ସମାପ୍ତ ହୋଇଛି ମୋର ରାଣୀ ହଂସପୁରର ନିର୍ମାଣ,
ଅପୂର୍ବ ତା ଶିଳ୍ପ କଳା, କରିଅଛି ସୃଷ୍ଟି
ବିସ୍ମୟ ସକଳ ଚିତ୍ତେ ଦେଖିବାକୁ ତାହା
ଆସୁଛନ୍ତି ବହୁଜନ ଦୂରାଦୂରାନ୍ତରୁ
ଖଣ୍ଡମଣ୍ଡଳରେ ନାହିଁ ତା’ ପରି ସୁନ୍ଦର
ଅନ୍ୟକାହିଁ ଅଟ୍ଟାଳିକା,ଲଜ୍ଜ୍ୟାନତ ତେଣୁ
ବହୁରାଜାଙ୍କର ଶିର
କରିଅଛ ତୁମେ ରୂପାୟନ
ମୋହର ବିରାଟ ସ୍ବପ୍ନ,ଗୌରବରେ ସ୍ଫୀତମୋର ବକ୍ଷ।
ହେ ଶିଳ୍ପୀ ତୁମକୁ ଦିଏ ଏହି ରତ୍ନ ମାଲ୍ୟ,
ତାହା ସାଥେ ଲକ୍ଷ ମୁଦ୍ରା ସୁବର୍ଣ୍ଣ କୁଣ୍ଡଳ
ମାହାର୍ଘ ପାଟର ଜୋଡ଼ ଦଶଖଣ୍ଡ କରମୁକ୍ତ ଗ୍ରାମ
ସୁବର୍ଣ୍ଣ ଅକ୍ଷରେ ଲେଖା ଏହି ତାମ୍ର ଲିପି
ଏବଂ ପରିଶେଷେ-
ହେ, ଶିଳ୍ପୀ କରିଛ ଯେଣୁ, ତୁମେ କରିପାର
ନିର୍ମାଣ ସୁନ୍ଦରତର ଶୋଭନୀୟ ନବର ପ୍ରାସାଦ
ମୋର ରାଣୀ ହଂସପୁର ଶୋଭାଠାରୁ ବଳି
ଆହୁରି ବିସ୍ମୟକର,ଅପୂର୍ବ ଅତୁଲ୍ୟକର
ସେଥିପାଇଁ ନିଅ ଏହି ଶ୍ରେଷ୍ଠ ପୁରସ୍କାର
ସୂର୍ଯ୍ୟାସ୍ତ ହେବାର ଆଗୁ ତୁମ ଶିରଚ୍ଛେଦର ଆଦେଶ।
୬-୧୧-୭୮
କଟକ