ଗୋଟିଏ ନରମ ସୁନ୍ଦର ସକାଳରେ
କଣ ମନେପଡ଼େ
କୁଣ୍ଠିତ କିଶୋର ଛାତ୍ରଟିଏ ପରି
କୁୟାଶାଚ୍ଛନ୍ନ ଆକାଶର
ଶୀତ କାତର ବିଳମ୍ବିତ ସୂର୍ଯ୍ୟକୁ!
ଝଡ଼ରେ ବିପର୍ଯ୍ୟସ୍ତ ରାତ୍ରିରେ
କାହାର କଣ ମନେପଡ଼େ
ସୌଖୀନ ପ୍ରେମିକ ମନ୍ମଥର
ମୁକୁର ପରି ଉଜ୍ଜ୍ବଳ
ଶାରଦ ଆକାଶରେ ନିର୍ମଳ ଚନ୍ଦ୍ର ମଣ୍ଡଳକୁ?
ଠିକ୍ ଆଖିପତା ଆଗରେ
ବର୍ତ୍ତମାନର ଚେହେରାଟା ଏତେବଡ଼ ଦେଖାଯାଏ ସେ
ତା ପଛରେ ଆବୃତ୍ତ ହୋଇ ରହିଯାଏ
ସାରା ଅତୀତ ଓ ଭବିଷ୍ୟତ।
ଏଇ ମୁହୂର୍ତ୍ତର ସୁଖର ଉତ୍ତେଜନାରେ
ଦେହ ମନ ଯେପରି ଉଲୁସି ଉଠେ,
ମୁହୂର୍ତ୍ତକର ଦୁଃଖରେ ସେପରି
ସ୍ତିମିତ ହୋଇଯାଏ ମୁଖମଣ୍ଡଳର ଆଭା,
ଆଖିପତା ତଳେ କଳାଦାଗ ସୁସ୍ପଷ୍ଟ ହୋଇଉଠେ।
ଛୋଟ ଛୋଟ ପ୍ରାପ୍ତିଗୁଡ଼ିକ ଭାରୀ ଓଜନିଆ ଲାଗେ,
ଏପରିକି ଦଶମିଟର ଦୌଡ଼ରେ ଜିତିଗଲେ
ଅହଙ୍କାରର ବେଲୁନ୍ଟା ଆନନ୍ଦରେ ଫୁଲିଉଠି
ଛାତିକୁ ଯେପରି ଫଟାଇ ପକାଏ।
ସେହିପରି କେଉଁଠି କିଛି ହରାଇ ବସିଲେ,
କେଉଁଠି କେବେ ହାରିଗଲେ
ଟିକିଏ କେଉଁଠି ଝୁଣ୍ଟିପଡ଼ିଲେ
ଅସଂଖ୍ୟ ଛୁଞ୍ଚି ଫୋଡ଼ି ହୋଇଯାଏ ମନରେ।
ରକ୍ତାକ୍ତ ଯନ୍ତ୍ରଣାରେ ଛଟପଟ କରେ ହୃଦୟଟା
ପିମ୍ପୁଡ଼ି ପଲର ଦଂଶନରେ
ଛଟପଟ ହେଉଥିବା କୋମଳାଙ୍ଗ ଜିଆଟେ ପରି।
ଯେତେ ଦୀର୍ଘ ହେଉ ନା କାହିଁକି
ଜୀବନଟା କେବଳ ମୁହୂର୍ତ୍ତମାନଙ୍କର ସମାହାର
ସଂଗତି ନାହିଁ, ସଂହତି ନାହିଁ।
ଅହଙ୍କାରର ବେଲୁନ୍ଟା।
ଯେତେବେଳେ ଫୁଲିଯାଇ ଫାଟିଯାଏ
କିମ୍ବା ମନକୁ ମନ ନରମି ଯାଏ
ସେତେବେଳେ ପ୍ରତିପାଦିତ ହୁଏ
ଜ୍ୟାମିତିର ସୂତ୍ରପରି ଜୀବନର ସୂତ୍ର ଯ,ପ୍ରା,ଆ
ସେତେବେଳେ ମନେହୁଏ
ମତେ କିଏ କନ୍ଦେଇଚି,କିନ୍ତୁ ମୁଁ କାନ୍ଦିନାହିଁ।
ମତେ କିଏ ହସେଇଛି, କିନ୍ତୁ ମୁଁ ହସିନାହିଁ।
ମତେ କିଏ ନଚେଇଚି,କିନ୍ତୁ ମୁଁ ନାଚିନାହିଁ।
କିନ୍ତୁ ନିଜକୁ ନିଜେ ଭଲକରି ଜାଣିବା ଆଗରୁ
ପୁଣି ଆରମ୍ଭ ହୋଇଯାଏ
ନୂଆ ରଂଗମଞ୍ଚରେ ନୂଆ ଅଭିନୟ,
ନା, ମୋଟେ ନୂଆ ନୁହେଁ-
ନୂଆ ନାଁରେ ସେଇ ପୁରୁଣା ନାଟକ।
ନିଜ କଥାଟି ଆଉ ମନେ ରହେନା,
ପୁଣି ମୁହୂର୍ତ୍ତମାନେ ବଲ୍ଟିଏ ପରି
ଏଇ ମନଟାକୁ ନେଇ ଖେଳି ବସନ୍ତି
ଚିରନ୍ତନ ଅସରନ୍ତି
ଜୀବନର ଖେଳ।