‘ପ୍ରିୟ ନମିତା,
ଏ ବାହାଘରକୁ ଆସିଲୁ ନାହିଁ।ତୋରି କଥା ରଖିଲି ନାହିଁ ବୋଲି ରାଗିଲୁ ବୋଧହୁଏ।ବାହାଘର ବନ୍ଦ କରିବାପରି ଶକ୍ତି ମୋର ନଥିଲା।ଭଦ୍ରଲୋକ ଉଭୟପକ୍ଷର କର୍ତ୍ତୃତ୍ବ କରି ସବୁ ବ୍ୟବସ୍ଥା କରି ପକାଇଲେ।ତାଙ୍କ ନିଷ୍ପତ୍ତିକୁ ମାନି ନେବା ବ୍ୟତୀତ ବାପାଙ୍କର ମଧ୍ୟ କିଛି କରିବାର ନଥିଲା।ତାଙ୍କର ଏହି ଅତ୍ୟଧିକ ଆଗ୍ରହ ସତରେ ମତେ ବଡ଼ ଚିନ୍ତାଗ୍ରସ୍ତ କରି ପକେଇଥିଲା।ତୋର ସତର୍କ ବାଣୀ ମୋ ମନ ଭିତରେ ରହି ମତେ ସବୁବେଳେ ଆତଙ୍କିତ କରୁଥିଲା।କି ଚକ୍ରାନ୍ତ ଭିତରକୁ ମତେ ସେ ଟାଣି ନେଉଛନ୍ତି ଭାବି ମୁଁ ମନେ ମନେ ଭୟଭୀତ ହେଉଥିଲି।ତଥାପି ମୋ ଭିତରେ ମୁଁ ଏଇ ସାହସ ଠୁଳକରି ରଖିଥିଲି ଯେ ଭଦ୍ରବ୍ୟକ୍ତି ଯଦି କେବେ ତାଙ୍କର ସେ ରୂପ ପ୍ରକାଶ କରନ୍ତି,ସେ ଦିନର ମୋର ରୁଦ୍ରାଣୀ ରୂପରେ ମୁଁ ତାଙ୍କୁ ସଂହାର କରିବାକୁ ମଧ୍ୟ ପଶ୍ଚାଦ୍ପଦ ହେବିନାହିଁ।
ବାହାଘର ଖୁବ୍ ଭଲରେ ଶେଷ ହୋଇଗଲା।ତା ପରେ ସେ ମୋ ସହିତ ଦେଖାକଲେ।
ମୁଁ ନୀରବରେ ବସିଥିଲି।କହିଲେ,‘କଣ ଚୁପ୍ଚାପ୍ କାହିଁକି?ମନରେ କିଛି କ୍ଷୋଭ ଅଛି କି?ବର ପସନ୍ଦ ହୋଇଛି ତ?ମୋର ଉତ୍ତରକୁ ଅପେକ୍ଷା ନରଖି ସେ କହି ଚାଲିଲେ,‘ନବେନ୍ଦୁ ଚମତ୍କାର ପିଲା।ଖୁବ୍ ସରଳ।ମୋ କଥା ଉଠେ ବସେ।’
ତାଙ୍କର ଏଇ କଥା ଶୁଣି ମୋ ଛାତି ଭିରେ ଯେପରି ଗୋଟାଏ ଧକ୍କା ଲାଗିଲା।ସେ କହିଲେ,‘ମୋର ବିଶ୍ବାସ ତୁମେ ତାକୁ ପାଇ ସୁଖୀ ହେବ ଏବଂ ସେ ମଧ୍ୟ ତୁମଙ୍କୁ ପାଇ ସୁଖୀ ହେବ।’
ମୁଁ ମନେ ମନେ ଭାବିଲି ତାଙ୍କୁ ମୂଳରୁ ସତର୍କ କରେଇ ଦେବା ଉଚିତ ଯେ ସେ ଏଇ ବିବାହରୁ କିଛି ଅବୈଧ ଫାଇଦା ଉଠାଇ ପାରିବେ ନାହିଁ। ସେ ବିଷୟରେ ମୁଁ ସଚେତନ ଓ ସାବଧାନ।
ମୁଁ ତେଣୁ କହିଲି,‘ଆଚ୍ଛା,ଆପଣ ଏତେ କଷ୍ଟକରି ଏ ଯେଉଁ ବିବାହ କରେଇଲେ,ଏଥିରେ ଆପଣଙ୍କର ଲାଭ ହେଲା କଣ?’
ସେ ହସିଲେ,‘ଲାଭ?ମୁଁ କଣ ବାଣିଜ୍ୟ ବ୍ୟବସାୟ କରୁଛି ଯେ ଲାଭ କ୍ଷତିର ହିସାବ ରଖିଛି?’
‘ତାହାହେଲେ ଏତେ ଶ୍ରମ କାହିଁକି?ମୁଁ ପଚାରିଲି।
‘ଏହା ମୋର ଶ୍ରମ ନୁହେଁ ସୁଚିତ୍ରା,ଏହା ମୋର ସାଧନା ପ୍ରେମର ସାଧନା।’
ତାଙ୍କ କଥା ଭିତରେ ଏକ ବିଭତ୍ସ କାମନାର ଇଙ୍ଗିତ ଥିବାପରି ମନେ ଲାଗିଲା ଏବଂ ମୁଁ ଆତଙ୍କିତ ହେଲି। ତେଣୁ ସ୍ବରକୁ ଟିକିଏ ଦ୍ରୁତ କରି କହିଲା‘ଆଚ୍ଛା,ସେଇ ଶବ୍ଦଟା ଆପଣଙ୍କ ମୁଖରେ ଶୋଭା ପାଉନି।ତା ବ୍ୟତୀତ ମୁଁ ବର୍ତ୍ତମାନ ଆପଣଙ୍କର କୁଳବଧୂ।ଆଉ ଆପଣ…,
ସେ ଅବିଚଳିତ କଣ୍ଠରେ କହିଲେ,“ମୁଁ ଏକ ପକ୍ବକେଶ ବୃଦ୍ଧ।ମୋର ପତ୍ନୀ ପୁତ୍ର କନ୍ୟା ଅଛନ୍ତି-ଏଇଆତ!ମୁଁ କଣ ତୁମ କଥାରୁ ବୁଝିବି ଯେ,ମୁଁ ଯଦି ବୃଦ୍ଧ ନ ହୋଇ ତରୁଣ ହୋଇଥାନ୍ତି ତୁମେ ମୋ ସହିତ ପ୍ରଣୟ ସମ୍ପର୍କ ରଖିବାକୁ କୁଣ୍ଠିତ ହୋଇନଥାନ୍ତ”
ମୋ କଥାଟା ମୋ ପାଖକୁ ବୁମେରାଂ ପରି ଫେରି ଆସିଲାଭଳି ଲାଗିଲା।କିନ୍ତୁ ତାଙ୍କ ପ୍ରଶ୍ନର ଉତ୍ତର ସ୍ବତଃ ମୋ ମୁହଁରୁ ବାହାରି ଆସିଥିଲା।ମୁଁ କହି ଉଠିଲି‘ନା,ନା,କଦାପି ନୁହେଁ।’
‘ଚମତ୍କାର।ମୁଁ ଜାଣେ ତୁମ ତାହାହିଁ କହିବ।ତୁମେ ତୁମର ଆତ୍ମ ସମ୍ମାନକୁ,ତୁମର ନାରୀତ୍ବକୁ,ତୁମର ପ୍ରେମକୁ କଦାପି ସହଜରେ ସମର୍ପଣ କରିଦେବି ନାହିଁ ମୁଁ ଜାଣେ।ସେଥିପାଇଁ ମୁଁ ତୁମଙ୍କୁ ବେଶୀ ଭଲପାଏ।’
ଆଉ କିଛି କଥା କହିବାକୁ ମୋ ମୁଖରେ ଭାଷା ନଥିଲା।ସେ ପୁଣି କହି ଚାଲିଲେ।‘ମୁଁ ତୁମଙ୍କୁ କହିଲି,ଏହା ହେଉଚି ମୋର ପ୍ରେମର ସାଧନା।ଜଣେ ପ୍ରକୃତରେ ପ୍ରେମ କରିପାରେ,ଯେତେବେଳେ ସେ ନିଜଠାରୁ ନିଜକୁ ମୁକ୍ତ କରିପାରେ । ନିଜକୁ ସୁଖୀ କରିବା ନୁହେଁ,ଅନ୍ୟ ଜଣକୁ ସୁଖୀ କରିବା ହେଉଚି ପ୍ରକୃତ ପ୍ରେମ।ମୋର ଆନନ୍ଦ ହେଉଚି ତୁମର ଆନନ୍ଦରେ ଅଭିଭୂତ ହେବା।ବହୁତ ଦିନ ତଳେ ଗୋଟିଏ ପତ୍ରିକାରେ ଗୋଟିଏ କବିତା ପଢ଼ିଥିଲି।ତାର କେତେଟା ଲାଇନ୍ ମନେପଡ଼ୁଚି।
‘ତୁମେ ସୁଖୀ ହୁଅ
ତୁମ ଇଚ୍ଛା ପୂର୍ଣ୍ଣ ହେଉ
ତୁମ ସ୍ବପ୍ନ ସତ୍ୟ ହେଉ,
ତୁମେ ସୁଖୀ ହୁଅ।
ମୁଁ ଚାହେଁ ତୁମରି ପାଇଁ
ଅନୁରାଗେ କରିବାକୁ ଆଉ ବିସର୍ଜନ
ତୁମ ପାଇଁ ବହିବାକୁ ସବୁ କ୍ଳେଶ, ସବୁ ବ୍ୟଥା
ଦେବାପାଇଁ ତୁମ ମନେ ଆନନ୍ଦ ପରମ
ଆଗୋ ସଖୀ,ପ୍ରିୟସଖୀ
ପ୍ରାଣ ସଖୀ, ଦୃଦୟର ସଖୀ,
ସୁଖ ମୋର ତୁମକୁହିଁ କରିବାରେ ସୁଖୀ।’
“ବଝିଲ ସୁଚିତ୍ରା,ତୁମଙ୍କୁ ପରମ ସୁଖୀ ଭାବରେ ଦେଖିବାହିଁ ମୋର ପ୍ରେମ।ତୁମେ ଯଦି ଜୀବନରେ କେବେ ହୃଦୟ ଭିତରେ ବୋଧ କରିବ ଯେ ମୁଁ ତୁମଙ୍କୁ ଜୀବନର ଶ୍ରେଷ୍ଠ ସୁଖ ଟିକକ ଦେଇ ପାରିଚି,ତାହାହିଁ ହେବ ମୋ ପ୍ରେମର ପ୍ରକୃଷ୍ଟ ପ୍ରତିଦାନ।ତୁମେ ବର୍ତ୍ତମାନ ନୂଆ ଜୀବନ ଗଢ଼ିବାକୁ ଯାଉଚ।ମୁଁ ତୁମପାଇଁ ଅସରନ୍ତି ଶୁଭେଚ୍ଛା,ଶୁଭକାମନା ଦେଇ ଯାଉଚି।”
ତାଙ୍କ କଥା କେବଳ ଶୁଣିବା ବ୍ୟତୀତ ମୋର ଆଉ କହିବାର କିଛି ନଥିଲା।
ବରକନ୍ୟା ବିଦାୟ ପୂର୍ବରୁ ସେ ଦିଲ୍ଲୀ ଚାଲିଗଲେ।ତାଙ୍କର ଜରୁରୀ କାମ ଥିଲା ବୋଲି ତାଙ୍କର ଆଗରୁ ଚାଲିଯିବାର କଥା ଥିଲା।
ଯିବା ପୂର୍ବରୁ କହିଗଲେ,ସୁଚିତ୍ରା,ମୁଁ ଯାଉଚି,ପୁଣି ଦେଖା ହେବ।
“ପୁଣି ଥରେ ଦେଖା ହେବ
ଏ ନୀଳ ଆକାଶ ତଳେ
ଏ ଧରାର ସବୁଜ ମାଟିରେ।
ଅବା ଅନ୍ୟ ଉପଗ୍ରହେ
କେବେ କେଉଁ ଦୂର ଜନ୍ମାନ୍ତରେ।
ଚାହିଁଥିବ ଯେତେବେଳେ ବିସ୍ମୟରେ
ମତେ ତୁମେ, ତୋଳି ଦେଇ ତୁମର ଉତ୍ତରୀ।
ପଚାରିବି ସେତେବେଳେ
ପାରୁଚ ନା ଚିହ୍ନି ମତେ ରୂପସୀ ସୁନ୍ଦରୀ।”
“ତାଙ୍କର କାବ୍ୟିକତା,ରସିକତା ମତେ ଭଲ ଲାଗିଲାନି କହିଲେ ଭୁଲ୍ ହେବ।”ସେ ଚାଲିଗଲେ।
ତାର ଦୁଇଦିନ ପରେ,ସେହି ଐଶ୍ବର୍ଯ୍ୟପୂର୍ଣ୍ଣ,ରଙ୍ଗମୟ ବାସର ରାତ୍ରିର ଅବଶେଷରେ ଆମପାଇଁ ଅପେକ୍ଷା କରି ରହିଥିଲା ଏକ ମର୍ମନ୍ତୁଦ ଦୁଃସମ୍ବାଦ-ସେ ଆଉ ନାହାନ୍ତି।ହଠାତ୍ ହୃଦୟଯନ୍ତ୍ରକ୍ରିୟା ବନ୍ଦହୋଇ ଯାଇଥିଲା ତାଙ୍କର।ଆମର ବାସର ରାତ୍ରିର ମଧ୍ୟ ଭାଗରେ।
“ନମିତା,ଆଜିକୁ ଚାରିଦିନ ହେଲାଣି,ଆମେ ଦୁହେଁ କେବଳ କାନ୍ଦଚୁ।କେବଳ କାନ୍ଦୁଚୁ।।ଇଏ ତ କାନ୍ଦୁଛନ୍ତି ପିତୃହରା ପୁତ୍ରଟିଏ ପରି।ତଥାପି ହୃଦୟ ଶାନ୍ତ ହେଉନି।ମତେ ଇଏ ବହୁତ ସାନ୍ତ୍ବନା ଦେଉଛନ୍ତି।କିନ୍ତୁ ମୁଁ ଟିକିଏ ବି ତ ସାନ୍ତ୍ବନା ପାଉନାହିଁ।ସେ ମତେ ଠକି ଦେଇ ଚାଲିଗଲେ।ସେ ମତେ ଋଣୀ କରି ଦେଇ ଚାଲିଗଲେ।ମୁଁ ତାଙ୍କୁ କିଛି ଦେଇ ପାରିନାହିଁ।ଭଲ କରି କଥା ବି କହିନାହିଁ।ତାଙ୍କୁ ଅଯଥାରେ ଭୟ କରିଚି।ନୀରବରେ ଘୃଣା କରିଚି।ତାଙ୍କୁ ଭୁଲ୍ ବୁଝିଛି। ତାଙ୍କର ମହାନତାର ଅପମାନ କରିଛି।ମୁଁ ଜାଣେ ମୋର କ୍ଷମା ନାହିଁ।ନମିତା,ମୁଁ ତାଙ୍କୁ କହିନାହିଁ;କାହାକୁ କେବେ କହି ପାରିବି ନାହିଁ।ମୋର ଅନ୍ତରର କଥା ମତେ ବୁକୁ ଭିତରେ ଚାପିଧରି ରଖିବାକୁ ହେବ ସାରା ଜୀବନ।କିନ୍ତୁ ନକହିଲେ ବେନାରେ ମୋ ଛାତି ଫାଟିଯିବ।ନମିତା,ମୁଁ ସେଥିପାଇଁ ତୋ ପାଖରେ ଅନ୍ତତଃ ମନ ଖୋଲି କହି ଦେଉଛି-ମୁଁ ତାଙ୍କୁ ଭଲ ପାଉଥିଲି।ମୁଁ ତାଙ୍କୁ ପ୍ରେମ କରି ବସିଥିଲି ବୋଧ ହୁଏ ସେହି ପ୍ରଥମ ଦିନରୁ।ଆଜି ମନେ ହେଉଚି ସେ ଚାହିଁଥିଲେ ମୁଁ ତାଙ୍କୁ ବିବାହ କରିଥାନ୍ତି।କିନ୍ତୁ ଆଜି ଏକଥା ମୁଁ କାହାକୁ କହିବି?ତାଙ୍କୁ ଭଲପାଏ ବୋଲି ଯଦି କେବେ ପରୋକ୍ଷରେ ଜଣାଇ ପାରିଥାନ୍ତି ଆଜି ମୋର ଏତେ କଷ୍ଟ ହୁଅନ୍ତା ନି।
ମତେ ଏ ଜନ୍ମ ସାରା ଏଇ ଦୁଃଖର ଭାର ବହନ କରିବାକୁ ପଡ଼ିବ।ସତରେ କଣ ପରଜନ୍ମ ଅଛି?ସତରେ କଣ ଆର ଜନ୍ମରେ ମୋର ପ୍ରିୟତମଙ୍କ ସହିତ ମୋର ଦେଖା ହେବ!ସତରେ କଣ ଦେଖା ହେଲେ ମତେ ସେ ଚିହ୍ନି ପାରିବେ?ମୁଁ ତାଙ୍କୁ ଚିହ୍ନି ପାରିବି?
ନମିତା,ତୁ ଭାବୁଥିବୁ ମୋର ମୁଣ୍ଡ ଖରାପ ହୋଇ ଯାଇଛି।ମୁଁ କୂଳବଧୁ,ସ୍ବାମୀର ସ୍ତ୍ରୀ-ତା ସତ୍ତ୍ବେ ଏପରି ଭାବନା ମୋ ପକ୍ଷରେ ଶୋଭନୀୟ ନୁହେଁ।କିନ୍ତୁ ମୁଁ ଯେ ପ୍ରେମିକା।ମୁଁ ତାଙ୍କର ପ୍ରେମିକା,ଏକଥା ମୁଁ ଭୁଲିବି କିପରି?
ନମିତା,ତୁ ମୋର ଅନ୍ତରତମ ବନ୍ଧୁ।ତୋ ପାଖରେ ମୋର ଗୋପନୀୟ ବୋଲି କିଛି ନାହିଁ।ତୋ ପାଖରେ ମୁଁ ହୃଦୟ ଖୋଲି ଦେଇଛି।ଆଉ ପ୍ରକାଶ କରି ଟିକିଏ ଶାନ୍ତି ପାଇବି ବୋଲି।ଏ ଚିଠି ତୁ କାହାକୁ ଦେଖାଇବୁ ନାହିଁ।ଚିରି ଦେବୁ। ମୋ କଥା କାହାକୁ କହିବୁ ନାହିଁ-ତୋତେ ମୋ ରାଣ।”
(୪)
ଚିଠିଟି ପଢ଼ି ସାରି ମୁଁ ନମିତାଙ୍କୁ ଚାହିଁଲି।ଏହା ଭିତରେ ନମିତାର ଆଖିରୁ ଲୁହଧାର ବହି ଚାଲିଥିଲା।ମୁଁ ତାଙ୍କ ପାଖକୁ ଉଠିଯାଇ କହିଲି,‘ତୁମେ କାହିଁ କାନ୍ଦୁଚ?ସୁଚିତ୍ରାର ନିର୍ବୋଧତାକୁ ଉପହାସ କରାଯାଇପାରେ।ସେ ସହାନୁଭୂତିର ଯୋଗ୍ୟ ନୁହେଁ।’
ନମିତା ଆଖିରୁ ଲୁହପୋଛୁ ପୋଛୁ କହିଲେ ନାଁ,ତୁମେ ତାର ଦୁଃଖ ବୁଝିପାରିବ ନାହିଁ।ହୃଦୟର ପ୍ରେମ ଯଦି ଜଳପରି ବହି ନଯାଇ ବରଫ ପରି ପଥର ହୋଇଯାଏ,ପ୍ରେମ ଯଦି ଦୁଃଖରେ ପରିଣତ ହୋଇଯାଏ,ସେତେବେଳେ ସେ ଦୁଃଖରୁ ଆଉ ଏ ଜନ୍ମରେ ମୁକ୍ତି ମିଳେନା।ବିଚାରୀ ସୁଚିତ୍ରା,ତା ଦୁଃଖ ମୁଁ ବୁଝିପାରୁଚି।
ମୁଁ ନମିତାଙ୍କୁ ହତଭମ୍ବ ହୋଇ ଚାହିଁ ରହିଲି।ତାଙ୍କ କଥା ଓ କଣ୍ଠ ସ୍ବରରେ ସୁଚିତ୍ରା ପ୍ରତି ସହାନୁଭୂତି ଛଡ଼ା ଆଉ କିଛି ରହିଥିବା ପରି ମତେ ଲାଗିଲା।
ସୁଚିତ୍ରାର ଉପଲକ୍ଷରେ ନମିତା କଣ ନିଜକଥା କହି ପକାଇଛନ୍ତି?ମୋ ବକ୍ଷଭିତରେ ମୁଁ ଗୋଟାଏ ପିନ୍ ଫୋଡ଼ି ହୋଇ ଯିବାପରି ତୀବ୍ର ଯନ୍ତ୍ରଣା ଅନୁଭବ କଲି।ସେ ଯନ୍ତ୍ରଣା ପ୍ରକାଶ କରିବା ପରି ଭାଷା ମୋର ନଥିଲା।
୫।୭।୭୬
ଭୁବନେଶ୍ବର