ସଂଚାରିଣୀ
ତୁମକୁ ମୁଁ ଖୋଜିବୁଲେ ଇତସ୍ତତଃ ଦିବସ ଯାମିନୀ,
ତ୍ରିଦିବ, ପାତାଳ ଆଉ ସକଳ ମେଦିନୀ।
ବୁଲିଚି ମୁଁ ବେଳା ବୁକେ, ନୀଳନିର୍ଝରିଣୀ
ପୁଲିନେ ଓ ପଥ ପ୍ରାନ୍ତେ,ବଜାର ବିପ୍ପଣୀ,
ବହୁଗ୍ରାମ,ନଗର ସରଣୀ
ବହୁ ଚାରୁ ଅଟ୍ଟାଳିକା,ବାଟିକା ବେଷ୍ଟନୀ
ପ୍ରାଙ୍ଗଣ ପ୍ରାନ୍ତର-ତରୁତଳ ଓ ତରଣୀ
ଅରଣ୍ୟ ବନାନୀ-
ମାୟାବିନୀ
ବ୍ୟର୍ଥ ମୋ ଖୋଜିବା ହେଲା ତୁମଙ୍କୁ ମୁଁ କାହିଁ ପାଇଲିନି।
ସଂଚାରିଣୀ
ପ୍ରାଣ ସଂଚାରିଣୀ
ହୃଦୟର ଆକାଶର ଅୟନରେ ପକ୍ଷ ବିସ୍ତାରିଣୀ
ରୂପ-ଉଦ୍ଭାସିନୀ,
ଅତୀନ୍ଦ୍ରିୟ ମନୋରାଜ୍ୟେ ଭାବ ବିଳାସିନୀ,
ଯୁଗେ ଯୁଗେ ତୁମେ କୋଟି ଭୁବନର ହୃଦୟ ମୋହିନୀ,
ସଂଗୀତର ମଧୁଛନ୍ଦେ ଜୀବନର ବଲ୍ଲକୀ-ବାଦିନୀ,
ତୁମେ କିନ୍ତୁ ନୁହ ପ୍ରିୟା, କନ୍ୟା, ଭଗ୍ନୀ ଜାୟା ବା ଜନନୀ,
ମାୟାବିନୀ,
ବ୍ୟର୍ଥ ମୋ ଖୋଜିବା ହେଲା ତୁମଙ୍କୁ ମୁଁ କାହିଁ ପାଇଲିନି।
ସଂଚାରିଣୀ
ଶକ୍ତି-ସଂଚାରିଣୀ
ଦେଖିଲି ମୁଁ ପଥେ ଘାଟେ କେତେ ଚାରୁ ସୁସ୍ମିତ ହାସିନୀ
ମୃଦୁ ମନ୍ଦ୍ର ମଧୁର ଭାଷିଣୀ
ଲଜ୍ଜ୍ୟାବତୀ, ଲୀଳାମୟୀ କରୀନ୍ଦ୍ରଗମନୀ
ଉଚ୍ଚ ଅଟ୍ଟାନିକା ପରେ ବନ୍ଧୁ ବିଳାସିନୀ
କିଶୋରୀ ତରୁଣୀ,
ପ୍ରକୃତିର ଛାୟାତଳେ ପଲ୍ଳୀର କାମିନୀ
କେତେ ଶୁଭ୍ରା,କେତେ କୃଷ୍ଣା କେତେ ଗୌରୀ ଗୈରିକ ବରଣୀ
ବ୍ୟସନର ଇନ୍ଦ୍ରଜାଲେ ବହୁମନ ନୟନ ତୋଷିଣୀ,
ମାୟାବିନୀ
ତୁମଙ୍କୁ ମୁଁ କାହିଁ ପାଇଲିନି।
ସଂଚାରିଣୀ
ସ୍ନେହ-ସଂଚାରିଣୀ
ଆଣିଲେ ତୁମରି ଭ୍ରମ ମନେ କେତେ ରୂପସୀ ଭାମିନୀ
କେ ହେଲା ପ୍ରତୀତ ଦେବୀ ପତିତ ପାବନୀ
ପଙ୍କିଳ ଏ ଜୀବନର ପାପ ନିସ୍ତାରିଣୀ।
ପ୍ରେମାନୁରାଗିଣୀ
ସମସ୍ତେ କେବଳ ଚାରୁ ଉତ୍ଫଣ ନାଗିନୀ
ଅନମ୍ର ଓ ଆତ୍ମଗତା ଗୁରୁ ଗରବିଣୀ
କ୍ଷଣିକ ଦେହର ତୃପ୍ତି ଦେଇ ହେଲେ ଶଯ୍ୟାର ସଂଗିନୀ
ଶୋଭାମୟୀ ଯେତେ ହେମାଙ୍ଗିନୀ।
ମାୟାବିନୀ
ତୁମର ନକଲ ସବୁ,- ମୁଁ କାହିଁ ପାଇଲିନି।
ସଂଚାରିଣୀ
ସ୍ବପ୍ନ ସଂଚାରିଣୀ
ଚିରନ୍ତନୀ,ଦେହାତୀତା ଆଗୋମୋର କଳ୍ପନା-କାମିନୀ
ଗୋ ମୁଗ୍ଧା ମହିମାମୟୀ ସୃଷ୍ଟି ପ୍ରକାଶିନୀ।
ହୋଇଲିଣି କ୍ଳାନ୍ତ ଖୋଜି ତୁମଙ୍କୁ ମୁଁ ଦିବସ ଯାମିନୀ।
ବିଳପେ ବିଦଗ୍ଧ ଆତ୍ମା,ଚାରିପାଶେ ବହ୍ନିର ବେଷ୍ଟନୀ
ତୁମ ସ୍ନିଗ୍ଧ ସ୍ପର୍ଶେ ସବୁ ଦୂରହେବ ପୀୟୂଷ ବର୍ଷିଣୀ
ତେଣୁ ମାୟାବିନୀ
ଖୋଜିବୁଲେ ତୁମଙ୍କୁ ମୁଁ, ଜାଣିଲେ ବି କାହିଁ ପାଇବିନି।