ଏ ନଗରୀ ମାୟାବିନୀ ଗୋଟିଏ ରୂପସୀ
ମୁଁ ତାହାର ଅନୁଗତ, ଅନୁରକ୍ତ
ଭକ୍ତ ଆଉ ପ୍ରେମିକ ପୂଜାରୀ।
ତାର ଚାରୁ ଝଲମଲ ନିୟନ ଆଲୋକ ଛଟା,
ନଭଶ୍ଚୁମ୍ବୀ କୋଠାବାଡ଼ି, ଅଗଣିତ ଲୋକ କୋଳାହଳ,
ଅସଂଖ୍ୟ ଟ୍ରାଫିକ୍-ଏବଂ ଫୁଟପାଥ୍ ବିପଣୀ ବଜାର-
ତାର ରୂପସଜ୍ଜା ମତେ ଉଚ୍ଚାଟିତ କରେ।
ମୁଁ ଜାଣିଚି ଏ ସହର ମୋ ସହର ନୁହେଁ
ମୋହର ଯେପରି ନୁହେଁ ସେହିପରି କାହାର ବି ନୁହେଁ,
ଆମେ ସବୁ କେବଳ ତାହାର
ଆମେ ସବୁ ଛନ୍ଦା ତାର ମାୟା ବନ୍ଧନରେ
ବନ୍ଧା ତାର ଅଭିମାନୀ ଅପାଙ୍ଗ-ସୂତାରେ।
ତାହାର ମମତାହୀନ ଛଳନାର କୁହୁକ ପେଡ଼ିରେ।
ଛାଡ଼ିଯାଇ ହୁଏନାହିଁ, ତାକୁ କେବେ ଭୁଲିହୁଏ ନାହିଁ
ଦୂରେ ଗଲେ ତାହାପାଇଁ ମନ ଖାଲି ଛଟପଟ କରେ।
ଏପଟେ ଆଲୋକ ପର୍ଣ୍ଣା, ସେପଟେ ସେ କୁତ୍ସିତ ଅନ୍ଧାର
ଅନ୍ଧାର ଓ ଆଲୋକର ଏ ନିବିଡ଼ ମିଶାମିଶି
ଆଉ ବୋଧେ କେଉଁଠାରେ ନାହିଁ।
ରୁଚି ଆଉ ଅରୁଚିର ଭେଦନାହିଁ ଯୌନ ଚେତନାରେ
ସେ ଖାଲି ଖେଳାଇ ଯାଏ ପାଦଠାରୁ ମୁଣ୍ଡଯାଏ।
ଦାରିଦ୍ର୍ୟର ଗ୍ଳାନି ଏବଂ ପ୍ରାଚୁର୍ଯ୍ୟର ଗୋଟିଏ ସଂକେତ
ହୋଇ ସେ ପାଉଚି ଶୋଭା ଘରେ ଓ ବାହାରେ।
ମଣିଷର ଲାଲ୍ ଲାଲ୍ ତାଜା ଶୋଣିତରେ
ଟୋପା ଟୋପା ଉଷ୍ଣ ଲୁହ
ଲାବଣାକ୍ତ ସ୍ବେଦର ସ୍ରୋତରେ
ନିଜକୁ ଉଲଗ୍ନ କରି
ନିତ୍ୟ ସ୍ନାନକରେ ଏଇ ସହର ସୁନ୍ଦରୀ।
ଏଠାରେ ଗରମରକ୍ତେ ଧୋଇହୁଏ, ମାଜିହୁଏ
ଫୁଟ୍ପାଥ୍ ଦିନ ଦ୍ବିପ୍ରହରେ।
ବେଳେ ବେଳେ ବୋମା ଫୁଟେ
ଟ୍ରାମ୍ ବସ୍ ବସନ୍ତି କି ରୁଷି।
ବେଳେ ବଳେ ସେମାନେ ବି ଜଳିଉଠି
ଜଳାନ୍ତି ଦିହୁଡ଼ି;
ସବୁ ଶସ୍ତା ସବୁପୁଣି ଦୁର୍ମୁଲ୍ୟ ଏଠାରେ,
ଆମେ ସବୁ ଦେଇଯାଉ ଆପଣାକୁ ଅତି ଶସ୍ତାକରି
ନେବାବେଳେ ସବୁକିନ୍ତୁ ହୋଇଯାଏ ଦୁର୍ମୁଲ୍ୟ,ଦୁର୍ମିଳ।
ତଥାପି ଏ ସହରଟା ବହୁ ଭଲ ଲାଗେ
ଯୌନବ୍ୟାଧି ଭୟ ସତ୍ତ୍ବେ ରୂପବତୀ ଗଣିକାର ପରି।