-ଏକ-
ଅନନ୍ତ ନୀଳିମା ନଭ ବିତାନର ତଳେ
ସୁଚଞ୍ଚଳ
ତରଙ୍ଗ ଉଚ୍ଛଳ
ହେ ଜଳଧି
ତୁମେ ନିରବଧି-
ସୁଅପୂର୍ବ
ନୀଳଶୁଭ୍ର
ଅଗଣିତ ତରଳ ତରଙ୍ଗେ
ଲାସ୍ୟରତ
ଅବିରତ
ଅବାରିତ ତୁମରି ଉତ୍ସଙ୍ଗେ।
କି ଆନନ୍ଦ କାହାପାଇଁ ତୁମର ଏ ବିପୁଳ ଉତ୍ସବ,
ସୁଗମ୍ଭୀର ଜଳକଳ ରବ?
-ଦୁଇ-
ତୁଙ୍ଗ ଅଦ୍ରି ବକ୍ଷ ଚିରି କ୍ଷରିତ ଯେ ହୁଏ ଜଳଧାର
ଲଙ୍ଘି ସସ୍ର ବିଘଟନ ଦୂର ଦୀର୍ଘ ଯାତ୍ରା ପଥେ ତାର,
ତୁମ ସଙ୍ଗେ
ତୁମ ଅଙ୍ଗେ
ମିଶିଯାଏ ଅନନ୍ତ ଆବେଶେ
ରହେ ନାହିଁ
କିଛି ନାହିଁ
କ୍ଷୀଣ ସତ୍ତା ତାର ଅବଶେଷେ-
ଗୋଟି ଗୋଟି
ଲକ୍ଷ କୋଟି
ଏହିପରି ତଟିନୀ କୁମାରୀ
ମଜ୍ଜି ସ୍ନେହେ
ତୁମ ଦେହେ
ମିଶିଯାନ୍ତି ବୋଲି ଜାଣିପାରି,
ଈର୍ଷାକୁଳ ହୃଦୟରେ ଅବା ସେହି ସତୀ ସାଧ୍ବୀ ତଟିନୀ ସକଳ
ଏଡ଼ି ତବ ବକ୍ଷବାସ ଯିବାକୁ ବରଜି ତୁମ ସନ୍ନିଧି ଚଞ୍ଚଳ
ତୀରେ ଆସି ପଳାୟନ ପଥ
ଖୋଜିବାରେ ବ୍ୟସ୍ତ ଅବିରତ!
-ତିନି-
କି ଅଶୁଭ କ୍ଷଣେ ଏକ ମିଳି ସବୁ ଦେବତା ଦାନବ
ନିଃସ୍ବ କରି ଲୁଣ୍ଠି ନେଲେ ଦସ୍ୟୁ ପରି ରତ୍ନପୁର ତବ।
ପାରିଜାତ
ଐରାବତ
ଉଚ୍ଚୈଶ୍ରବା, ସୁଧା, ସୁଧାକରେ
କରିଜୂର
ଅନ୍ତଃପୁର
ନେଲେ ଲକ୍ଷ୍ମୀ-ଦାରୁଣ ଅନ୍ତରେ।
ପରିପୂର୍ଣ୍ଣ
ପୁରଶୂନ୍ୟ
ନୀରବିତ ଚିରକାଳ ଲାଗି
ତେଣୁ ଦ୍ବାରେ
ଦୁଃଖ ଭାରେ
ବିଳପ କି ତୁମେ ଅନୁରାଗୀ?
ହୃଦୟରେ ଦୀର୍ଣ୍ଣ କରି ଉଠେ ଯେଉଁ ଗୁରୁ ଦୀର୍ଘଶ୍ବାସ
ସେ କି ଏଇ ଉତ୍ତରଳ ଅଧୀର ଉଚ୍ଛ୍ବାସ?