॥ ୩॥
ବହୁଦିନ ପରେ
ଯାଉଥିଲି କଲିକତା ନଗରୀର
ସେଇପଥ ପରେ।
ସେହିପରି ଏକ ସଂଧ୍ୟା ଉତ୍ତୀର୍ଣ୍ଣ ପ୍ରହରେ।
ରାସ୍ତାର ସେ ମୋଡ଼ପରେ ଆସି
ଆଖି ମୋର ଖୋଜିଗଲା ସେଇ ସ୍ମିତ ହାସୀ
ସୁନ୍ଦରୀଙ୍କୁ ଦେଖିଲି ଅଦୂରେ
ଆଜି ବି ପ୍ରତୀକ୍ଷମାଣ ଅନେକ ତରୁଣୀ
ତାଙ୍କରି ଭିତରେ କିନ୍ତୁ ତାଙ୍କୁ ଦେଖିଲିନି
ତାଙ୍କରି ଭିତରୁ ଜଣେ ଆସି ମୋର ପାଶେ
କହିଲା ମୋତେ କି ନେବେ ଆପଣଙ୍କ ସାଥେ
ଦେଇପାରେ ସଙ୍ଗ ସ୍ପର୍ଶ ସୁଖ ଏଇରାତେ
କରି ଦ୍ରୁତ ଚଳଣ ଚାଳନ
ନୀରବରେ ସେହିଠାରୁ କଲି ପଳାୟନ
ଆଜି ମୋର ମନେ କିନ୍ତୁ ଭରିଗଲା ବ୍ୟଥା
କାହିଁଗଲା ସେ ତରୁଣୀ-
ଦେଖିବାକୁ ତାକୁ ଆଉ ଶୁଣିବାକୁ ତାର ସେଇ କଥା,
ମୋ ମନରେ କେଉଁଠାରେ ଥିଲା ଗୋପନରେ
ଅଭିଳାଷଟିଏ ସତେ-
ଆଜି ମୋତେ ନିଷ୍ପିଡ଼ିତ କରେ
ବ୍ୟର୍ଥ କାମନାର ଦୁଃଖ
ଲାଗିଲା ମୋତେ ବା ସତେ
ମୋ ପ୍ରତି ସେ ହୋଇଛି ବିମୁଖ
ମୁଁ ଜାଣେନା ନାମ ତାର
ମୁଁ ଜାଣେନା ତାର ପରିଚୟ
ମୁଁ ଜାଣେନା କାହିଁକି ସେ
କରୁଅଛି ଏପରି ସେ ନିଜକୁ ବିକ୍ରୟ
ସତେ କି ତାହାର ଅଛି ଦେହଟିଏ
ତା ଭିତରେ ନାହିଁ ମନ ନାହିଁ କି ହୃଦୟ?
ଅର୍ଥ ଛଡ଼ା ନାହିଁ ତାର କିଛି ଚାହିଁବାର
ଅର୍ଥ ଛଡ଼ା ନାହିଁ ତାର କିଛି ପାଇବାର
ଦେହଛଡ଼ା ନାହିଁ ତାର କିଛି କି ଦେବାର?
କିନ୍ତୁ ମୋର ମନେ
ଆଜି ଜାଗେ ଅତି ସଂଗୋପନେ
ତାକୁ ଦେଇଦେବା ପାଇଁ ବହୁକିଛି
ସହଜ ସୁନ୍ଦର,
ବିପୁଳ ମଧୁର।
ଆପଣାକୁ କରିଦେଇ ଶୂନ୍ୟ
ଇଚ୍ଛାହୁଏ କରିଦେବି
ମୁଁ ତାହାକୁ ପୂର୍ଣ୍ଣ।
କିନ୍ତୁ କାହିଁ ସିଏ
ମୁଁ ଆଜି ପ୍ରତୀକ୍ଷମାଣ
କହିବାକୁ“ଶୁଣିବ ଟିକିଏ”
କିନ୍ତୁ କାହିଁ ସିଏ?
୭-୮-୯୨
ଝାର୍ସୁଗୁଡ଼ା