ଗୋଟିଏ ଦିନ


   

ଚାଲିଗଲା ଗୋଟିଏ ଦିନ-

ବିତିଗଲା ବହୁଫୁଲର ସକାଳ,

ଅତିକ୍ରାନ୍ତ ହୋଇଗଲା ଝାଳ ସରସର ଦ୍ବିପ୍ରହର

ଆକାଶରେ ନିଷ୍ର୍ପଭ ହୋଇଗଲା ମେଘବୋଳା ସୂର୍ଯ୍ୟାସ୍ତ,

ଆକାଶ ଦୀପ ଜାଳି ଜାଳି

ଅନ୍ଧକାର ଭିତରେ ପାରି ହୋଇଗଲା ରାତି

ଶେଷ ହୋଇଗଲା ଗୋଟିଏ ଦିନ

 

ଗୋଟିଏ ଦିନ,

ଅନନ୍ତ କାଳ ପ୍ରବାହରେ ଗୋଟିଏ ବିନ୍ଦୁ,

ଅସୀମ ସାଗରରେ ଏକ ଜଳକଣା

ଅତିକ୍ରାନ୍ତ ହୋଇଗଲା

ଛଅଟି ଋତୁର ବନ୍ଧନୀରେ ବନ୍ଧା ପଡ଼ିଥିବା

ବର୍ଷକର ଗୋଟିଏ ଦିନ

ଅତିକ୍ରାନ୍ତ ହୋଇଗଲା

ମାସକର ଦରମା ଭିତରେ ଚାପିଚୁପି ହୋଇ ରହିଥିବା

ଗୋଟିଏ ଦିନ

ଅତିକ୍ରାନ୍ତ ହୋଇଗଲା

ସାତରଂଗର ଇନ୍ଦ୍ରଧନୁ ପରି

ସପ୍ତାହର ଗୋଟିଏ ଦିନ

ଅତିକ୍ରାନ୍ତ ହୋଇଗଲା

ଦୁର୍ଲ୍ଲଭ ଜୀବନର ଗୋଟିଏ ବହୁମୂଲ୍ୟ ଦିବସ

 

  

ଅଜସ୍ର ଅର୍ଥରେ ପକେଟ ପୂର୍ଣ୍ଣଥିଲେ

କିଏ ରଖେ ଖର୍ଚ୍ଚର ହିସାବ

କିନ୍ତୁ ସରିଆସୁଥିବା ଟଙ୍କା କେତୋଟି ପାଇଁ

କେତେ ଯେ ଭାବିବାକୁ ହୁଏ

ପଇସାଟାକର ଅଯଥା ବ୍ୟୟ ପାଇଁ

ମନରେ ଭରିଯାଏ ଅନେକ ମନସ୍ତାପ

ଜୀବନର ଶେଷ ପାଦରେ

ଦିନଗୁଡ଼ିକ କେତେ ମହାର୍ଘ ମନେହୁଏ ସତେ?

ସରିଯିବା ଦିନଟି ପାଇଁ ମନ ଉଦାସ ହୋଇଯାଏ

କାହାର ନୁହନ୍ତି ଏଇ ପ୍ରତିମୁହୂର୍ତ୍ତରେ

ଦୌଡ଼ୁଥବା ଦିନଗୁଡ଼ିକ,

ଶୀତ ଦିନର ପକ୍ଷୀପରି

ସେମାନେ ଉଡ଼ିଆସନ୍ତି ଆପେ ଆପେ

ଫେରିଯାଆନ୍ତି ମନକୁ ମନ

ଅବୋଲକରା ଏକ ଦିନଗୁଡ଼ିକୁ

କେବଳ ଅସହାୟ ଆଖିରେ

ଚାହିଁ ରହିବା ହିଁ ସାରହୁଏ,

ଅଟକେଇ ହୁଏନା ମିନିଟ୍ ପାଇଁ

 

ବିତିଗଲା ଗୋଟିଏ ଦିନ,

ଦେଇଗଲା ଗୋଟିଏ ଦିନର ଜୀବନ,

ନେଇଗଲା ଗୋଟିଏ ଦିନର ପରମାୟୁ




+ -