ସ୍ତ୍ରୀ ତାଙ୍କ ନାମରେ ଆସିଥିବା ଚିଠିଟି ପଢ଼ିସାରି ହସି ଉଠିଲେ।
ମୁଁ ଚା କପ୍କୁ ମୁହଁରୁ ତଳକୁ ଆଣୁ ଆଣୁ କହିଲି,“କଣ କଥା କଣ?ଏତେ ହସ କାହିଁକି?”
ସ୍ତ୍ରୀ କହିଲେ,“ଗୋଟାଏ ମଜାକଥା।”
“ଆମକୁ ସେ ମଜାରୁ କିଛି ଭାଗମିଳୁ।”
“ନା ନା, ଅତି ଗୋପନୀୟ କଥା।”
“ତୁମ ଆଉ ମୋ ଭିତରେ କଣ କିଛି ଭେଦଭାବ ଅଛି।”ତୁମେ ଆଉ ମୁଁ ତ ଏକ ହୋଇ ଯାଇଛେ, ନୁହେଁ?
ସ୍ତ୍ରୀ କହିଲେ, ‘କଥା କହିବାରେ ପଟ୍ଟାନ୍ତର ନାହିଁ। କଥା କହି କାମ ଆଦାୟ କରି ଦେବାର କଳା ତୁମ ପାଖରେ ସରିଯାଇଛି।’
ମୁଁ ଟିକିଏ ଅଭିମାନ କଲାପରି ଛଳନା କରି କହିଲି, ‘ଆଚ୍ଛା ଥାଉ ବାବା। ତୁମର ମୋ ନାମରେ କଳଙ୍କ ଲେପନ କରିବା ଦରକାର ନାହିଁ। ମୋର ମଧ୍ୟ ସେ ମଜାକଥା ଜାଣିବା ଦରକାର ନାହିଁ।’
ଏଥର ସ୍ତ୍ରୀ ନରମ ହୋଇ ଚିଠିଟିକୁ ବଢ଼ାଇ ଦେଉଦେଉ କହିଲେ, ‘ବାପ୍ରେ, ସାଙ୍ଗେ ସାଙ୍ଗେ ରାଗିଗଲ ନା-ନିଅ।’
ମୁଁ ‘ଥାଉ, ଥାଉ’କହି ମୋର ଉତ୍କଣ୍ଠାକୁ ଚାପି ରଖିବାକୁ ଚେଷ୍ଟାକଲି।
କିନ୍ତୁ ସ୍ତ୍ରୀ ହାତରେ ଚିଠିଟି ଗୁଞ୍ଜିଦେଲେ। ସେହି ଚିଠିକୁ ଟିକିଏ ବି ପରିବର୍ତ୍ତନ ନକରି ଯଦି ଏଠାରେ ଉଦ୍ଧାର ନକରେ,ତାହେଲେ ହୁଏତ ମୂଳ ଘଟଣାର ବୈଶିଷ୍ଟ୍ୟ ଠିକ୍ ପ୍ରକାଶ ପାଇବ ନାହିଁ ।ତେଣୁ ସେହି ଚିଠିକୁ ଏଠାରେ ଉଦ୍ଧାର କରିଦେଉଚି।
ଚିଠିର ଲେଖିକା,ମୋର ସ୍ତ୍ରୀଙ୍କର ଜଣେ ପ୍ରିୟ ବାନ୍ଧବୀ।ତାଙ୍କର ନାମ ସୁଚିତ୍ରା।ମୋର ସ୍ତ୍ରୀ ବି.ଏ ପଢ଼ା ଶେଷ ହେବାପରେ ମତେ ବିବାହ କରି ପଢ଼ା।କିନ୍ତୁ ସୁଚିତ୍ରା ଏହାଭିତରେ ତାଙ୍କର ଏମ୍.ଏ ପଢ଼ା ଶେଷକରି ପରୀକ୍ଷା ଫଳର ପ୍ରତୀକ୍ଷାରେ ଅଛନ୍ତି।ମଝିରେ ମଝିରେ ପତ୍ରାଳାପ ଚାଲେ।
ଚିଠିଟି ଏହିପରି।
ନମିତା,
ମୁଁ ଏହା ଭିତରେ ସମ୍ବଲପୁର ଚାଲି ଯାଇଥିଲି।ସେଠାରେ ମୋର ସାନ ମାଉସୀଙ୍କ ଝିଅର ବାହାଘର ଥିଲା। ବାହାଘର ବେଶ୍ ଧୂମ୍ଧାମ୍ରେ ହେଲା ମୁଁ କାଲି ସନ୍ଧ୍ୟାବେଳେ ଫେରିଲି।ସେଠାରେ ଜଣେ ଅଜବ ଲୋକ ସହିତ ମୋର ପରିଚୟ ହେଲା।ସେ ଭଦ୍ରଲୋକ ମୋର ମଉସାଙ୍କର ମାମୁଁ।ଅର୍ଥାତ୍ ମୋର ଅଜା।ଦିଲ୍ଲୀରେ କଣ ଗୋଟାଏ ବଡ ଚାକିରୀ କରନ୍ତି।ନାମରେ ସେ ତରୁଣ (କାନ୍ତି)।କିନ୍ତୁ ବୟସରେ ପୌଢ଼।ଚେହେରାରେ ଅବଶ୍ୟ ସାର୍ଥକ ନାମା।ମୁଣ୍ଡରେ ବାଳ ତ ଗୋଟିଏ ପାଚି ନାହିଁ,ତାରୁଣ୍ୟର ଶେଷ କାନ୍ତି ମଧ୍ୟ ମୁଖ ମଣ୍ଡଳରୁ ସମ୍ପୂର୍ଣ୍ଣ ଲିଭିନାହିଁ।ସୂର୍ଯ୍ୟାସ୍ତର ରଙ୍ଗରେ ଯେପରି କିଛିଟା ଉଦୟର ଶୋଭା ଥାଏ,ଠିକ୍ ବୋଧହୁଏ ସେପରି ଯୌବନର କିଛିଟା ସ୍ନିଗ୍ଧତା ଓ ନମନୀୟ ଭାବ ତାଙ୍କ ମୁହଁରେ ରହିଯାଇଛି। ଗୋଟିଏ ବି ଦାନ୍ତ ପଡ଼ିନାହିଁ। ଦେଖିଲେ ସେଥିପାଇଁ ବୟସ ଏତେ ବେଶୀ ବୋଲି ମନେହୁଏନା। ଭଦ୍ରଲୋକଙ୍କୁ ମୁଁ ତ କେବେ ଆଗରୁ ଦେଖି ନ ଥିଲି। ସେ ଆସି ଘରେ ପହଞ୍ଚିବା ପରେ ମତେ ମାଉସୀ ଚା କପେ ଦେଇ କହିଲେ ତାଙ୍କୁ ଦେଇ ଆସିବାକୁ।ମୁଁ ତାଙ୍କ ପାଖରେ ଚା କପ୍ ଧରି ଠିଆ ହେଲି।ସେ ସାଙ୍ଗେ ସାଙ୍ଗେ ଚା’କପ୍ଟା ମୋ ହାତରୁ ନେଲେ ନାହିଁ।ମତେ ତୀବ୍ର ଓ ଉତ୍ସୁକ ଆଖିରେ ଚାହିଁରହିଲେ।ମୁଁ ଟିକିଏ ଅପ୍ରତିଭ ବୋଧ କଲି।ତାପରେ ସେ ମୋ ହାତରୁ ଚା କପ୍ଟିକୁ ନେଉ ନେଉ କହିଲେ,‘ତୁମଙ୍କୁ ତ ଆଗରୁ କେଉଁଠି ଦେଖିବା ପରି ଲାଗୁଛି।’
ମୁଁ କହିଲି,‘ଦେଖିଥିବେ।କିନ୍ତୁ ମୁଁ ଆପଣଙ୍କୁ ଆଗରୁ କେଉଁଠି ଦେଖିନାହିଁ।’
“ତୁମର ପରିଚୟ।”
ପାଖରେ ବସିଥିବା ଜଣେ ଭଦ୍ରମହିଳା କହିଲେ,‘ସେ ପରା ଝୁନା (ମାଉସୀ)ର ଭଉଣୀର ଝିଅ।’
ମୁଁ ଆତ୍ମପରିଚୟ ଦେବାର ଅସ୍ବସ୍ତିରୁ ରକ୍ଷା ପାଇଗଲି।ତାପରେ ପ୍ରଶ୍ନ,‘ତୁମ ନାଁ?’
‘ସୁଚିତ୍ରା’
କଣ କରୁଚ?
‘ଏମ୍.ଏ ପରୀକ୍ଷା ଦେଇଛି’
‘ସବ୍ଜେକ୍ଟ?’
‘ପଲିଟାକାଲ୍ ସାଇନ୍ସ।’
‘ବି.ଏରେ ଅନର୍ସ ଥିଲା?’
‘ହଁ’
‘କେଉଁ କ୍ଲାସ୍ ପାଇଥିଲ?’
‘ଫାଷ୍ଟ କ୍ଲାସ୍।’
‘ଭେରିଗୁଡ଼୍। ପୋଜିସନ?’
‘ଫାଷ୍ଟ।’
‘ମାର୍ଭଲେସ୍। ଏମ୍.ଏ ପରୀକ୍ଷାରେ କିପରି କରିଚ?’
‘ଭଲ।’
‘କି ପୋଜିସନ୍ ଆଶା କରୁଚ’?
‘ଫାଷ୍ଟ କିମ୍ବା ସେକେଣ୍ଡ।’
‘ଭେରିଗୁଡ଼୍।ଦେଖୁଚି,ତୁମେ ତାହାହେଲେ ଜଣେ ବିଦୁଷୀ ମହିଳା।’
ତାଙ୍କର ପ୍ରଶଂସା ବାଣୀ ମତେ ଭଲ ଲାଗିଲେ ବି ଟିକିଏ ଲଜ୍ଜ୍ବା ହେଲା
ତାପରେ ତାଙ୍କର ପୁଣି ପ୍ରଶ୍ନ,‘ପଢ଼ା ପରେ?’
‘ରିସର୍ଚ୍ଚ କରିବି।କିମ୍ବା ଚାକିରୀ ପାଇଲେ ଚାକିରୀ କରିବି।’
‘କି ପ୍ରକାର ଚାକିରୀ।’
‘ଅଧ୍ୟାପିକା।’
‘ଆଉ କିଛି ନୁହେଁ?’
‘କମ୍ପିଟେଟିଭ୍ ଏକଜାମିନେସନ୍ରେ ବସିବି।’
‘ଭେରି ଭେରି ଗୁଡ଼୍।ଆଉ ବିବାହ?ଚାକିରୀ ପାଇବା ପରେ?’
‘ମୁଁ ବିବାହ କରିବି ନାହିଁ।’
‘କାହିଁକି?’
‘କାହିଁକି ବିବାହ କରିବି ନାହିଁ ତା’ପାଇଁ ଉତ୍ତରଟା ମୁଁ ସାଙ୍ଗେ ସାଙ୍ଗେ ଭାବି ପାରିଲିନାହିଁ।ମୋର ଉତ୍ତରକୁ ଅପେକ୍ଷା ନକରି ସେ କହିଲେ‘ଭଲ ଚାକିରୀ ମିଳିଲେ ଯେପରି ଗ୍ରହଣ କରିବ ସେପରି ଭଲ ବର ପାଇଲେ ମଧ୍ୟ ବିବାହ କରିବ ଏଇଆତ?’
ତାପରେ ସେ କହିଲେ,‘ମୋତେ ଲାଗୁଛି ମୁଁ ତୁମକୁ ଯେପରି କେଉଁଠାରେ ଦେଖିଛି କିନ୍ତୁ କେବେ କେଉଁଠି ଦେଖିଛି ମୁଁ ଦେଖିଛି ମୁଁ ଭାବି ପାରୁନି।ଆଜିର ପରିଚୟରୁ ଜାଣୁଚି ତୁମ ସହିତ ଆଉ କେଉଁଠାରେ ଦେଖା ହୋଇନି କିନ୍ତୁ ମୋ ଅନ୍ତର ଭିତରେ ବୋଧ କରୁଛି,ତୁମ ସହିତ ମୋର ଏକ ଅନ୍ତରଙ୍ଗ ସମ୍ପର୍କ ଆଗରୁ ରହିଚି।’
‘ମୁଁ କିନ୍ତୁ ଆପଣଙ୍କ ସହିତ ଆଗରୁ କେବେ ଦେଖା ହୋଇଥିବା ପରି ବୋଧ କରୁନି।’
‘ମୁଁ କିନ୍ତୁ ବୋଧ କରୁଚି, ତୁମେ ଯେପରି ମୋର ଜଣାଶୁଣା ନୁହଁ ଅତି ପରିଚିତ ।ଅର୍ଥାତ୍ ବର୍ତ୍ତମାନ ପାଇଁ ଇଟ୍ ମେ ବି ଏ କେସ୍ ଅଫ୍ ଲଭ୍ ଆଟ୍ ଫାଷ୍ଟ ସାଇଟ୍।’ ଭଦ୍ରଲୋକ ଅତି ନିସଂକୋଚରେ କଥାଗୁଡ଼ିକ କହିଗଲେ, ହୁଏତ ଅଜାଙ୍କର ନାତୁଣୀ ପ୍ରତି ପରିହାସ ଯୋଗ୍ୟ କଥା। ମୋତେ କିନ୍ତୁ ବହୁତ ଖରାପ ଲାଗିଲା।
ମୁଁ ତାଙ୍କୁ ଦୃଢ଼ତାର ସହିତ କହିଲି, ‘ସଟ୍ର୍ନଲି ନଟ୍ ସୋ ଇନ୍ ମାଇଁ କେସ୍।
‘ଭଦ୍ରଲୋକ ଟିକିଏ ହସିଲେ’
କହିଲେ Why not?cant you love me?am I too old to be worthy of your love ?
ଭାଗ୍ୟ ବଶତଃ ସେଠାରେ ତାଙ୍କ କଥାକୁ ଶୁଣିବାକୁ କେହି ନଥିଲେ।ପ୍ରେମ ବିଷୟରେ ଗୋଟିଏ ଅବିବାହିତା ଝିଅ ସହିତ ଏପରି ନିର୍ଲଜ ଭାବରେ କିପରି କଥାବାର୍ତ୍ତା କରିପାରୁଛନ୍ତି ମୁଁ ବୁଝିପାରିଲି ନାହିଁ।
ମୁଁ କିଛି ବୁଝିପାରିବା ପୂର୍ବରୁ ସେ କହିଲେ,‘ମୋର ବୟସ କେତେ ଜାଣ?ମୋତେ ଏକାବନ ପୁରିବାକୁ ଆଉ ଗୋଟିଏ ଦିନ ବାକି ଅଛି।’
ତାଙ୍କର ବୟସ ଏତେ ବେଶୀ ଜାଣିବା ପରେ ତାଙ୍କର କଥାବାର୍ତ୍ତା ଗୁଡ଼ିକ ବଡ଼ ଅଭଦ୍ରୋଚିତ ମନେହେଲା।
ସେ ପୁଣି କହି ଚାଲିଲେ,‘ମୋର ପୁଅ ଇଞ୍ଜିନିୟରିଂ ପଢ଼ୁଛି,ମୁଁ ଜାଣିଛି ସେ ଗୋଟେ ଡାକ୍ତରୀ ପଢ଼ୁଥିବା ଝିଅର ପ୍ରେମରେ ପଡ଼ିଛି।ମୋର ବଡ଼ ଝିଅ ତିନି ବର୍ଷ ହେଲା ବାହା ହେଲାଣି।ସାନଝିଅ ମାଟ୍ରିକ୍ ପଢ଼ୁଛି ଅର୍ଥାତ୍ ସାର୍ବଜନୀନ ମତରେ ମୋର ପ୍ରେମ କରିବାର ବୟସ ପାର ହୋଇଯାଇଛି।କିନ୍ତୁ ତୁମକୁ ହଠାତ୍ ଦେଖିବା ପରେ ମୋର ମନେ ହେଉଛି ମୁଁ ଯେପରି ସମୟର ପ୍ରତିକୂଳ ସ୍ରୋତରେ ଭାସିଚାଲିଛି।ମୁଁ ବୋଧ କରୁଛି ମୁଁ ବୃଦ୍ଧ ନୁହେଁ ତରୁଣ,ଚିରତରୁଣ, ଚିରସବୁଜ।
ତାପରେ ଭଦ୍ରଲୋକଙ୍କର ଏହି ନିର୍ଲଜ ପ୍ରଗଳ୍ଭତା ମୋତେ ବଡ଼ ଖରାପ ଲାଗୁଥିଲା।କିନ୍ତୁ ଅଜାଙ୍କର କଥା ନାତୁଣୀ ଭାବେ ଗ୍ରହଣ କରିବାକୁ ପଡ଼ିବ।ମୁଁ କହିଲି କିନ୍ତୁ ମନେ ରଖିବେ ମୋ କଥାର ଜାଲରେ ଧରା ପଡ଼ିବା ପକ୍ଷୀ ନୁହେଁ ମୁଁ ଜାଣେ,Young is young and old is old and the two shall never meet ତାଙ୍କର ବୃଦ୍ଧତ୍ବ ସମ୍ପର୍କରେ ମୁଁ ଯେ ଖୁବ୍ ସଚେତନ ତାହା ଜଣାଇଦେବା ପାଇଁ ମୁଁ ଟିକିଏ ରୂକ୍ଷ ଭାବରେ ଏହି କଥା କହିଲି।ମୋର ବିଶ୍ବାସ ଥିଲା ଏତିକିରେ ଅଜାଙ୍କର ବାକ୍ଚାତୁର୍ଯ୍ୟର ସ୍ରୋତ ରୂଦ୍ଧ ହୋଇଯିବ।କିନ୍ତୁ ତାହା ହେଲାନାହିଁ।
ଭଦ୍ରଲୋକ କହିଲେ,‘ଦେଖ ସୁଚିତ୍ରା ଏ ସୃଷ୍ଟିରେ ଯାହା ମିଳନଯୋଗ୍ୟ ନୁହେଁ ତାହାର ମିଳନ କଦାପି ହୁଏନା। ସେହିପରି ଯେଉଁ ମିଳନ ବିଧିନିଦ୍ଦିଁଷ୍ଟ ତାହାକୁ କେହି ରୋଧ କରି ପାରେନା।କିନ୍ତୁ ମିଳନର ଅର୍ଥ କଣ?ପ୍ରେମର ଅର୍ଥ କଣ?ଦୁଇଟି ତରୁଣ ତରୁଣୀଙ୍କର ଦୈହିକ ପ୍ରେମ କ’ଣ ପ୍ରେମ?ସେ ମିଳନ ର ଉଦ୍ଦେଶ୍ୟ ପ୍ରେମ ନୁହେଁ।ତା’ର ଉଦ୍ଦେଶ୍ୟ ସନ୍ତାନ ପ୍ରଜନନ।ତାହା ପ୍ରକୃତିର ଉଦ୍ଦେଶ୍ୟ।ସେ ଉଦ୍ଦେଶ୍ୟ ସାଧନ ପ୍ରେମର ମୂଖ୍ୟ ଲକ୍ଷ ହୋଇନପାରେ।ପ୍ରେମ ଏକ ହୃଦୟର ଅନୁଭୂତି,ତାହାର ବାହ୍ୟିକ ଅଭିବ୍ୟକ୍ତିଟା କିନ୍ତୁ ପ୍ରେମର ସ୍ବରୂପ ନୁହେଁ।’
ଏହି ପ୍ରଗଳ୍ଭତାର ସ୍ରୋତକୁ ରୋଧ କରିବାର ଶକ୍ତି ମୋର ନଥିଲା।ତେଣୁ ଏହି ସ୍ରୋତକୁ ଅବାଧ ବହିଯିବାର ଲାଗି ଛାଡ଼ିଦେବାକୁ ପଡ଼ିଲା ମୋତେ।
ସେ ମାତ୍ର ସେହି ଦିନଟାହିଁ ସେଠାରେ ଥିଲେ।ପ୍ରାୟ ସାରାଦିନ ମତେ ତାଙ୍କ ପାଖରୁ ଯିବାକୁ ଦେଇ ନଥିଲେ।ମନେ ହେଲା,ଭଦ୍ରଲୋକଙ୍କର ବହୁ ବିଷୟରେ ଅଧ୍ୟୟନ ଅଛି।ତାଙ୍କୁକଥା କହିବାର କଳାମଧ୍ୟ ଜଣାଅଛି।ତେଣୁ ତାଙ୍କର ଅନର୍ଗଳ ଗପିବା ଟା ବେଳେ ବେଳେ ଅରୁଚିକର ବୋଧ ହେଉଥିଲେ ମଧ୍ୟ ଆଉ ବିରକ୍ତିକର ମନେ ହେଉ ନଥିଲା।କେବଳ ପ୍ରେମ ସମ୍ପର୍କରେ କଥା ଗୁଡ଼ାକ ତାଙ୍କ ପରି ବୃଦ୍ଧଙ୍କ ମୁଖରେ ଅଶୋଭନୀୟ କଥା ପଡ଼ୁଥିଲା।
ଯିବା ପୂର୍ବରୁ ସେ କହିଗଲେ ‘ସୁଚିତ୍ରା,ମୁଁ ଏବେ ମଧ୍ୟ ବୋଧ କରୁଚି,ତୁମ ସହିତ ମୋର ଆଗରୁ କେବେ କେଉଁଠି ଦେଖା ହୋଇଥିଲା ଏ ଜନ୍ମରେ ଯଦି ନୁହେଁ,ନିଶ୍ଚୟ ପୂର୍ବ ଜନ୍ମରେ।ମୋର ବିଶ୍ବାସ ତୁମ ସହିତ ମୋର ପୁଣି ଦେଖାହେବ। ଏ ଜନ୍ମରେ ଯଦି ନୁହେଁ,ନିଶ୍ଚୟ ପର ଜନ୍ମରେ।’
“ଭଦ୍ରଲୋକ ଚାଲିଯିବା ପରେ ମୁଁ ଟିକିଏ ସ୍ବସ୍ତିର ନିଃଶ୍ବାସ ମାରିଲି।ମତେ ଟିକିଏ ଆସ୍ବସ୍ତ ହେବାକୁ ଅବସର ମିଳିଲା। ଏମିତି ଜବରଦସ୍ତ ଲୋକ ମୁଁ କେତେ ଆଗରୁ ଦେଖି ନଥିଲି।”
ତା ପରେ କିଛି ଗତାନୁଗତିକ କଥା ସହିତ ଚିଠିର ସମାପ୍ତି।
ସୁଚିତ୍ରାର ଚିଠି ପଢ଼ା ଶେଷକରି ମୁଁ କହିଲି,‘ତୁମର ସେ ଭଦ୍ରଲୋକଙ୍କ ବିଷୟରେ ମତାମତ କଣ?’
ନମିତା କହିଳେ,‘ମାଛରଙ୍କା ପକ୍ଷୀପରି ଏ ପୃଥିବୀରେ ଗୁଡ଼ାଏ ନରୀରଙ୍କା ପୁରୁଷ ଅଛନ୍ତି।ଏହି ଭଦ୍ରଲୋକ ସେମାନଙ୍କ ଭିତରୁ ଜଣେ।’