ନିପଟ ମଫସଲ ଗାଁ।
ପାଖରେ ଥିବା ଛୋଟ ସହର ଓ ସେହି ଗାଁକୁ ଯେଉଁ ନଗ୍ନ ରାସ୍ତା ଯୋଗ କରିଛି,ତାହା ବର୍ଷା ଦିନେ ଏକବାରେକେ ଅଗମ୍ୟ ହୋଇପଡ଼େ।କେବଳ ଖରାଦିନେ ସେହି ଧୂଳି ଧୂସରିତ ରାସ୍ତାରେ ସାଇକେଲ,ଶଗଡ଼,ରିକ୍ସା ଯିବା ଆସିବା କରିପାରେ।ଥରେ ଦୁଇଥର ଜିପ୍ ମଧ୍ୟ ସେଇ ରାସ୍ତାରେ ଯାଇଥିବ।
ସେ ଦିନ କିନ୍ତୁ ଗାଁ ଲୋକଙ୍କୁ ସମ୍ୟକ୍ ଆଚମ୍ବିତ କରି ବହୁ କଷ୍ଟରେ ଧୂଳିରେ ବିବର୍ଣ୍ଣ ହୋଇ ଗୋଟାଏ କାର୍ ସେଠାରେ ପହଞ୍ଚିଲା-ସେତେବେଳେ ସମୟ ମେ ମାସର ମଧ୍ୟାହ୍ନ।
ନୀଳାମ୍ବର ମହାନ୍ତି ଘର ଭିତରେ ଦେହରେ ଓଦା ଗାମୁଛା ପକାଇ ଗୋଟିଏ ସପ ମସିଣା ଉପରେ ଗଡ଼ପଡ଼ ହେଉଥିଲେ ଏବଂ ହାତରେ ଧରିଥିବା ବିଞ୍ଚଣା ହଲାଇ ପବନ ପାଇବା ସଙ୍ଗେ ସଙ୍ଗେ ମାଛିମାନଙ୍କ ଦୌରାତ୍ମ୍ୟରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ।ଅବିଳମ୍ବେ ତାଙ୍କ ପାଖରେ ଖବର ପହଞ୍ଚିଗଲା।ତାଙ୍କରି ଘର ସମ୍ମୁଖରେ ହିଁ କାର୍ ଅଟକିଥିଲା। ନୀଳାମ୍ବର ସାଙ୍ଗେ ସାଙ୍ଗେ ଯେଉଁ ଅବସ୍ଥାରେ ଥିଲେ ସେହି ଅବସ୍ଥାରେହିଁ ବାହାରକୁ ବାହାରି ଆସିଲେ।
ସେତେବେଳକୁ କାର୍ରୁ ଓହ୍ଲାଇ ସାରି ପୀତାମ୍ବର ପଟ୍ଟନାୟକ ଓ ତାଙ୍କର ସହଧର୍ମିଣୀ ନୀଳାମ୍ବରଙ୍କ ଉଚ୍ଚ ପିଣ୍ଡାର ପାହାଚ ଚଢ଼ୁଥିଲେ।ସେମାନଙ୍କୁ ଦେଖି ନୀଳାମ୍ବର ବିସ୍ମୟ ବିମୂଢ଼ ହୋଇ କହି ଉଠିଲେ,‘ଆରେ ପୀତାମ୍ବର ବାବୁ,ଆପଣ-’
ପୀତାମ୍ବର,ନୀଳାମ୍ବରଙ୍କୁ ଦୁଇହାତରେ କୁଣ୍ଢେଇପକେଇ କହିଲେ,ଆସିଗଲିରେ ନୀଳାମ୍ବର,ତୋରି ପାଖକୁ ଆସିଗଲି।’ନୀଳାମ୍ବର,ପୀତାମ୍ବରଙ୍କୁ ଘର ଭିତରକୁ ପାଛୋଟି ନେଲେ।ନିଃସଙ୍କୋଚରେ ପୀତାମ୍ବରଙ୍କ ସହଧର୍ମିଣୀ ନିଜର ବହୁମୂଲ୍ୟ ଶାଢ଼ୀର ମର୍ଯ୍ୟାଦା ଭୁଲିଯାଇ ନୀଳାମ୍ବରଙ୍କ ସହଧର୍ମିଣୀ ସୁଚିତ୍ରାଙ୍କ ପାଖରେ ଭୂମିରେହିଁ ବସି ପଡ଼ିଲେ।ସୁଚିତ୍ରା ସେମାନଙ୍କ ପାଇଁ ଚା ପ୍ରସ୍ତୁତ କଲାବେଳେ ଅପରିଚ୍ଛନ୍ନ ପ୍ରାୟାନ୍ଧକାର ରନ୍ଧାଘର ଭିତରେ ବସି ନୀଳିମା ସାହାଯ୍ୟ କରିବାକୁ ଉଦ୍ୟତ ହେଲେ।
ସେତେବେଳେ ଅନ୍ୟ ଗୃହରେ ପୀତାମ୍ବର କହି ଚାଲିଥିଲେ-‘ତୋର ସେ ପିଲାଦିନର କଥା ସବୁ ମନେ ଅଛି ନା ନୀଳାମ୍ବର?ସେ ପୁରୀ କଲେଜ ଆଉ ଦତ୍ତତୋଟା।ସମୁଦ୍ରକୂଳର ଝାଉଁବଣ ଆଉ ବାଇଶି ପାହାଚ-ସରକାରୀ କଳ ଭିତରେ ରହି ଜୀବନଟା ଗୋଟାଏ ଅଜବ୍ କଳ ହୋଇଗଲାଣି।ଆଜି ତୋ ପାଖରେ ରହି ନିଜକୁ ଫେରି ପାଇବା ଭଳି ଲାଗୁଚି।’
ପୀତାମ୍ବରଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ଗଭୀର ହୃଦ୍ୟତା ପ୍ରକାଶ ସତ୍ତ୍ବେ ନୀଳାମ୍ବର‘ଆପଣ’ରୁ‘ତୁମେ’ପର୍ଯ୍ୟନ୍ତ ମାତ୍ର ଓହ୍ଲାଇ ଆସିଥିଲେ।ପୀତାମ୍ବର ତାଙ୍କୁ ଭର୍ତ୍ସନା କରିବା ଭଙ୍ଗୀରେ କହିଲେ‘ଆରେ,ତୁ,ତୁ କଣ ହଉଚୁ-ମୋତେ କଣ ନୂଆ ଦେଖିଲୁନା ଭୁଲିଗଲୁଣି।’ନୀଳାମ୍ବର ଲଜ୍ଜିତ ହେଲେ।
ପୀତାମ୍ବର ପଟ୍ଟନାୟକ ସିନିୟର ଆଇ.ଏ.ଏସ୍ ଅଫିସର।କେନ୍ଦ୍ର ସରକାରଙ୍କର ଏକ ପ୍ରଧାନ ମନ୍ତ୍ରାଳୟର ସେକ୍ରେଟେରୀ। ଆଉ ନୀଳାମ୍ବର ତାଙ୍କ ଗାଁ ପାଖରେ ଥିବା ଛୋଟ ସହରର ପୁରୁଣା ହାଇସ୍କୁଲର ଜଣେ,ସହକାରୀ ଶିକ୍ଷକ ମାତ୍ର।
ପୀତାମ୍ବର ଅନର୍ଗଳ କହି ଚାଲିଥିଲେ।‘ବୁଝିଲ ନୀଳିମା,ଆମର ଇଂରାଜୀ ଅଧ୍ୟାପକ ରବି ମହାନ୍ତି ଆମ ଦୁହିଁଙ୍କର ମାଣିକ ଯୋଡ଼ିକୁ ଲକ୍ଷ୍ୟକରି ଥରେ କହିଲେ,‘ହଇହେ,ଦିଗମ୍ବର,ପୀତାମ୍ବରଙ୍କ ପରି ଆମେ ଦୁହେଁ କଣ କେଉଁ ଧର୍ମର ଦୁଇ ସଂପ୍ରଦାୟ ନା କଣ?’ସେତେବେଳେ ଆମ ଦୁହିଁଙ୍କର ବନ୍ଧୁତା ସାରା କଲେଜରେ ଚହଳ ପକେଇ ଦେଇଥାଏ।ଯେଉଁଠି ଦେଖିବ ଆମେ ଦୁଇଜଣ।ଏକାଠି ଥାଉ,ଏକାଠି ଖାଉ,ଏକାଠି ଶୋଉ,ଏକାଠି ପଢ଼ୁ,ଏକାଠି ବୁଲୁ।ଦୁଇଜଣଙ୍କର ଦୁଇଟା ଦେହ କିନ୍ତୁ ଗୋଟଏ ମନ,ଗୋଟାଏ ପ୍ରାଣ।ଆମ ବନ୍ଧୁତାକୁ ଅଖଣ୍ଡ ରଖିବାକୁ ଆମେ ସେତିକି ବେଳୁହିଁ ଠିକ୍ କରିଥିଲୁ।ତା ଝିଅ ସହିତ ତା ପୁଅକୁ ବିବାହ ଦେଇ ଆମେ ସମୁଦୀ ହେବୁ।ବୁଢ଼ା ବୟସରେ ସେହି ସୁତ୍ରରେ ଦୁହେଁ ଯୁଆଡ଼େ ଥାଉ ପଛେ ପୁଣି ଯେପରି ଏକାଠି ହେବୁ।
ସୁଯୋଗ ଉଣ୍ଡି ନୀଳିମା ପ୍ରସ୍ତାବ ଫେଶ୍ କଲେ।‘ଏବେ ତ ସେଇ ସୁଯୋଗ ଆସିଲା।ତୁମ ଦୁହିଁଙ୍କର ସ୍ବପ୍ନ ସଫଳ ହେଉ।’
ପୀତାମ୍ବର ପୁରୀକଲେଜରେ ବି.ଏ.ପଢ଼ା ଶେଷ କରି ଏମ.ଏ.ପଢ଼ିବାକୁ ରେଭେନ୍ସାକୁ ଗଲେ।ଆଉ ନୀଳାମ୍ବର ନେଲେ ଟ୍ରେନିଂ।କଟକରେ ଉଭୟେ ଥିବା ବେଳେ ଧୀରେ ଧୀରେ ଉଭୟଙ୍କ ଭିତରେ ବ୍ୟବଧାନ ଗଢ଼ି ଉଠିଥିଲା ପରିସ୍ଥିତି ଯୋଗୁ। ନୀଳାମ୍ବର ଗାଁ ପାଖ ସ୍କୁଲରେ ଚାକିରୀ ପାଇବା ପରେ ପତ୍ର ମାଧ୍ୟମରେ ମଧ୍ୟ କିଛିଦିନ ସଂପର୍କ ରହିଥିଲା।
ପୀତାମ୍ବର କହିଲେ,“ମୁଁ କଣ ଭାବିଥିଲି ଜାଣିଲ ସମୁଦୁଣୀ-ଏକାଥରକେ ମିଲିକୁ ସାଙ୍ଗରେ ନେଇ ଆସିଥାନ୍ତି।ଆଉ ତମ ପାଖରେ ଛାଡ଼ିଦେଇ ଯାଇ ଥାଆନ୍ତି।ତୁମ ବୋହୁକୁ ତୁମଙ୍କୁ ଦେଇ ଦେଲାପରେ ମୁଁ ନିଶ୍ଚିନ୍ତ।ତୁମେ ଯେତେବେଳେ ବାହାଘର କରୁଚ କର।ତୁମଠାରୁ ବାହାଘର ନିମନ୍ତ୍ରଣ ପାଇ ଆସି ମୋର ତେଣିକି ଭୋଜି ଖାଇବା କଥା।”
ନିଜ କଥାରେ ରସିକତାରେ ମୁଗ୍ଧ ହୋଇ ପୀତାମ୍ବର ହୋ ହୋ ହସି ଉଠିଲେ।
ଖବର କାଗଜରେ ସୁସମ୍ବାଦଟା ପଢ଼ି ନୀଳାମ୍ବର ଉତ୍ଫୁଲ୍ଲ ହେଲେ।ଆନନ୍ଦରେ ତାଙ୍କର ହୃଦୟ ନାଚିଲା ଏବଂ ସତକୁ ସତ ସେ ନାଚିଲେ।ସେହି ଖବରଟା ସେ ଯାହାକୁ ଦେଖିଲେ ତାକୁ କହିଲେ।ତିନିଦିନ ପରେ ସହକର୍ମୀ ଭାଗବତ ବାବୁଙ୍କୁ ଯେତେବେଳେ ସେ ପୁଣି ସେହି ଖବର ଉଚ୍ଛ୍ବାସର ସହିତ ପଞ୍ଚମଥର ପାଇଁ ପରିବେଷଣ କଲେ,ସେତେବେଳେ ଭାଗବତ ବାବୁ ବିରକ୍ତି ଓ ବିଦ୍ରୁପ ମିଶାଇ କହିଲେ,‘ଆପଣଙ୍କ ବନ୍ଧୁ ପୀତାମ୍ବର ପଟ୍ଟନାୟକ ସିନା ଆଇ.ଏ.ଏସ୍ ପାଇଲେ,ଆପଣ ତ ପାଇ ନାହାନ୍ତି!ସେଥିପାଇଁ ଏତେ ଖୁସୀ ହେବାର କଣ ଅଛି?’
ନୀଳାମ୍ବର କହିଲେ,‘ଭାଗବତ ବାବୁ,ପିତାମ୍ବର ଆଇ.ଏ.ଏସ୍ ପାଇବା ଯାହା ମୁଁ ପାଇବା ସେଇୟା।ତା ଆଉ ମୋ ଭିତରେ କଣ କିଛି ପାର୍ଥକ୍ୟ ଅଛି’ଆମେ ଦୁହେଁ,ଦୁଇ ଅଙ୍ଗରେ ଏକ ମନ,ଏକ ଆତ୍ମା।
ଭାଗବତ ବାବୁଙ୍କର ବ୍ୟଙ୍ଗଭରା ମୁଚୁକି ହସ ଦେଖି ନୀଳାମ୍ବର ବ୍ୟଥିତ ହୋଇଥିଲେ,ସେମାନଙ୍କର ସଖ୍ୟର ଗଭୀରତା ମାପିବା ଭଳି ମାର୍ମିକତା ଭାଗବତ ବାବୁଙ୍କର ନାହିଁ ବୋଲି।
ପୀତାମ୍ବର କହି ଚାଲିଥିଲେ,‘ମିଲି ମୋର ଗୋଟିଏ ବୋଲି ଝିଅ,ଆନ୍ଥ୍ବୋପଲୋଜି ଅନର୍ସ ନେଇ ବି.ଏ.ପଢ଼ୁଛି।ବଡ ପୁଅ ଡାକ୍ତର,ଆମେରିକାରେ ରହିଗଲା। ସେଇଠି ବି ବାହା ହୋଇ ସାରିଲାଣି ମେମ୍ ସାହେବ।ମଝିଆ ପୁଅ ଆଇ.ଏଫ୍.ଏସ୍ ପାଇ ଲଣ୍ଡନରେ ଅଛି।ସାନପୁଅ ଭାବା ଗବେଷଣା କେନ୍ଦ୍ରରେ ରିସର୍ଚ୍ଚ କରୁଚି।ଆଉ ଗୋଟିଏ ବୋଲି ଏଇ ଝିଅ ମିଲି।ସେ ଆଉ ମୋ ଝିଅ କଣ,ତମ ଝିଅ ବୋଲି ଜାଣ ସମୁଦୁଣୀ।’
ନୀଳାମ୍ବର ଗଭୀର ଉଚ୍ଛ୍ବାସଭରରା ଗୋଟିଏ ଲମ୍ବା ଚିଠି ଲେଖିଲେ-ପୀତାମ୍ବରର ସିଦ୍ଧି ତାଙ୍କର ସିଦ୍ଧି।ପୀତାମ୍ବରର ଗୌରବ ତାଙ୍କର ଗୌରବ।କିନ୍ତୁ ବହୁଦିନ ପ୍ରତୀକ୍ଷା କରିବା ପରେ ମଧ୍ୟ ନୀଳାମ୍ବର ତାଙ୍କ ଚିଠିର କୌଣସି ଉତ୍ତର ପାଇଲେ ନାହିଁ।ଭାବିଲେ ବୋଧହୁଏ ପୀତାମ୍ବର ପାଖରେ ଚିଠି ପହଞ୍ଚିଲା ନାହିଁ।କିନ୍ତୁ ସେତେବଳକୁ ପୀତାମ୍ବରଙ୍କ ଠିକ୍ ଠିକଣା ପାଇବା ବି ସମ୍ଭବ ହେଲାନାହିଁ।ଏତେ ବଡ଼ ସାର୍ଥକତା ପରେ ପୀତାମ୍ବରଙ୍କଠାରୁ ସାଧାରଣ ସଂବର୍ଦ୍ଧନାସୂଚକ ଚିଠି ଖଣ୍ଡିଏ ବି ନପାଇ ପୀତାମ୍ବର ଯେ ନିଶ୍ଚୟ କ୍ଷୁର୍ଣ୍ଣ ହୋଇଥିବ ଏଇ ଚିନ୍ତାରେ ନୀଳାମ୍ବର ଅନେକ ଦିନ ଧରି ପ୍ରପୀଡିତ ହେଲେ।କିନ୍ତୁ ନିରୁପାୟ ଭାବରେ ତାଙ୍କୁ ଯେ ଯନ୍ତ୍ରଣା ନୀରବରେ ସହ୍ୟ କରିବାକୁ ପଡ଼ିଲା।
ପୀତାମ୍ବରଙ୍କ କଥାରେ ସହଯୋଗ କରି ନୀଳିମା କହିଲେ,‘ବୁଝିଲ ସମୁଦି,ତୁମ ବନ୍ଧୁଙ୍କର ଅତୀତ ପ୍ରତି ଗୋଟାଏ ବଡ଼ ମୋହ।ସବୁବେଳେ‘ଆମେ ଦୁଇଜଣ ଏମିତି ଥିଲୁ,ସେମିତି ଥିଲୁ,ଇତ୍ୟାଦି କେତେ କଣ ଅସରନ୍ତି ଗପ।ମତେ ବେଳେ ବେଳେ ଚିଡି ଲାଗେ।ମୁଁ କହେ,ଆଚ୍ଛା,ଗୋଟାଏ ଚାକିରୀ କଲ ଯେ ସବୁବେଳେ ବାହାରେ ବୁଲିଲ।ଦୁଇବନ୍ଧୁଙ୍କର ଦିନେ କାଳେ ଦେଖା ନାହିଁ।କଥା କହୁଚ ଯେପରି ଦୁହିଁଙ୍କ ଭିତରେ କ୍ଷୀର ନୀର ସଂପର୍କ।’ଆସିଲାବେଳେ ମୁଁ କହିଲି,‘ଏତେ ଆନନ୍ଦରେ ଧାଇଁ ଯାଉଚ ଯେ,ତୁମ ବନ୍ଧୁ ତୁମକୁ ଚିହ୍ନିଲେ ହେଲା।’
ନୀଳାମ୍ବର ଅନ୍ତର ଭିତରେ ଭାଳି ହେଉଥିଲେ।‘କେବେ ପୀତାମ୍ବରଟା ସହିତ ଦେଖା ହୁଅନ୍ତା କି?ତାର କୃତିତ୍ବ ପାଇଁ ସେ ଖୁସୀ ହୋଇ ଗୋଟାଏ ଚିଠି ଦେଇ ପାରିଲେ ନାହିଁ ବୋଲି ପୀତାମ୍ବର ଯଦି ଅଭିଯୋଗ କରେ ତାହେଲେ ତାର କି ପ୍ରକାର ସଦୁତ୍ତର ଦେଇ ଭୁଲ ବୁଝାମଣା ଭାଙ୍ଗିବେ ସେଥିପାଇଁ ସେ ମନେ ମନେ ସଂଳାପ ରଚନା କରୁଥିଲେ। ନୀଳାମ୍ବରଙ୍କ ମନରେ ଅନେକ ସମୟରେ ଦୁଃଖ ହେଉଥିଲା।ପିତାମ୍ବର ଅନ୍ତତଃ ତାଙ୍କ ପାଖକୁ ଖଣ୍ଡିଏ ଚିଠି ଦେବା ଉଚିତ ଥିଲା।ସେଇ ଚିଠି ଦେଖାଇ ସେ ଭାଗବତ ବାବୁଙ୍କର ଭୁଲ୍ ଧାରଣା ଭାଙ୍ଗି ଦେଇ ପାରିଥାନ୍ତେ।ନୀଳାମ୍ବର ଟ୍ରେନିଂ ନେଉଥିବା ବେଳେ ବାହା ହୋଇ ପଡ଼ିଥିଲେ।କାରଣ ତାଙ୍କର ମାତୃହୀନ ପରିବାରର ଦାୟିତ୍ବ ବହନ କରିବା ପାଇଁ ଗୃହିଣୀର ଆବଶ୍ୟକତା ଅପରିହାର୍ଯ୍ୟ ହୋଇ ପଡ଼ିଥିଲା।ତାଙ୍କ ବାହାଘରରେ ବରଯାତ୍ରୀ ହୋଇ ପୀତାମ୍ବର ଆସିଥିଲେ। ତାଙ୍କ ସ୍ତ୍ରୀଙ୍କୁ ପରିହାସ କରିଥିଲେ।ନୀଳାମ୍ବରଙ୍କ ଦୃଢ଼ ବିଶ୍ବାସ ଥିଲା ପୀତାମ୍ବର ତାଙ୍କର ବାହାଘରକୁ ନିଶ୍ଚୟ ନୀଳାମ୍ବରଙ୍କୁ ଖୋଜିବେ।କିନ୍ତୁ ପୀତାମ୍ବରଙ୍କର ବିବାହ ସଂବାଦଟା ଖବର କାଗଜରୁ ଜାଣିବାକୁ ମିଳିଥିଲା।ତାଙ୍କୁ ଏବଂ ସେହି ଅବସରରେ ଭାଗବତ ବାବୁ ତାଙ୍କୁ ଯେଉଁ ବକ୍ରୋକ୍ତି କରିଥିଲେ ତାହାର ମର୍ମାନ୍ତିକ ପୀଡା ତାଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଲାଗି ରହିଥିଲା।’
ପୀତାମ୍ବର ନୀଳିମାଙ୍କର କଥା ମଝିରେ କଥା କହି ଉଠିଲେ।“ମୁଁ କଣ କହୁଥିଲି,ବର୍ତ୍ତମାନ ଦେଖିଲ ତ।ମୁଁ କହିଲି,ମୋ ଛାଇ ଦେଖିଲେ ମତେ ନୀଳାମ୍ବର ଚିହ୍ନି ପକାଇବ।ଆମର ବନ୍ଧୁତା ଏ ଭେଜାଲ ଯୁଗର ବନ୍ଧୁତା ନୁହେଁ।ଜଣକ ପାଇଁ ଆଉ ଜଣେ ପ୍ରାଣ ଦେଇପାରେ-ସେହିପରି ବନ୍ଧୁତା ଆମର।ସମୟ ସ୍ପର୍ଶରେ ସେ ବନ୍ଧୁତା ପୁରୁଣା ହୁଏନା କି ଚ୍ଛିନ୍ନ ହୁଏନା। ଆମେ ସେଦିନ ପରସ୍ପରକୁ ସମୁଦୀ ଡାକି ଯେଉଁ ଅଙ୍ଗୀକାର କରିଥିଲୁ,ତାହା ଆଜି ପୂର୍ଣ୍ଣ କରିବାର ଦିନ ଆସିଛି।ମୁଁ ସିନା ସରକାରୀ ଯନ୍ତ୍ର ଭିତରେ ପଶି ଯନ୍ତ୍ର ହୋଇ ଯାଇଛି,କିନ୍ତୁ ନୀଳାମ୍ବର କଥାର ମୂଲ୍ୟ ବୁଝେ ଓ କଥାର ମର୍ଯ୍ୟାଦା ରଖେ।ତା ନ ହୋଇଥିଲେ ସେ ଅଫିସର ନ ହୋଇ ଆଦର୍ଶ ଶିକ୍ଷକ ହୋଇ ନଥାନ୍ତା।”