ଖରା ବର୍ଷା ଶୀତ କେତେ ନୀରବେ ସହି,
କେତେ ନିର୍ଜନ ରାତି ଘନ ଅନ୍ଧକାରେ,
ସେଯେ ରହିଚି ଉଭା ତିଳେ ତ୍ରସ୍ତ ନୋହିଁ
ଦୂର ଦୀର୍ଘପଥଧାରେ ନିର୍ବିକାରେ,
ସୁଖ ଦୁଃଖ ତିଳେ ମନେ ନଲାଗେ ତାର
ନାହିଁ ତାହାର କିଛି ସେଯେ ନିଃସ୍ବତମ,
ସେତ ନଲୋଡେ କିଛି
ନାଇଁ ଚିନ୍ତା ଭାର
ନୋହି ସେ ବିଚଳିତ ଉଭା ତାପସୀ ସମ।
କେତେ କ୍ଲାନ୍ତ ପଥଚାରୀ ତା ପଦତଳେ
ଗଲେ କ୍ଳାନ୍ତି ହରି ଧୀରେ ଆପଣା ପଥେ
କେତେ ଭାଗ୍ୟବାନ୍, ଦୀନ ନିଃସ୍ବ ନରେ
ଗଲେ, ଆସିବେ ଫୁଣି ପଥେ ପଥିକ କେତେ।
କାରେ ମନାସି ମନେ ସେ ଯେ ହୋଇଛି ଉଭା
ଗଲା ତା ଯଉବନ ଖାଲି ବ୍ୟର୍ଥତାରେ,
ହେଲା ମଳୀନ ମ୍ଲାନ ତାର ସବୁଜ ଶୋଭା
ସେ ଯେ ତଥାପି ନିତି ଚାହିଁ ରହିଚି ତାରେ।
ଯେତେ ହେ ପଥଚାରୀ ଏଥି ନୁଆଁଇ ମଥା
କର ଚରଣେ ତାର ଧୀରେ ପ୍ରଣତୀ ଦାନ-
ନେଇ ଆପଣେ ମାଗି ଯେତେ କ୍ଲାନ୍ତି ବ୍ୟଥା,
ସେ ଯେ କରୁଚି ବସି ନିତି ନୀରବେ ଧ୍ୟାନ।