ଛୋଟ ଏକ ବନ୍ୟ ଗ୍ରାମ
ନଗରର କାହିଁ ବହୁଦୂରେ
ପଥ ତାର କଣ୍ଟକିତ
ଟଂକରିଳ ଧୂଳି ଧୂସରିତ
ଗ୍ରାମ୍ୟ କବିଟିଏ ତହିଁ
ଯାପେ ତାର ନିଃସଙ୍ଗ ଜୀବନ
ଭୁଲା ମନେ ବୁଲୁଥାଏ
ବେଳେ ବେଳେ ହୋଇଯାଏ
ତାର ଗୀତ ଲେଖାରେ ମଗନ।
ଆପଣାର ଗୀତ ଗାଇ
ଆପଣାର ସୁଲଳିତ ସୁରେ
ବୁଲୁଥାଏ କାହିଁ କାହିଁ
ନଜାଣେ ସେ କାହିଁ ଯାଏ,
ତା ମୁଖର ଗାନ ଶୁଣି
ଲୋକ ମୁଖେ ଦୂର ଦୂରାନ୍ତରେ
ଭାସି ଯାଏ, ଆପେ ଆପେ
ଲୋକଙ୍କର ମନେ ରହିଯାଏ।
ପାରିଧିରେ ଦିନେ ଆସି
ରାଜ ଜେମା ଅଘୋର ବନସ୍ତେ
ଗାଈଆଳ ଟୋକା ମୁଖେ
ଶୁଣି ଏକ ସୁଲଳିତ ଗାନ,
ମୁଗ୍ଧ ହୋଇ ପଚାରିଲେ
କିଏ ତାର କବି, ରଚୟିତା
ସୂର ଓ କଥାରେ ଯିଏ
ଛୁଇଁ ପାରେ ତନୁ, ମନ, ପ୍ରାଣ।
ତୁମଙ୍କୁ କରିବାପାଇଁ
ନିଜେ ମୁଇଁ ଯଥା ସମ୍ମାନିତ।
କହ, ତୁମେ କଣ ଚାହଁ,
ଯାହା ଚାହଁ ତୁମେ ମାଗିପାର
ଧନଧାନ୍ୟ,ଗୋପଲକ୍ଷ୍ମୀ
ଅବା କିଛି ପଦ ବା ପଦବୀ,
ସବୁ କିଛ ଦେବାପାଇଁ
ନାହିଁ ଟିକେ କୁଣ୍ଠା ମନେ ମୋର,
ଆମର ଗୌରବ ପାଇ
ତୁମପରି ଅତୁଳନ କବି।
କହିଲା କବିଟି ମୃଦୁ
ହସତାର ଫୁଟାଇ ଅଧରେ, ଅତି ନମ୍ରସ୍ବରରେ
ଯେ ଦେଶର ରାଜକନ୍ୟା
କବି ପାଇଁ, କବିତାର ପାଇଁ
ଦୁର୍ଗମ ଏ ଗ୍ରାମ ପଥେ
କଷ୍ଟକରି ଆସିଛନ୍ତି ଧାଇଁ
ଠିଆ ହୋଇଛନ୍ତି ଆସି
କରିବାକୁ ଅକୁଣ୍ଠିତ ଦାନ,
ସେ ଦେଶରେ ଜନ୍ମ ହୋଇ
ଆପଣାକୁ ମଣେ ଭାଗ୍ୟବାନ।
ହେ ରୂପସୀ ରାଜଲକ୍ଷ୍ମୀ
ଉଭା ତୁମେ ମୋ କୂଟୀର ଦ୍ବାରେ
ତାହାଠାରୁ ବଳି ସତେ
କି ଐଶ୍ବର୍ଯ୍ୟ ଆଉ ଥାଇପାରେ।
ସବୁ ମୁଁ ଯାଇଛି ପାଇ,
ଆଉ କିଛି ପାଇବାର ନାହିଁ,
ଆପଣା ଖୁସୀରେ ସିନା
ଆଜି ଯାଏ ଗାଉଥିଲି ଗୀତ
ଏବେ ମୁଁ କରିବି ଗାନ
ତୁମ ପାଇଁ, ତୁମପରି କଳାବତୀ ପାଇଁ।