କେଶବତୀ,
ମୁଁ ଦେଖୁଚି ଭଗ୍ନଜାନୁ ହୋଇ
ତୁମରି ଚରଣ ପ୍ରାନ୍ତେ ଯନ୍ତ୍ରଣାରେ ଉଚ୍ଚାଟିତ-
ତୁମ କୃଷ୍ଣ ଚିକୁରର ସାଗର ଢ଼େଉରେ
ଭାସମାନ ମୋ ରକ୍ତର ଲୋହିତ କମଳ।
ମନେ ମୋର ମୃତ୍ୟୁହୀନ ଏକାନ୍ତ କାମନା
ତୁମେ ହୁଅ ଅନମ୍ବରା ଏବଂ ବିବସନା।
ଶୋକବତୀ,
ମୋର ଏ ଅଶୋକ ବନେ
ଶୋକ ତୁମ ଛନ୍ଦହୀନ ଅତି କ୍ଳାନ୍ତିକର।
ତେଣୁ ତୁମେ କରନାହିଁ ଆଉ ଅଶ୍ରୁପାତ,
ମୁଁ ଚିର ଭିକ୍ଷାର୍ଥୀ,
ଭରିଦିଅ ମୋର ଦୁଇହାତ।
ଏବଂ ଆସ ଯିବା ଆମେ ଯମୁନା ପୁଲିନେ,
ତୁମେ କି ଆଣିବ ନାହିଁ
ଅସଂଖ୍ୟ ଛିଦ୍ରରେ ଭରା କଳସୀରେ ନୀର?
ହେ ପାଷାଣୀ,
ତୁମେ ମତେ କରିଅଛ ଚକ୍ଷୁଷ୍ମାନ୍,
ଅର୍ଥହୀନ ମୋର ସବୁ ପ୍ରଜ୍ଞା ଆଉ ଜ୍ଞାନ,
ପ୍ରଜ୍ଞାଠାରୁ ପ୍ରେମ ବଡ଼,
ତେଣୁ ମୋର ଅଭିଶାପ
ଅନ୍ଧହେଉ ତୁମ ଗର୍ଭେ ଆସନ୍ନ ସନ୍ତାନ।
ଦୀପ୍ତି ମୋ କଳଙ୍କ ହେଉ,
ମୁଁ ନିୟତ କ୍ଷୟ ହୁଏ,
ଦ୍ବିଧା ନାହିଁ ତୁମଲାଗି ହେବାକୁ ପାଷାଣ
ଗଣ୍ଡକ ଗଭୀର ଜଳେ
ହେଉ ମୋର ଚିର ତୀର୍ଥସ୍ନାନ।
ପରନାରୀ,
ତୁମେ ବରନାରୀ।
ପ୍ରେମ ମୋର ପାପ ନୁହେଁ,
ପ୍ରେମ ମୋର ପୁଣ୍ୟ ନୁହେଁ,
ପ୍ରେମ ମୋ କେବଳ ପ୍ରେମ
ସେଇ ପ୍ରେମେ ଚିରକାଳ ମୁଁ ତୁମ ପୂଜାରୀ।