ବାରମାସୀ ପକ୍ଷୀ


ସମୟ ବଦଳି ଯାଏ- ପତ୍ରେ ପତ୍ରେ ହୁଅଇ ବିମ୍ବିତ

ତାର ଛାୟା, ନୂଆ ନୂଆଫୁଲ ଥାଏ କରି ସଞ୍ଚୟନ

ଉଦ୍ୟାନର ମାଳୀ, ନଭେ ଚନ୍ଦ୍ର ହୁଏ ଖଣ୍ଡ ବିଖଣ୍ଡିତ,

ଆକାଶର ଅଶ୍ରୁ କରେ ଶ୍ୟାମ ଦୁର୍ବା ଗଭାରେ ମଣ୍ଡନ।

ସମୟ ବଦଳି ଯାଏ- ବଲ୍ଲକୀର ମୂର୍ଚ୍ଛନା ତରଙ୍ଗ

ପରି, ରୂପ ବଦଳାଏ ତରୁଶାଖେ ବାରମାସୀ ପକ୍ଷୀ,

କୋମଳ ତା ପକ୍ଷ ଯୁଗ ପ୍ରତି ମାସେ ନିଏ ନୂଆ ରଂଗ

ନୂଆ ଛନ୍ଦ ସୃଷ୍ଟି କରେ ପ୍ରତିପଦେ ନିପୁଣା ନର୍ତ୍ତକୀ।

ସମୟ ବଦଳି ଯାଏ- ଦେଖାଦିଏ ମନର ମୁକୁରେ

ନବ ନବ ପ୍ରତିବିମ୍ବ, ବଦଳଇ ପ୍ରୀତିର ଆସ୍ପଦ

 ଭାଷା ନିଏ ଭିନ୍ନ ଅର୍ଥ, ଭିନ୍ନ ଭାବ ପ୍ରକାଶର ସ୍ବରେ,

ନଦୀ ଧାର ବଦଳାଇ ଭରି ଦିଏ ଅନ୍ୟ ଏକ ହ୍ରଦ।    

ବାରମାସୀ ପକ୍ଷୀ ରଙ୍ଗ ବଦଳାଇ ଦିଶଇ ସୁନ୍ଦର

ମନ ଯାର ବଦଳଇ ସଖି ସିଏ ଅତି ଭୟଙ୍କର




+ -