ସମସ୍ତେ ଡ଼ରନ୍ତି ତାକୁ ଏଇ ସହରରେ,
ତା ନାଆଁ ପଡ଼ିଲେ ପରା
ପଶିଯାଏ ଛାନିଆ ଛାତିରେ।
କିଏ କହେ ସେ ନିର୍ଦ୍ଦୟ,
କିଏ କହେ ସେ ଅତି ନିଷ୍ଠୁର,
କିଏ କହେ ସେ କୁତ୍ସିତ କଦାକାର,
ଭାରୀ ଭୟଙ୍କର।
ସେ ଛାତି ଫୁଲାଇ ଚାଲେ
ବିଚ୍ ବଜାରରେ।
କେହି କିଛି କରିପାରେ ନାହିଁ
କେହି କିଛି କହିପାରେ ନାହି।
ସମସ୍ତେ ଡରନ୍ତି ତାକୁ
ଏପରି କି ଦିନ ଦ୍ବିପ୍ରହରେ।
ମୁଁ କିନ୍ତୁ କରେ ନା ଭୟ ତାକୁ କେବେହେଲେ,
ମନେ ମନେ ଭାବେ ସତେ
କଣ ଅଛି ଡରିବାର ଏଇ ଲୋକଟାକୁ!
ଦେଖାହେଲେ ବେଳେ ବେଳେ ତା ସହିତ
ଟିକେ ହସିଦେଇ,
ମୁଁ ପଚାରେ,“ଭଲଅଛ ବନ୍ଧୁ?
ଆମଆଡ଼େ ଆସୁନାହଁ କିମ୍ପା?”
ଏବଂ ଭାବେ ଡରିବାର କଣ ଅଛି ଏଇ ଲୋକଟାକୁ!
ମୁଁ କିନ୍ତୁ ନଥିଲି ଭାବି
ସତକୁ ସତ ସେ ଦିନେ ପହଞ୍ଚିଲା ଆସି
ଘରେ ମୋର ରାତି ଅଧଟାରେ,
ଝରକା ପାଖରେ ମୁହଁ ଦେଖାଇ କହିଲା,
‘ବନ୍ଧୁ ମୁଁ ଆସିଚି’ ଏବଂ କଳା ମଚ ମଚ
ତା ମୁହଁରେ ଧଳା ଧଳା ଦାନ୍ତକୁ ଦେଖାଇ
ମୁଚୁକି ହସିଲା।
ହଠାତ୍ ତାକୁ ମୁଁ ଦେଖି ପଡ଼ିଗଲି କଳାକାଠ
ମୋ ମୁହଁରୁ ପଦେ କଥା ବାହାରିଲା ନାହିଁ,
ମୁଁ କହି ଉଠିଲି ‘ନା’-ଆର୍ତ୍ତ ଚିତ୍କାରରେ।
ଆଖି ଖୋଲି ଚାହିଁଲି ମୁଁ,
ସେ ନଥିଲା ଝରକା ପାଖରେ,
ନିଃଶବ୍ଦ ଅନ୍ଧାର ଛଡ଼ା ଆଉକେହି ନଥିଲା ସେଠାରେ।
ମୁଁ ଅଶ୍ବସ୍ତ ହେଲି ଜାଣି ସେ ଆସି ନଥିଲା,
ତଥାପି ମୋ ଥରୁଥିଲା ଛାତି,
ଏବଂ ଗମ୍ ଗମ୍ ଝାଳ,
ମୋ ଦେହରୁ ଯାଉଥିଲା ବୋହି।
ମୁଁ ତାକୁ କରୁଚି ଭୟ ସେଇ ମୁହୂର୍ତ୍ତରୁ,
ଗୋଟେ ହିଂସ୍ର ବାଘ ପରି ଗହନ ବନରେ।
ଦେଖାହେଲେ ଅକସ୍ମାତ୍ ଆଜିକାଲି
ବାଟଭାଙ୍ଗି ଯାଉଚି ମୁଁ ଚାଲି
ନ ଦେଖିବା ପରି ତାକୁ।
ସେ ଯେଉଁ ଦୁର୍ଦ୍ଦାନ୍ତ ଲୋକ କି ଠିକଣା ଅଛି,
କେତେବେଳେ ପଶିଯିବ ମୋ ଘର ଭିତରେ,
ନହେଲେ କି ଡରୁଥାନ୍ତେ ମିଛଟାରେ
ତାକୁ ଏତେ, ସହରର ଲୋକେ!