॥ ୧ ॥
ତୁମେ ସତେ କେଡ଼େ ଦୁଷ୍ଟ
ଡାକି ନେଇ ମତେ
ଏଡ଼େ ଉଚ୍ଚ ଶିଖରରୁ
ଜାଣିଶୁଣି ଠେଲିଦେଇ ତଳେ
ନ ବିଚାରି ଭଲମନ୍ଦ ଆଗପଛ ତିଳେ।
ମୁଁ କ୍ଷତବିକ୍ଷତ ହୋଇ
ଫଟାଇଲି ଆକାଶକୁ ଆର୍ତ୍ତ ଚିତ୍କାରରେ।
କି ଅଦ୍ଭୁତ ସତେ ତୁମେ
ହସୁଥିଲ ସେତେବେଳେ ପ୍ରାଣ ପୁଲକରେ?
ତୁମେ ଦୁଷ୍ଟ ଶିରୋମଣି
ଛାଡ଼ିଦିଅ ନାହିଁ ମୋତେ ଯିବାକୁ ମୋ ପଥେ
ନିଜ ଇଚ୍ଛାମତେ।
ପଛେ ପଛେ ଲାଗିଥାଅ
ହସାଇ କନ୍ଦାଇ
ଖେଳିବାକୁ ଭଲପାଅ
ହେ କଳା କହ୍ନାଇ।
॥ ୨॥
ତୁମେ ବଡ଼ ଦୁଷ୍ଟ କାହ୍ନୁ,
ଜାଣେ ତୁମେ ସବୁ କରିପାର;
ବଜାଇ ମୋହନ ବଂଶୀ
କଦମ୍ବ ମୂଳରେ,
ଅବା ଆଡ଼ ଚାହାଣୀରେ
ଯମୁନା କୂଳରେ,
କରିପାର ଘରଛଡ଼ା, କୁଳଛଡ଼ା
ଆଉ ଆତ୍ମହରା-
ତିଳ ତିଳ ଲୁଣ୍ଠି ନେଇ
ଆପଣାକୁ ଦିଅନାହିଁ ଧାରା।
ଭଣ୍ଡିଦେଇ ଯାଇ ଦୂର
ମଥୁରା ନଗରେ,
ଭୂଲି ସବୁ ରହିପାର
ଆନ ପୀରତିରେ ।
॥ ୩ ॥
ତୁମେ ସିନା ବଡ଼ ଦୁଷ୍ଟ
ରାଧାପରି ମୁଁ ଅନନ୍ୟମନା
ତୁମକୁ ଛାଡ଼ିବି ନାହିଁ
ଦିଅ ଯେତେ ପୁଲକ ବେଦନା।