ପିପାସାରେ ଯେତେବେଳେ ତଣ୍ଟି ଶୁଖି ଯାଉଥାଏ
ଇଚ୍ଛାହୁଏ ଆଞ୍ଜୁଳା ଆଞ୍ଜୁଳା କରି ପିଇ ଯିବାକୁ
ଇଚ୍ଛାମତୀ ନଦୀର ସୁଶୀତଳ ଜଳ।
କିନ୍ତୁ ମୁଁ ସେ ଇଚ୍ଛାକୁ ସଂବରଣ କରିନିଏ
ଏବଂ ଆକାଶକୁ ଚାହିଁ ରହେ-
ବୈଶାଖର ଖରାରେ ଜଳି ଯାଉଥିବା
ପ୍ରକାଣ୍ଡ ଆକାଶ ଭିତରେ ଖୋଜିବୁଲେ
କଳା ମେଘଟିଏ।
ଏବଂ ଅପେକ୍ଷା କରେ
ସୁଦୂର ଆକାଶରୁ ଝରିପଡ଼ିବା ଜଳବିନ୍ଦୁଟିଏ ପାଇଁ।
ବୈଶାଖର ଖରାରେ ସିଝି ସିଝି,
ଶ୍ରାବଣର ବର୍ଷାରେ ଭିଜି ଭିଜି,
ମାଘ ରାତ୍ରିର ଶୀତରେ ଥରି ଥରି
ମୁଁ ଅପେକ୍ଷା କରେ
ଫୁଲ ଫୁଟିବାର ଋତୁପାଇଁ;
ବେଣ୍ଟ ପୋଖରୀର ହିମ ଶୀତଳ ଜଳରେ
ଆକଣ୍ଠ ବୁଡ଼ିରହି ମୁଁ ଚାହିଁରହେ
ରାଣୀହଂସପୁର ଚୂଡ଼ାରେ ଜଳୁଥିବା ଦୀପଶିଖାକୁ
ଏବଂ ରାତ୍ରିର ପ୍ରହର ଗଣନା କରେ।
ନିଜ ମନ ଭିତରେ ନିତାନ୍ତ ଏକାକୀ ହୋଇ
ବସି ବସି ବିରକ୍ତି ଆସିଯାଏ-
କ୍ଳାନ୍ତିରେ ଆଖିପତା ବି ଲାଗିଯାଏ,
ଘଣ୍ଟାକୁ ବାରମ୍ବାର ଦେଖେ
ଆଶଙ୍କା କରେ ସେଇଟା ବନ୍ଦ ହୋଇଯାଇନି ତ!
ମନଟା ଅବସନ୍ନ ହୋଇପଡ଼େ।
ପାଉଁଶ ଭିତରେ ଥିବା ନିଆଁ ଝୁଲଟି
ପବନରେ ଟିକିଏ ଉଜୁଳି ଉଠିବାପରି,
ବେଳେ ବେଳେ ଛୋଟ ଆଶାଟିଏ
ମନକୁ ଟିକିଏ ତେଜେଇ ଦିଏ।
ଶୁଅ ସମୟର କୁଣ୍ଠିତ ମୁହୂର୍ତ୍ତଗୁଡ଼ିକୁ
ଗୋଟି ଗୋଟି କରି ଗଣୁ ଗଣୁ
ହାଇ ପରେ ହାଇ ଆସିଯାଏ-
ତଥାପି ମୁଁ ଅପେକ୍ଷା କରେ,
ଅପେକ୍ଷା କରେ
ତୁମର ପ୍ରତିଶ୍ରୁତି ହୀନ
ଆସିବାର ଅନିର୍ଦ୍ଦିଷ୍ଟ ମୁହୂର୍ତ୍ତକୁ।