ଅଫିସ ଭିତରେ କରୁଚି କଲମ ଚାଷ
କିରାଣୀ ସପନ ଦାସ।
ଅବିରତ ବେଗେ ଚଳିଯାଏ କାଳ
ଦୁରିବାକୁ ଧରା ବୁକୁ ତାପ ଜାଳ
ଦେଖାଦିଏ ନଭେ ଘନ ମେଘମାଳ
ଅନୁସରେ ତାରେ ଶୀତ
ସମୟର ଏଇ ଗମନାଗମନେ
ବିଚାରା କିରାଣୀ ଛୋଟ ଏ ଜୀବନେ
ଲାଭ କ୍ଷତି ନାହିଁ-ଗୋଟିଏ ଅୟନେ
ଗତି ତାର ସୀମାୟିତ
ଗୋଟିଏ ରଂଗରେ ତା’ଜୀବନ ପରକାଶ
କିରାଣୀ ସପନ ଦାସ॥
ବେଳେବେଳେ ତାର ଚଳେ ନାଇଁ ହାତ,
ଦୂର ଅତୀତର ସେ କେଉଁ ପ୍ରଭାବ
ସ୍ମତିର କପାଟେ କରଇ ଆଘାତ
ପୁରୁଣା ଦିନର କଥା
କେତେ ସ୍ବପ୍ନଭରା ରଂଜିତ ନୟନେ
ଆପଣାର ଦୂର ଭବିଷ୍ୟ ଅୟନେ
ଦେଖୁଥିଲା ବସି ପୁଲକିତ ମନେ-
ଆଜି ତା ଦେଉଚି ବ୍ୟଥା।
ଆଜି ସେ ସାମାନ୍ୟ କିରାଣୀ ଦାସାନୁଦାସ
କରୁଚି କଲମ ଚାଷ
ଯା ବୁଝାଏ ବିଦ୍ୟା ବୁଦ୍ଧିର ଅଭାବ
ଯା ବୁଝାଏ କ୍ରୁର ଭାଗ୍ୟ ପରାଭବ
ଦୀନତା,କ୍ଷୁଦ୍ରତା ଆଜି ଅଗୌରବ-
ସେହି ସେ କିରାଣୀଟିଏ,
ଜୀବନର ଧାରା ହୋଇଅଛି ଶେଷ
ଆଉ ନାହିଁ ତାର କିଛି ହିଁ ଉନ୍ମେଷ,
ଜୀବନ ସଂଗ୍ରାମେ ଆପଣାକୁ ମେଷ
ମଣଇ ନିଜକୁ ସିଏ
ବହୁତ ଦାମିକା ତା ପାଇଁ ଉଛୁଳା ହସ
କିରାଣୀ ସପନ ଦାସ।
ଭାବନାରେ କାମ ରହିଗଲେ ବାକି
ଅଫିସର କୋପେ ପଠାଇବେ ଡାକି
କହିବେ,‘କାମରେ ଚାହେଁ ନାଁ ମୁଁ ଫାଙ୍କି-
ଚଳାଏ କଲମ ତାର
କରିଯାଏ ସେଇ ସ୍ବାଦହୀନ କାମ
ଯା ପାଇଁ ସ୍ମରିବ ନାହିଁ ତାର ନାମ
ଦିନେ କେହି,ନାହିଁ ଜୀବନେ ଆରାମ,
ବଢ଼େ ଅବସାଦ ଭାର।
ଜୀବନ କି ତାର ଦେବତାର ପରିହାସ।
କିରାଣୀ ସପନ ଦାସ।
ବଡ ହାକିମଙ୍କ ପାଖେ ଯୋଡିକର
ଯେ କହଇ ‘ଆଜ୍ଞା’ ‘ଆଜ୍ଞା’ ନିରନ୍ତର
କହେ ଆପଣ କି ମହାନ ସୁନ୍ଦର
ଆପଣ ଅତୁଳନୀୟ”
ପାଟିରୁ ବାହାରୁ ନବାହାରୁ କଥା
ମାନିନେବା ଛଳେ ହଲାଏ ତା ମଥା
ତାଙ୍କରି ବ୍ୟଥାରେ ପ୍ରକାଶର ବ୍ୟଥା
ହେବାକୁ ଆହୁରି ପ୍ରିୟ
ସେପରି ହାକିମ ତଳେ ସେ କରଇ ଦାସ
କିରାଣୀ ସପନ ଦାସ।
ସ୍ବାର୍ଥନ୍ବେଷୀ ପୁଣି ଦୁର୍ମତି,ଦୁର୍ବଳ
ଆତ୍ମବିଚାରରେ ବିରାଟ ବିପୁଳ
ମଣନ୍ତି ସାମାନ୍ୟ ଅସାର ସକଳ
ତାଙ୍କ ପରି କେହି ନାହିଁ
ସେ କାମ ପ୍ରଶଂସା କରେ ଅରଜନ
କର୍ତ୍ତା ଭାବେ ତାର ହୁଅନ୍ତି ଉନ୍ମନ
ଭୁଲ ତ୍ରୁଟି ଯଦି ହୁଏ କଦାଚନ।
ସପନହିଁ ହୁଏ ଦାୟୀ।
ରୂଢ଼ କଣ୍ଠେ କଟୁ ବାଣୀ ସେ କରଇ ଗ୍ରାସ
କିରାଣୀ ସପନ ଦାସ।
ଅଛି ତାର ଏକ ମଣିଷର ମନ
ନୁହନ୍ତି ହାକିମ କେବେ ସଚେଚନ
ନୁହେଁ ପାଇବାକୁ ତେଣୁ ସେ ଭାଜନ
ମାନବିକ ବ୍ୟବହାର,
ତା’ର ନାହିଁ ସୁଖ ଦୁଃଖ ଅନୁଭୂତି
ତା’ର ନାହିଁ ରୋଗ, ଶୋକ ବା ଅଶାନ୍ତି
ଫାଇଲି ବାହାରେ ଜୀବନର ପ୍ରତି
କି କର୍ତ୍ତବ୍ୟ ଅଛି ତାର!
ଆଜ୍ଞାଧୀନର କି ଥାଏ ନିଜ ଅଭିଳାଷ!
କିରାଣୀ ସପନ ଦାସ।