॥ ୧॥
ଏକ ସଂଧ୍ୟାର ଉତ୍ତୀର୍ଣ୍ଣ ପ୍ରହରେ
ଚାଲିଥିଲି ଏକା ଏକା
କଲିକତା ନଗରୀର ରାଜପଥ ପରେ
ହଠାତ୍ ସେ କିଏ
କହିଲା ମୋ ପଶ୍ଚାତରେ
“ଶୁଣିବେ ଟିକିଏ”
ପଛକୁ ଚାହିଁଲି ଫେରି
ଆସୁଛି ମୋ ପଛେ ପଛେ
ଏକ ତନ୍ବୀ ସୁନ୍ଦରୀ ତରୁଣୀ,
ସୁବେଶିନୀ,ବବ୍ କରା ସୁକେଶିନୀ
ଆଖିରେ ତା’ ସୁମିଷ୍ଟ ଚାହାଣୀ଼-
ଓଠରେ ଫୁଟାଇ ସ୍ମିତି
କହିଲା ସେ ପୁଣି,
“ମତେ ନେବେ ଆପଣଙ୍କ ସାଥେ।
ଦେଇପାରେ ସଙ୍ଗ ସ୍ପର୍ଶ ସୁଖ ଏଇ ରାତେ-”
ମଥା ମୋର ହୋଇଗଲା ନତ
ବୟସ ମୋ ଯୌବନ ବିଗତ,
କନ୍ୟା ସମା-ହୋଇପାରେ ଅନୁପମା
ସେ ଅପରିଚିତା
ତରୁଣୀର କଣ୍ଠେ ଶୁଣି ସେ ନିର୍ଲଜ କଥା
ନତ ମୋର ହୋଇଗଲା ମଥା
କରି ଦ୍ରୁତ ମୁଁ ପଦ ଚାଳନ
ତାହାଠାରୁ ନୀରବରେ କଲି ପଳାୟନ।
॥ ୨॥
ପୁଣି ପରଦିନ
ପ୍ରାୟ ଠିକ୍ ସେହି ସମୟରେ
ଯାଉଥିଲି ସେହି ପଥେ
ଦେଖିଲି ମୁଁ ତାକୁ ଅଳ୍ପ ଦୂରେ
ସେହିପରି ସୁବେଶିନୀ, ସୁକେଶିନୀ-
ସାଙ୍ଗେ ତାର ଅନେକ ସଙ୍ଗିନୀ,
ସମସ୍ତେ ତାହାରି ପରି ବିନୋଦିନୀ
ଯୁବତୀ ତରୁଣୀ।
ସମସ୍ତେ ପ୍ରତୀକ୍ଷମାଣା-
ସେବି ମୋତେ ନିମିଷକେ ପକାଇଲା ଚିହ୍ନି।
ପାଶେ ଆସି ସ୍ମିତ ହସି
କହିଲା ସେ, “ଆସିବେନି?
ମୋତେ ଥରେ ସାଙ୍ଗରେ ନେବେ ନି
ନତ କରି ମଥା ଓ କ୍ଷିପ୍ର କରିପଦ
ଚାଲି ଯାଉ ଯାଉ ଶୁଣି ପାରିଲି ମୁଁ କଥା କେଇପଦ-
“ଭଲଲୋକ-ଆସିବେନି-କରିବେନି କୋଳ!”
ସଙ୍ଗିନୀଙ୍କ ମଧ୍ୟେ ହାସ୍ୟ ରୋଳ,
କିଛିଦୂର ଚାଲିଆସି
ମନେ ଲଜ୍ଜ୍ୟା ଓ ସଙ୍କୋଚ ଭରି
ଦେଖିଲି ପଛକୁ ଚାହିଁ,
ତା ସ୍ଥାନକୁ ଯାଇଛି ସେ ଫେରି।
ତଥାପି ଲାଗିଲା ମୋତେ
କହୁଛି ସେ ଅବା ତୁନି ତୁନି
“ଆସିବେନି?ଆଜି ମଧ୍ୟ ସତେ ଆସିବେନି?”
ମୁଁ କହିଲି ମନେ ମନେ,
ହେ ସୁନ୍ଦରୀ
ମୋ ପାଇଁ ପ୍ରତୀକ୍ଷା ଯେବେ ପାରିବ ଗୋ କରି,
ମୁଁ ଆସିବି ତୁମ ପାଶେ ଏକ ନିଶୀଥରେ
ମୋ ହୃଦୟେ ପ୍ରେମ ପ୍ରୀତି ଭରି
(ବାସବଦତ୍ତାର ପାଶେ ଉପଗୁପ୍ତ ଭରି)
ଏ ଜୀବନେ ଯଦି ନୁହେଁ
ଅନ୍ୟ ଜନମରେ
ଆସିଚି ମୁଁ ନେଇଯିବି ମୋ ବାସର ଘରେ
ତୁମ ହାତଧରି,
ମୋ ପାଇଁ ପ୍ରତୀକ୍ଷା ତୁମେ ପାରିବ କି କରି?”