରି ମହାପାତ୍ର ମୁର୍ଦ୍ଧାବାଦ ଧ୍ବନିରେ ମୁଖର ହେଲା।
ହରିହର ନୀରବରେ ବିଗତ ଦିନ ଗୁଡ଼ିକୁ ମୁହୂର୍ତ୍ତକ ଭିତରେ ସ୍ମରଣ କରିନେଲେ।
ସମସ୍ତଙ୍କୁ ପାଠ ପଢ଼ାରେ ଲଗାଇବାକୁ ତାଙ୍କୁ ବର୍ଷ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଛି।ପଛରେ ପଡ଼ି ରହୁଥିବା ଛାତ୍ରମାନଙ୍କ ପାଇଁ ତାଙ୍କର ସବୁବେଳେ ବିଶେଷଦୃଷ୍ଟି ବିଶେଷ ଯତ୍ନ ଥାଏ।ଉପେନ୍ଦ୍ର ମହାନ୍ତିଙ୍କର ବାପା ଚାହୁଁଥିଲେ ତାଙ୍କ ପୁଅ ବିଲାତ ପଢ଼ିବାକୁ ଯାଉ।ସାହେବମାନଙ୍କ ପରି ସାହେବ ହେଉ‘ସାର୍’ଉପାଧି ପାଇ କୁଳ ଉଜ୍ଜ୍ବଳ କରୁ।ସେ ତାଙ୍କୁ ଅନୁରୋଧ କରିଥିଲେ ତାଙ୍କ ପୁଅ ପ୍ରତି ବିଶେଷ ଧ୍ୟାନ ଦେବାକୁ।କିନ୍ତୁ ଉପେନ୍ଦ୍ର ମହାନ୍ତି ଥିଲେ ପାଠପ୍ରତି ନିସ୍ପୃହ।ପାଠ ପଢ଼ିବା ଥିଳା ତାଙ୍କର ଗୋଟିଏ ବିଳାସ ମାତ୍ର।କିନ୍ତୁ ତାଙ୍କର ପୁତୁରା ନିରଞ୍ଜନ-ବାପା ମା ଛେଉଣ୍ଡ ନିରାଶ୍ରୟ ପିଲାଟାକୁ ପାଖରେ ରଖି ଅଳ୍ପ କିଛି ପାଠ ପଢ଼େଇ ଗୋଟାଏ କିରାଣୀ ଚାକିରୀରେ ଲଗେଇ ଦେବା ତାଙ୍କର ଲକ୍ଷ୍ୟ ଥିଲା।କିନ୍ତୁ ସେ ପିଲାଦିନରୁ ମନକୁମନ ପାଠ ପଢ଼ି ଆଗେଇ ଚାଲିଲା।ସେ କେବେ ପ୍ରଥମ ସ୍ଥାନରୁ ତଳକୁ ଆସି ନାହିଁ।ବିଶ୍ବବିଦ୍ୟାଳୟର ସବୁ ପରୀକ୍ଷାରେ ମଧ୍ୟ ତାର ସ୍ଥାନଥିଲା ପ୍ରଥମ।ସେ ଏମ୍.ଏ. ପାଶ୍କରି ଅଧ୍ୟୟନ ହେଲା।ବିଲାତ ଯାଇ ଡକ୍ଟରେଟ୍ କଲା। ତାର କୃତୀତ୍ବ ତାର ସାଧନାର ଫଳ।କାହାର ପକ୍ଷପାତିତା ବା ଅନୁଗ୍ରହର ପାତ୍ର ସେ କେବେ ହୋଇନାହିଁ।ଉପେନ୍ଦ୍ର ମହାନ୍ତିଙ୍କର ଅଭିଯୋଗ ପୁଣି ହରିହର ଭାବିଲେ,ଉପେନ୍ଦ୍ରର ଏବେ ବି ପିଲାଳିଆମି ଯାଇନାହିଁ।
ହରିହର ନିଜକୁ ଚିନ୍ତାମୁକ୍ତ କରି ମନ୍ତ୍ରୀଙ୍କର ଭାଷଣ ପ୍ରତି ପୁଣି ଧ୍ୟାନ ଦେଲେ।
“ମୋ ବିରୁଦ୍ଧରେ ତୃତୀୟ ଅଭିଯୋଗ,ମୁଁ ଏ ଅଞ୍ଚଳର ଉନ୍ନତିପାଇଁ ବେଶୀକିଛି କରିନାହିଁ।ମୁଁ କେବଳ ଏତିକି କହିବାକୁ ଚାହେଁ,ଗତ ଦଶବର୍ଷ ଭିତରେ ଏ ଅଞ୍ଚଳରେ ମୁଁ ଯାହା କାମ କରିଛି, ତାହା ଆଉ କେହି ୨୫ବର୍ଷ ଭିତରେ ବି କରିପାରି ନଥାନ୍ତା।ମୁଁ ଚାଲେଞ୍ଜ କରି କହିପାରେ,ହରି ମହାପାତ୍ରେ ସେତିକି କାମ ଶହେବର୍ଷ ଭିତରେ ବି କରେଇ ପାରିବେ ନାହିଁ। ହରି ମହାପାତ୍ରେ ରାଜନୀତିର କଣ ଜାଣନ୍ତି?ତାଙ୍କର ବୁଦ୍ଧି କେତେ!କଥାରେ କହନ୍ତି ମାଷ୍ଟ୍ର ହେଲେ ବୁଦ୍ଧି ଲୋପ ପାଇଯାଏ।ବାରବର୍ଷ ମାଷ୍ଟରି କରିଥିବା ଲୋକର ସାକ୍ଷ୍ୟକୁ ବ୍ରିଟିଶ୍ ସରକାର ଅମଳେ ଜଜ୍ ମାଜିଷ୍ଣ୍ରେଟ୍ମାନେ ଗ୍ରହଣ କରୁନଥିଲେ ବୋଲି ଶୁଣାଯାଏ।ସେହିପରି ଜଣେ ବୃଦ୍ଧ ସ୍କୁଲ ମାଷ୍ଟର ଏଇ ଉପେନ୍ଦ୍ର ମହାନ୍ତି ଅପେକ୍ଷା ଅଧିକ କାମ କରି ପାରିବ ବୋଲି ଆପଣମାନେ ବିଶ୍ବାସ କରୁଛନ୍ତି?”
“ସଭାସ୍ଥଳରୁ ଉପେନ୍ଦ୍ର ମହାନ୍ତିଙ୍କ ସମର୍ଥକମାନେ ପାଟିକରି ଉଠିଲେ, ନାଁ ନାଁ ନାଁ ଉପେନ୍ଦ୍ର ମହାନ୍ତି ଆମର ନେତା; ହରି ମହାପାତ୍ର ମୁର୍ଦ୍ଦାବାଦ।”
କୋଳାହଳ କମିବା ମାତ୍ରେ ଉପେନ୍ଦ୍ର ମହାନ୍ତି କହି ଚାଲିଲେ,“ଆପଣମାନେ ହରି ମହାପାତ୍ରଙ୍କର ସାଧାସିଧା ଚେହେରା ଦେଖି ଭାବନ୍ତୁ ନାହିଁ।ମୁଁ ଜାଣେ ତାଙ୍କୁ କେହି କେହି ସରଳ ଲୋକ‘ନିଜ ଗଡ଼ର ସାକ୍ଷୀ’ବୋଲି କହନ୍ତି। କିନ୍ତୁ ମନେ ରଖନ୍ତୁ ଖଦଡ଼ ପିନ୍ଧିଲେ କେହି ଗାନ୍ଧୀ ବନିଯାଏ ନାହିଁ,ଜେଲ୍ ଗଲେ ଲୋକ ନେତା ହୋଇଯାଏ ନାହିଁ।ଦେଶପାଇଁ କାମ ନକଲେ, ଜାତି ପାଇଁ କାମ ନକଲେ ଲୋକସେବା ନକଲେ କେହି ନେତା ହେବାପାଇଁ ଯୋଗ୍ୟ ହୋଇ ପାରେନା।ଆପଣମାନେ ଜାଣନ୍ତି,ମୋର କଣ ବା ଅଭାବ ଥିଲା!ମୁଁ ତୁଳିତଳ୍ପରେ ଆରାମରେ ଦିନ ନକାଟି,ଦିନନାହିଁ ରାତିନାହିଁ,ଖରାନାହିଁ,ବର୍ଷା ନାହିଁ କାହିଁକି ଖଟୁଚି?କାହାପାଇଁ ଖଟୁଚି?ମୁଁ ଆପଣମାନଙ୍କ ପାଇଁ,ଦେଶପାଇଁ,ଜାତିପାଇଁ ସବୁ ତ୍ୟାଗ କରି ଦେଇଛି, ନିଜକୁ ଭୁଲି ଯାଇଛି।ମୋର ଲକ୍ଷ୍ୟ‘ମିଶୁ ମୋର ଦେହ ଏଦେଶ ମାଟିରେ,ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।’ହରି ମହାପାତ୍ରଙ୍କ ପରି ଦରମାଖଣ୍ଡକ ପାଇଁ ମୁଁ ପିଲାମାନଙ୍କୁ ପାଠ ପଢ଼ାଉ ନାହିଁ।”
ସଭାସ୍ଥଳ ପୁଣି ପ୍ରକମ୍ପିତ ହୋଇ ଉଠିଲା, ଉପେନ୍ଦ୍ର ମହାନ୍ତିଙ୍କ ଜୟ ନାଦରେ।
ସେଇ ଅବସରରେ ହରିହର ଟିକିଏ ଅନ୍ତର୍ସମୀକ୍ଷା କରିନେଲେ।
ତାଙ୍କୁ ଯେତେବେଳେ ୧୨ ବର୍ଷ,ସେ ସେତେବେଳେ ସତ୍ୟବାଦୀ ବନ ବିଦ୍ୟାଳୟ କଥା ପ୍ରଥମେ ଜାଣିବାକୁ ପାଇଥିଲେ, ତାଙ୍କର ଶିକ୍ଷକ ଥିଲେ ଜଣେ ଗାନ୍ଧିବାଦୀ ଆଦର୍ଶ ପୁରୁଷ-ଶମ୍ଭୁନାଥ ରାୟ।ଚମତ୍କାର ଭାବରେ ସେ ପାଠ ପଢ଼ାଉଥିଲେ। ମଝିରେ ମଝିରେ ସେ ଗାନ୍ଧିଜୀ ଓ ତାଙ୍କର ଅହିଂସା ଆନ୍ଦୋଳନର କଥା ମଧ୍ୟ ପିଲାମାନଙ୍କୁ କହୁଥିଲେ।ତାଙ୍କଠାରୁ ସେ ଗୋପବନ୍ଧୁ,ତାଙ୍କର ସତ୍ୟବାଦୀ ବନ ବିଦ୍ୟାଳୟ ଓ ତାଙ୍କର ସହକର୍ମୀ ନୀଳକଣ୍ଠ,ଗୋଦାବରୀଶ,ହରିହର,କୃପାସିନ୍ଧୁଙ୍କ କଥା ଶୁଣି ବହୁତ ଉଦ୍ବୁଦ୍ଧ ହୋଇଥିଲେ।କିଛିଦିନ ପରେ ଶମ୍ଭୁନାଥ ବାବୁଙ୍କୁ ପୋଲିସ ଗିରଫ କରି ନେଲା।ବନ୍ଧାହୋଇ ଯିବାବେଳେ ତାଙ୍କ ମନରେ ଟିକିଏ ଶୋଚନା ନଥିଲା।ସେ ଦମ୍ଭର ସହିତ କହି ଚାଲିଥିଲେ‘ବନ୍ଦେମାତରମ୍।’ ମହାତ୍ମାଗାନ୍ଧୀକି ଜୟ।ଭାରତ ମାତାକି ଜୟ।ତାଙ୍କ ସ୍ବରରେ ସ୍ବର ମିଳାଇବାକୁ କାହାରି ସାହାସ ନଥିଲା। କେବଳ ସେ ନିଜକୁ ସଂଜତ କରି ନପାରି ଥରେ ମାତ୍ର କହିଦେଇଥିଲେ ବନ୍ଦେ ମାତରମ୍ ଏବଂ ସେଥିପାଇଁ ତାଙ୍କୁ ଥାନାକୁ ଯିବାକୁ ପଡ଼ିଥିଲା ଏବଂ ସେଠାରେ କୋଡ଼ିଏ ବେତ ଖାଇବାକୁ ହୋଇଥିଲା।ତା ସହିତ ଦାରୋଗା ସାହେବଙ୍କଠାରୁ ଗୋଟିଏ ବ୍ରହ୍ମଚାପୁଡା,ସ୍ବରାଜ୍ୟ ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ହୋଇ ନଥିଲେ ମଧ୍ୟ ଗାନ୍ଧୀ ଗୋପବନ୍ଧୁଙ୍କ ଆଡ଼କୁ ତାଙ୍କର ମନ ଟାଣି ହୋଇ ଯାଇଥିଲା।ସତ୍ୟବାଦୀ ବନ ବିଦ୍ୟାଳୟରେ ପଢ଼ିବାପାଇଁ ମନସ୍ଥିର କରି ସେ କାହାକୁ କିଛି ନକହି ଆଠଦିନ କାଳ ଚାଲି ଚାଲି ଭୋକ ଉପାସରେ ସତ୍ୟବାଦୀରେ ପହଞ୍ଚିଲେ।ସେଠାରେ ତାଙ୍କୁ ଆଶ୍ରୟ ମିଳିଥିଲା।କିନ୍ତୁ ତାର ଅଳ୍ପ କିଛିକାଳ ପରେ ବନ ବିଦ୍ୟାଳୟ ଭାଙ୍ଗିଗଲା।ଯେତିକି ଦିନ ସେ ସେଠାରେ ପଢ଼ିଥିଲେ ତାର ଗଭୀର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା।ସେ ଗୋଟିଏ କଥା ଭଲଭାବରେ ବୁଝିଥିଲେ- ବ୍ୟକ୍ତିର ବିକାଶରେ ହିଁ ସମାଜର ବିକାଶ।ଦେଶର ବିକାଶ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସତ୍,ସାଧୁ,ସଚ୍ଚରିତ୍ର ହେଲେଯାଇ ଦେଶର ମଙ୍ଗଳ ହେବ।ବାପୁଜୀଙ୍କର ସ୍ବରାଜ୍ୟର ସ୍ବପ୍ନ,ରାମରାଜ୍ୟର ସପ୍ନ ସଫଳ ହେବ।ଆଗେ ନିଜର ଚରିତ୍ର ଗଠନ କରିବା ଥିଲା ସେଥିପାଇଁ ତାଙ୍କର ଆଜୀବନ ସାଧନା।ଗୋଦାବରୀଶ ନୀଳକଣ୍ଠଙ୍କ ପରି ସବୁ ମୋହ ତ୍ୟାଗ କରି ଶିକ୍ଷକ ହୋଇ ଭବିଷ୍ୟତର ନାଗରିକ ଗଢ଼ିବା ଥିଲା ତାଙ୍କର ଧେୟ।ଏ ପର୍ଯ୍ୟନ୍ତ ଏ ଦୁଇଟି କାର୍ଯ୍ୟହିଁ ସେ କରି ଚାଲିଛନ୍ତି।ରାଜନୀତିର ବିଶେଷ ଅର୍ଥ ପ୍ରକୃତରେ ସେ ଜାଣନ୍ତି ନାହିଁ।ରାଜନୀତିରେ ପଶି ଭୋଟ ଲଢ଼େଇରେ ଯୋଗଦେଇ ମନ୍ତ୍ରୀ ହେବାପରି ଏକ କାମନା ତାଙ୍କୁ କେବେ ଛୁଇଁନଥିଲା। କିନ୍ତୁ ଲୋକଙ୍କର ସାନୁନୟ ଅନୁରୋଧକୁ ଏଡ଼ି ନପାରି ବାଧ୍ୟ ହୋଇ ସେ ନିର୍ବାଚନରେ ଠିଆ ହେବାକୁ ସମ୍ମତି ପ୍ରଦାନ କରିଥିଲେ।ଉପେନ୍ଦ୍ର ମହାନ୍ତିଙ୍କୁ ଏବେ ମଧ୍ୟ ସେ ନିଜର ପିଲାପରି ଶ୍ରଦ୍ଧା କରନ୍ତି।ତାଙ୍କ ପ୍ରତି ତାଙ୍କର ଅନ୍ତରରେ ଟିକିଏ ବିଦ୍ବେଷ ଭାବ ନାହିଁ।ହୁଏତ ପ୍ରକୃତରେ ସେ ଉପେନ୍ଦ୍ର ମହାନ୍ତିଙ୍କର ସମକକ୍ଷ ନୁହନ୍ତି।କିନ୍ତୁ ରାଜନୀତିରେ ପଶିଥିବା ଆବିଳତା କଥା,ଶାସନ କଳର ଦୁର୍ନୀତି କଥା ଏବଂ ଦେଶର ଅଧୋଗତି କଥା ଶୁଣି ଦେଶର ବାୟୁମଣ୍ଡଳକୁ ନିର୍ମଳ କରିବାକୁ ଗୁଣ୍ଡୁଚି ମୂଷାପରି ଯଥାଶକ୍ତି ଚେଷ୍ଟା କରିବେ ବୋଲି ସ୍ଥିର କରି ସେ ଲୋକମାନଙ୍କର ଅନୁରୋଧ ରକ୍ଷାକରିବାକୁ ବାଧ୍ୟହେଲେ।ଲୋକମାନଙ୍କର ତାଙ୍କ ଉପରେ ଥିବା ଆସ୍ଥାକୁ ସେ ତୁଚ୍ଛ ମନେକରି ପାରିଲେ ନାହିଁ।ତଥାପି କାହିଁକି ଉପେନ୍ଦ୍ର ମହାନ୍ତିଙ୍କର ତାଙ୍କ ପ୍ରତି ବ୍ୟଙ୍ଗୋକ୍ତି ହୃଦୟର କେଉଁ ଏକ ଗଭୀର ଗୋପନ ସ୍ଥାନରେ ତାଙ୍କୁ ଆଘାତ ଦେଲା।
ସେ ଆଘାତର ଯନ୍ତ୍ରଣାକୁ ଚେଷ୍ଟାକରି ମନରୁ ପୋଛିଦେଇ ସେ ପୁଣି ଭାଷଣ ଶୁଣିବାକୁ ମନ ଦେଲେ।
“କେହି କେହି ଭାବନ୍ତି ହରି ମହାପାତ୍ରେ ଜଣେ ପରମ ସାଧୁ ପୁରୁଷ।ସେ ଗାନ୍ଧିଙ୍କ ପରି ଆଣ୍ଠୁ ଲୁଚୁ ନଥିବା ଖଦଡ଼ ଲୁଗା ପିନ୍ଧନ୍ତି।ନିଜେ ଅରଟରେ ସୂତା କାଟନ୍ତି। ଭାତ ଡାଲମା ତାଙ୍କର ଖାଦ୍ୟ।ସ୍କୁଲରେ ପିଲାମାନଙ୍କ ସହିତ ରାମଧୂନ୍ ଗାଆନ୍ତି-ସେଥିପାଇଁ ସେ ଜଣେ ଗାନ୍ଧି।କିନ୍ତୁ ମୁଁ କହିବି,ପ୍ରକୃତରେ ସେ ତାହା ନୁହନ୍ତି।ସେ ମୋର ପୂଜ୍ୟ ଶିକ୍ଷକ।ମୁଁ ତାଙ୍କୁ ସବୁବେଳେ ମାନି ଆସିଚି।ଭଲ ହୁଅନ୍ତୁ ମନ୍ଦ ହୁଅନ୍ତୁ ସେ ମୋର ଗୁରୁ।ମୁଁ କେବେ ତାଙ୍କର ନିନ୍ଦା କରିନାହିଁ।କିନ୍ତୁ ଅବସ୍ଥା ଚକ୍ରରେ ପଡ଼ି ମତେ ତାଙ୍କର ଅସଲ ରୂପକୁ ପଦାରେ ପକାଇ ଦେବାକୁ ପଡ଼ୁଚି।ମୁଁ ସତ କହୁଚି,ମତେ ଯଦି ହରି ମହାପାତ୍ରେ ଆସି ଖାଲି କହିଥାଆନ୍ତେ‘ଉପେନ୍ଦ୍ର ମୁଁ ଭୋଟରେ ଠିଆ ହେବାକୁ ଚାହୁଁଚି’,ତାହାହେଲେ ମୁଁ ନିଜେ ନିଜେ ଆଡ଼େଇ ଯାଇଥାନ୍ତି। ଖାଲି ସେତିକି ନୁହେଁ ଆଜି ଏଇ ସଭାରେ ମୁଁ ତାଙ୍କ ପାଇଁ ଭୋଟ ପ୍ରଚାର କରିବାକୁ ଠିଆ ହୋଇଥାଆନ୍ତି।ମୁଁ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ତାଙ୍କୁ ଜିଣେଇଥାନ୍ତି।ଅନ୍ତତଃ ମୁଁ ମୋର ଗୁରୁଙ୍କୁ ଉପଯୁକ୍ତ ଗୁରୁ ଦକ୍ଷିଣା ଦେଇଛି ବୋଲି ମନେ ମନେ ଶାନ୍ତି ପାଇଥାନ୍ତି।ମୁଁ ଭାବୁଥିଲି ହୁଏତ ହରି ମହାପାତ୍ରେ ମତେ ଡାକି ସେଇକଥା କହିବେ। କାରଣ ଆପଣ ମାନଙ୍କ ପରି ମୋର ମଧ୍ୟ ବିଶ୍ବାସ ଥିଲା ଯେ ସେ ଜଣେ ସତ୍ଲୋକ,ସାଧୁଲୋକ।କିନ୍ତୁ ମୋର ପର୍ବତ ପରି ସେ ବିଶ୍ବାସ ଗୋଟାଏ ମୁହୂର୍ତ୍ତରେ ଭାଙ୍ଗି ଧୁଳିସାତ୍ ହୋଇଗଲା।ମୁଁ ଏବେ ମଧ୍ୟ ଭାବୁଚି, ଯାହା ତାହାକଣ ସତରେ ସତ୍ୟ ନା ତାହାମୋର ଗୋଟାଏ ଦୁଃସ୍ବପ୍ନ।ମୁଁ ଯାହା କହିବାକୁ ଯାଉଛି, ତାହା ଅତି ବିସ୍ମୟକର–ତାହା କହିବାକୁ ମତେ କଷ୍ଟ ଲାଗୁଚି,ଲଜ୍ଜ୍ବାଲାଗୁଚି,ଦୁଃଖ ଲାଗୁଚି।”