ଶବ୍ଦଟିଏ


ଶବ୍ଦଟିଏର ଅର୍ଥ ଖୋଜିବାକୁ

ଖୋଲିଲି ଅଭିଧାନ,

ପୃଷ୍ଠା ପରେ ପୃଷ୍ଠା ଚାଲିଗଲା

କିନ୍ତୁ ମୁଁ ପାଇଲି ନାହିଁ

ମୋର ସେଇ ଇପ୍ସିତ ଶବ୍ଦଟିକୁ

କାରଣ ମୁଁ ଭୁଲିଯାଇଥିଲି

ସେଇ ଶବ୍ଦଟି

 

ସତେ ଯେମିତି ଅସଂଖ୍ୟ ରକମର

ଫୁଲର ଉପବନରେ

ମୁଁ ଖୋଜୁଥିଲି ଫୁଲଟିଏ

ଯାହାର ରୂପ କି ରଂଗ

ମୋର ମନେ ଥିଲା

 

ଅଥବା ମେଲଣ ପଡ଼ିଆର

ଅଗଣିତ ଲୋକ ଗହଳିରେ

ମୁଁ ଖୋଜୁଥିଲି ବନ୍ଧୁଟିଏ

ଯାହାର ନାମ ଚେହେରା

ମୁଁ ଭୁଲିଯାଇ ଥିଲି

ଗୋଟିଏ ଶବ୍ଦ ଖୋଜିବାକୁ ଯାଇ

ଅଭିଧାନରେ ଦେଖିଲି ଅନେକ ଶବ୍ଦ

ଭିନ୍ନ ଭିନ୍ନ ବନାନର

ଭିନ୍ନ ଭିନ୍ନ ଉଚ୍ଚାରଣର ଶବ୍ଦ,

ଭିନ୍ନ ଭିନ୍ନ ଅର୍ଥର ଶବ୍ଦl

କିନ୍ତୁ କେଉଁଠି ହେଲେ

ଖୋଜି ପାଇଲି ନାହିଁ

ମୋର ଇପ୍ସିତ ଶବ୍ଦଟିକୁ

 

ଅଭିଧାନର ବାହାରେ

କଣ ଆଉ ଶବ୍ଦ ଅଛି?

ସେ ଶବ୍ଦର କଣ ଅର୍ଥ ଅଛି?

କଣ ସେ ଶବ୍ଦ,

କେଉଁଠି ସେ ଶବ୍ଦ,

ମତେ ଯାହାକୁ ଖୋଜିବାକୁ ହିଁ ହେବ?

ସେ ପ୍ରିୟ ଶବ୍ଦଟିର ଅର୍ଥ ଯେ ମୋର ଲକ୍ଷ୍ୟ




+ -