ପାଥେୟ ହେଲାଣି ଶେଷ
ପଥ ବି ତ ହୋଇଆସେ ଶେଷ;
ସମୟ ସୀମାନ୍ତେ ଏଇ କ୍ଷଣ ସ୍ଥିତି
ଭୁଲିବାକୁ ଅବା ପଥ କ୍ଳେଶ।
ସ୍ମୃତିର ବିପୁଳଭାର ଆଣିଚି ଯା ସାରାପଥ ବହି,
ସବୁଯିବ ସୀମାନ୍ତର ଏହି ପାରେ ରହି-
ସେ ସ୍ମୃତିର ପୁଟୁଳାକୁ ଖୋଲି ଖୋଲି ଏବେ ଶେଷବାର
ଦେଖିନିଏ-ଆପଣାକୁ ଶେଷଦେଖା ଏହା ଆପଣାର।
କିଏ ଆଜି ମନେପଡ଼େ,
କା’ର ମୁହଁ ନାଚିଯାଏ ମୋ ଆଖିର ଝାପସା ଦୃଷ୍ଟିରେ?
ସେମାନେ ମୋହର ବନ୍ଧୁ,ବାନ୍ଧବୀ ଓ ହିତାକାଂକ୍ଷୀ
ପ୍ରିୟଜନ ଉଦାର ପୁରୁଷ,
କିଏ ସେ ଦେଇଚି ମତେ ବକ୍ଷଭରା ଅନୁରାଗ
ମୋହଲାଗି ହୋଇଅଛି ତିଳତିଳ କ୍ଷୟ।
କିଏ ସେ ଦେଇଚି ମତେ ଗୋପନରେ ପ୍ରୀତିର ଅଭୟ।
ଅଯାଚିତେ ଆପଣାର ଆନନ୍ଦରେ ଭାଗଦେଇ
କିଏ ମୋତେ କରିଅଛି ଋଣୀ।
ଆଖିର ଲୋତକ ପୋଛି
ନେଇଅଛି ମୋ ଦୁଃଖରେ ଭାଗ କିଏ ପୁଣି।
ନିରାଶାରେ ଭାଙ୍ଗିପଡ଼ି ହେବା ଆଗୁ ଲୀନ,
କାହାର ଦରଦୀ କଥା କରିଅଛି ମତେ ଭୟହୀନ।
ପଡ଼ିଯିବା ଆଗୁ କିଏ ନେଇଅଛି ଧରି;
କାହାର ଆଖିର ଜ୍ୟୋତି
ଜୀବନକୁ ଦେଇଅଛି ସୁଷମାରେ ଭରି।
କିଏ ସେ ଯାଇଛି ଭୁଲି ମୋର ସବୁ ଦୋଷ, ଅପରାଧ,
କରିଅଛି କ୍ଷମା ମୋତେ ନିର୍ବିଚାରେ ନିନ୍ଦା ଅପବାଦ
କିଏ ସେ ବହିଛି ମାଥେ;ମୋହଲାଗି;କିଏ ସେ ନୀରବେ
ସହିଛି ଯନ୍ତ୍ରଣା କଷ୍ଟ,ପ୍ରତିବାଦ କରିନାହିଁ ଲବେ।
ମୋ ରୋଗ ଶଯ୍ୟାରେ ତା’ର ଅକୁଣ୍ଠିତ ହାତର ଆଙ୍ଗୁଳି
ମୋ ନୁଖୁରା କେଶେ ପଶି
ମରଣ ମୁଖରୁ ମତେ ଆଣିଚି ଫେରାଇ।
ନିଜକୁ ବଞ୍ଚିତ କରି କିଏ ପୂର୍ଣ୍ଣ କରିଅଛି ମତେ,
ନିଜକୁ ସାମାନ୍ୟ କରି କିଏ ସେ ବା
କରିଅଛି ସମ୍ମାନିତ ସଭିଙ୍କ ଅଗ୍ରତେ।
ମୋ ଚଲା ପଥକୁ କିଏ ଘାସହୋଇ କରିଚି ମସୃଣ,
ଫୁଲହୋଇ କିଏ ମୋର ହୃଦୟକୁ ଦେଇଅଛି
ଆପଣାର ସୁବାସରେ ଭରି;
ଦ୍ବିପ୍ରହର ଦହନରୁ କିଏ ସେ କରିଚି ରକ୍ଷା
ମେଘ ଛାୟା ପରି;
ଚାତକ ତୃଷାକୁ ମୋର ହୃଦୟର ଅମୃତ ବର୍ଷଣେ
ଅବା କିଏ ଅଛି ପୂର୍ଣ୍ଣକରି।
କାହାର ମଧୁର ସ୍ମିତି,କାର ମିଠାକଥା।
କାହାର ଆଶିଷ ପୁଣି କାର ଉପଦେଶ,
କାହାର ଟିକିଏ ସ୍ପର୍ଶ,କାହାର ଆଶ୍ଳେଷ-
ସକଳେ ମୋ ଜୀବନରେ ଦେଇଛନ୍ତି
ଭରି ସତେ କେତେ ମଧୁରତା!
ଆଜି ମନେପଡ଼ୁ ନାହିଁ
କିଏ ମତେ ଦେଇଥିଲା ଦୁଃଖ,
କିଏ ସେ ବା କରିଥିଲା ମତେ ପ୍ରବଞ୍ଚନା,
କାର କଟୁବାକ୍ୟେ କେବେ କଳାପଡ଼ି ଯାଇଥିଲା ମୁଖ,
କାହାର ଆଘାତେ କେବେ ଲାଗିଥିଲା ମନରେ ବେଦନା।
ସବୁକ୍ଷତ ଯାଇଅଛି ଆପେ ଆପେ ଶୁଖି କାହିଁ ପ୍ରାଣେ,
ସବୁ କ୍ଷତି ହୋଇଅଛି ପୂର୍ଣ୍ଣ ବହୁ ଅକୁଣ୍ଠିତ ଦାନେ।
ମୋର ସ୍ମୃତି ପଟଳରେ ଭାସିଉଠେ ଆଜି ଯେତେ ମୁହଁ
ମୋହର ଜୀବନକଥା ସେମାନଙ୍କ ଗାଥା-ମୁଁ ତ କିଛି ନୁହଁ,
ସୀମାନ୍ତ ଲଙ୍ଘିବା ଆଗୁ କରୁଅଛି
ସେମାନଙ୍କ ଋଣ ମୁଁ ସ୍ବୀକାର,
କରୁଅଛି ସେମାନଙ୍କୁ ନମ୍ର ନମସ୍କାର।