ମୁଁ ତୁମଙ୍କୁ ଦେଇଦେବି, ସବୁ ଦେଇଦେବି,
ଦେଇଦେବି ଯୁଗ ଯୁଗ କାଳ କାଳ
ଲାଗିପଡ଼ି ରଖିଚି ସାଇତି
ଯାହା ସବୁ ଅତି ସରାଗରେ।
ଦେଇଦେବି ଆପଣାର କରି ଯେତେ
ଯାହାସବୁ ରଖିଚି ଆବୋରି,
ଟେକି ଦେବି ରାଜ୍ୟ ଧନ, ରାଣୀପୁତ୍ର
ଦାସ ଦାସୀ ପାଣି ଆଞ୍ଜୁଳାରେ।
ଦେଇଦେବି ସସ୍ରଧେନୁ, ଲକ୍ଷେ ମାଢ଼ ସୁନା,
ରାଜକୋଷ ଶୂନ୍ୟ କରିଦେବି।
କୁଆଁରୀ କନ୍ୟାଟି ପରି ଦେଇଦେବି ସବୁ ଲଜ୍ଜ୍ବା ମୋର,
ଦେଇଦେବି ସବୁଗନ୍ଧ ପବନକୁ ଫୁଲ ଦେବା ପରି।
ସକଳ ବିଚାର ଦ୍ବିଧା, ସଂଶୟର ବାଧା ବନ୍ଧ ଡେଇଁ
ବହିଯିବି ନଦୀଟିଏ ହୋଇ
ତୁମ ଇଚ୍ଛା ସାଗରକୁ।
ଦେଇଦେବି, ସବୁ ଦେଇଦେବି।
କେବଳ ଗୋଟିଏ ସର୍ତ୍ତ-
ତୁମେଇ ଚାହିଁଲେ ଥରେ
ସବୁ ଦେଇଦେବି।
॥ ୨ ॥
ତୁମେଇ ଡାକିଲେ ଥରେ
ଚାଲିଯିବି, ଚାଲିଯିବି ସବୁ ଛାଡ଼ିଦେଇ,
ଚାଲିଯିବି କୁଳ ଆଉ ସମାଜକୁ
ଗୋଡ଼ରେ ଆଡ଼େଇ,
ଚାଲିଯିବି ଭୁଲିଯାଇ
ସ୍ବାମୀର ସୋହାଗ ଆଉ ବାତ୍ସଲ୍ୟ ମମତା,
ପଛରେ ପକେଇ ଶାଶୁ ନଣନ୍ଦଙ୍କ ନିଷ୍ଠୁର ଗଞ୍ଜଣା।
ଠେଲିଦେଇ ମୋରସବୁ
ମାନ ଅଭିମାନର ଆକଟ,
ବସିବା ଥାନରୁ ଉଠି ଚାଲିଯିବି
ଲାଜ ଭୟ ଭୁଲିଯାଇ ସ୍ରସ୍ତ ବସନରେ।
ତୁମେଇ ଡାକିଲେ ଥରେ
ନାଆଁଧରି ତୁମରି ବେଣୁରେ,
ଚାଲିଯିବି ଚାଲିଯିବି
ତୁମରି ପାଖକୁ।
॥ ୩ ॥
ତୁମେ ଯଦି ଚାହିଁବନି
ମତେ ଚାହିଁବନି,
ତୁମେ ଯଦି ଡାକିବନି ଥରଟିଏ
ମତେ ନାଆଁଧରି,
ଚାଲିଥିବ ଏଇପରି ଆମ ରାଗ ରୁଷା ଅଭିମାନ,
ତୁମଠାରୁ ରଖୁଥିବି ଦୂରକରି
ଆପଣାକୁ ନିଜର ଭିତରେ,
କୃପଣର ଧନପରି ଗୁପ୍ତ ଗନ୍ତାଘରେ।
ଆଉ ତମେ ବେଳେ ବେଳେ
ସମୟ ସୁଯୋଗ ଉଣ୍ଡି
ଚିଲପରି ଝାମ୍ପି ନେଉଥିବ
ଅବା ଚୋରି କରୁଥିବ ମତେ ମୋର
କେଉଁ ଅସତର୍କ ମୁହୂର୍ତ୍ତରେ
ଅବା ଚେଷ୍ଟା କରୁଥିବ କରିବାକୁ ବଳାତ୍କାର
ଭୟଭୀତ କରି।
ସମସ୍ତ ଅୟାସ କରି
ମୁଁ ମୋହର ଗମ୍ଭୀର ଭିତରେ
ରଖୁଥିବି ସେତେବେଳେ ନିଜକୁ ଲୁଚାଇ।
ଏ ଟଣା ଓଟରା ଖାଲି ରଖିଥିବି
ତୁମ ମୋ ଭିତରେ
କାଳ କାଳାନ୍ତରେ
ଏମିତି କି ଭାବହୁଏ!
ହୁଏ ଦିଆନିଆ?
॥ ୪ ॥
କିନ୍ତୁ ମୁଁ ଦେଉଚି କଥା,
ଦେଇଦେବି ସବୁ ଦେଇଦେବି
ତୁମେଇ ଚାହିଁଲେ ଖାଲି ଥରଟିଏ
ସବୁ ଦେଇଦେବି।
ତୁମେଇ ଡାକିଲେ ଥରେ
ନାଆଁଧରି ତୁମରି ବେଣୁରେ
ଚାଲିଯିବି,
ସବୁଛାଡ଼ି ତୁମରି ପାଖକୁ।