॥ ୧॥
ସହକର୍ମୀ ବନ୍ଧୁ ଜଣେ କହିଲେ ସେଦିନ
ଯାଇଥିଲି ମୁଁ ସମ୍ବଲପୁର,
ଯୋଗଦେବା ପାଇଁ ମୋର ମାମୁଁଙ୍କର ଝିଅ ବାହାଘରେ,
ମାମୁଁ ମୋର ଆର୍.ଡି.ସି ସେଠାରେ
ନେଇଥିଲି ସାଙ୍ଗରେ ମୋହର
ଆପଣଙ୍କ ଉପନ୍ୟାସ ବହିଟିଏ,
କାଟିବାକୁ ମୋର ଅବସର।
ସେ ବହିକୁ ଦେଖି ମାଇଁ ହେଲେ ଭାରୀ ଖୁସୀ
କହିଲେ ସେ ଆପଣଙ୍କୁ ଜାଣିଛନ୍ତି ବହୁଦିନୁ
ପୁରୀରେ ଆପଣ ଥିଲେ ତାଙ୍କ ପ୍ରତିବେଶୀ।
ତାଙ୍କ ବଡ଼ଭାଇ ସାଙ୍ଗେ ପଢ଼ୁଥିଲେ ପାଠ କଲେଜରେ,
ଆପଣଙ୍କ ମନେ କଣ ଅଛି ଆଉ
“ଏତେଦିନପରେ?”
ପଚାରିଲି,“କଣ ତାଙ୍କ ନାଆଁ?”
ଉତ୍ତରିଲେ ବନ୍ଧୁ ‘‘ତାଙ୍କ ଭଲ ନାଁ ଧରାଶ୍ରୀ-’’
ଧରାଶ୍ରୀ ମହାନ୍ତି,
‘ଧାରା’ ନାମେ ତାଙ୍କୁ କିନ୍ତୁ ସମସ୍ତେ ଜାଣନ୍ତି଼-
କହିଛନ୍ତି ମାଇଁ
ଆପଣଙ୍କୁ କହିବାର ପାଇଁ
“ସମ୍ବଲପୁରକୁ ଯେବେ ଟୁର୍ରେ ଯିବେ,
ନିଶ୍ଗେ ତାଙ୍କ ଅତିଥି ହୋଇବେ।”
ବହୁଦିନ ପରେ ଆଜି
ମନେପଡ଼େ ଧରାଶ୍ରୀର କଥା
ତା ସ୍ମୃତିରେ ଭାସି ଆସେ
କିଛି ଖୁସୀ କିଛି ପୁଣି ବ୍ୟଥା
ଆଖି ଆଗେ ନାଚି ଉଠେ ଏକ ତାର କିଶୋରୀର ମୁଖ
ଅପୂର୍ବ ସ୍ମିତିରା ଯାର ଝଲୁଥିଲା ଖୁସିର ମୟୁର।
ପଥୁରିଆସାହିର ସେ ନାଲି କୋଠାଘରେ
ରହୁଥିଲା ଧାରା ତାର ବାପା ମାଆ ଭାଇଙ୍କ ସାଙ୍ଗରେ।
ଭାଇ ତାର ମୋର ସହପାଠୀ,
ବେଳେ ବେଳେ ତାଙ୍କ ଘରେ ହେଉ ଯେ ଏକାଠି।
ସେ ସାହିର ଶେଷ ଭାଗେ ଏକ ଚାଳଘରେ
ଆମେ ଥିଲୁ ମେସ୍ କରି ଛାତ୍ର କେତେ କଣ
ସହି କେତେ ଅଭାବ କଷଣ।
ଧାରା ଥିଲା ଛାତ୍ରଟିଏ ଅଷ୍ଟମ ଶ୍ରେଣୀରେ
ପଢ଼ୁଥିଲା ଗାର୍ଲସ୍କୁଲେ,
ବେଳେ ବେଳେ କଲେଜକୁ ଯାଉଥିବା ବେଳେ
ହୋଇଯାଏ ଦେଖା ତାର ସାଥେ,
ମୃଦୁ ଟିକେ ହସିଦିଏ ଚାହିଁଦେଇ ମତେ।
ବନ୍ଧୁକୁ ଭେଟିବା ପାଇଁ ଯଦି କେବେ ତାଙ୍କ ଘରେ ଯାଏ,
କେବେ ସିଏ ଥାଏ ପୁଣି କେବେ ସେ ନଥାଏ,
ସେହି ଅବସରେ
ଧାରା ସାଙ୍ଗେ ବେଳେ ବେଳେ ହୋଇଯାଏ ଦେଖା,
ଦେଇ ମଧୁ ମୃଦୁ ହାସ୍ୟ ରେଖା
ଚାହିଁଦେଇ ଚାଲିଯାଏ।
ନଥାଏ ଆଳାପ ପାଇଁ କିଛି ଅବକାଶ
ତଥାପି ସେ ମନ ତଳେ
କରେ କେତେ କଳ୍ପନା ବିଳାସ।
ଆଜି ମୁଁ ତ ଭୂଲିନାହିଁ ସେଦିନର କଥା
ସେଦିନ ମୁଁ ଯାଇଥିଲି
ଆଣିବାକୁ ବନ୍ଧୁଠାରୁ ଇତିହାସ ବହି,
ସନ୍ଧ୍ୟାବେଳେ ଯିବାପାଇଁ ଥିଲା ସିଏ କହି,
ଡାକିଲି ତା ନାମ ଧରି ଠିଆହୋଇ ତାଙ୍କ ଦ୍ବାରଦେଶେ
ଖୋଲିଲା କବାଟ ଧାରା
ମନ ମୋର ଭରିଗଲା ଭୟ ଭାବାବେଶେ।
କହିଲା ଲଳିତ କଣ୍ଠେ ମଧୁଝରା ବାଣୀ,
ଭାଇ ତ ନାହାନ୍ତି ଫେରି
ବସନ୍ତୁ ଟିକିଏ ଘରେ, ଆସିବେ ଏକ୍ଷଣି
କଅଣ କରିବି ମୁଁ ତ ପାରିଲିନି ଭାବି
କହିବା ଉଚିତ ଥିଲା
“ମୁଁ ଯାଉଛି, କହିଦେବେ, ମୁଁ ପୁଣି ଆସିବି,”
ଧାରା ଖୋଲି ଦେଲା ଦ୍ବାର ଭିତରକୁ ଯାଉ
ସୋଫାରେ ମୁଁ ବସିଗଲି ମନ୍ତ୍ରମୁଗ୍ଧ ହୋଇ
ନିଃସଂକୋଚେ ସେ କହିଲା,
“ବାପା ବୋଉ ଯାଇଛନ୍ତି ମନ୍ଦିରକୁ
ଘରେ ମୁହିଁ ଏକା।
ଆସିବେ ଏକ୍ଷଣି ଭାଇ
ଆପଣ ଟିକିଏ ଖାଲି କରନ୍ତୁ ଅପେକ୍ଷା। ”
ସେହିପରି ମଧୁକ୍ଷରା, ସ୍ମିତିଭରା ମୁଖେ
କହିଲା ସେ ମତେ ଅତି ଆଚମ୍ବିତ କରି
“ଆପଣ କବିତା, ଗଳ୍ପ ଲେଖନ୍ତି ମୁଁ ଜାଣେ,”
ଭୟେ ଭୟେ ପଚାରିଲି, “ଜାଣିଲ କିପରି?”
‘‘ଭାଇ ଦିନେ ଆଣିଥିଲେ ଆପଣଙ୍କ ଖାତା,”
ମୁଁ ପଢ଼ି ଦେଇଛି ସବୁ ଗଳ୍ପ ଓ କବିତା।
ରବିବାର ପ୍ରଜାତନ୍ତ୍ରେ ପଢ଼ିଥିଲି‘ମାନସୀ’ନାମରେ
କବିତାଟି ଲାଗିଥିଲା ମତେ ଭାରୀ ଭଲ,
କବିତା କିପରି ସତେ ଲେଖନ୍ତି ଆପଣ,
କବିତା ଲେଖାରେ ସେଇ ସୂତ୍ରଟା କଅଣ?
ଉତ୍ତର କଅଣ ଦେବି ପାରିଲିନି ଭାବି-
ସେହି ସମୟରେ
ପହଞ୍ଚିଲା ବନ୍ଧୁ ଆସି
ଧାରା ଧୀରେ ଚାଲିଗଲା ଘରେ।
ତାହାପରେ ଧାରା ସାଥେ ହୋଇଅଛି ଦେଖା କେତେବାର
ଦେଖିଛି ତା ସରୁଓଠେ
ସେଇ ମଧୁ ମୃଦୁ ସ୍ମିତି ଧାର,
କେହି କେବେ କହିନାହୁଁ ଆଉ କିଛି କଥା
ମୁଁ କିନ୍ତୁ ଲେଖିଛି କେତେ ଗୋପନରେ ପ୍ରେମର କବିତା।
ଅକସ୍ମାତ୍ ଅଳ୍ପଦିନପରେ
ବନ୍ଧୁଦେଲା ଦୁଃସମ୍ବାଦ
ଚାଲିଯିବ ସିଏ ବାଲେଶ୍ବରେ
ହୋଇଅଛି ସ୍ଥାନାନ୍ତର ତାର ବାପାଙ୍କର।
ପୁରୀ ଛାଡ଼ି ଚାଲିଯିବେ ସେ ସପରିବାର।
ବନ୍ଧୁକୁ ବିଦାୟ ଦେବା ଉପଲକ୍ଷ କରି
ଉପସ୍ଥିତ ଥିଲି ମୁହିଁ ଅତି ପ୍ରତ୍ୟୁଷରେ
ତାଙ୍କର ଘରର ଆଗେ, ମନେ ବଡ଼ ଆଶାଟିଏ ଧରି
ଦେଖିବି ଧାରାର ମୁଖ ଶେଷଥର ପାଇଁ
ହୁଏ ତ ଜୀବନରେ ଆଉ କେବେ
ଦେଖା ହେବ ନାଇଁ।
ଠିକ୍ ଯେବେ ଚାଲିବାକୁ ଆରମ୍ଭିଲା
ସେମାନଙ୍କ କାର୍,
ଦୁଇହାତ ଯୋଡ଼ି ଧାରା କହିଲା ବିଷର୍ଣ୍ଣ ମୁଖେ
ମୋ ଆଡ଼କୁ ଚାହିଁ ‘ନମସ୍କାର।’
କଣ ହେଲା ବୁଝିବା ଆଗରୁ
ଯାଉଥିଲା ଚାଲି କାର୍
ଚାହିଁଥିଲି ହତଭମ୍ଭ ହୋଇ ତାଙ୍କୁ ଦୂରୁ।
ତିରିଶ ବରଷ ନାହିଁ କାହିଁ ହୋଇଗଲା
ଗତ ୟା ଭିତରେ,
ଧାରା ସାଙ୍ଗେ ହୋଇନାହିଁ ଦେଖା ପୁଣି ଥରେ,
ଧାରାକୁ ମୁଁ ଭୁଲି ନାହିଁ
ବଦଳି ଯାଇଛି ମୋର ଜୀବନ ଜଗତ।
ସେ ମତେ ରଖିଛି ମନେ-
ଏହା କଣ ହୋଇପାରେ ସତ?